ମଦ ବିରୋଧରେ ଗର୍ଜିଲେ ମହିଳା
ଜୟପୁର : ଗାଁରେ କାୟା ବିସ୍ତାର କରିଥିବା ବେଆଇନ ମଦ ବେପାର ବିରୋଧରେ ଏବେ ରାଜରାସ୍ତାକୁ ଓହ୍ଲାଇଛି ନାରୀ ଶକ୍ତି। ମଦ ରାକ୍ଷସର କରାଳ ରୂପ ଯୋଗୁଁ ଉଜୁଡ଼ି ଯାଉଥିବା ପରିବାର ଓ ସଂସାରକୁ ରକ୍ଷା କରିବା ପାଇଁ ହାତରେ ଠେଙ୍ଗା ଧରି ବାହାରିଛନ୍ତି ଶତାଧିକ ମହିଳା। ଜୟପୁର ବ୍ଲକ ଆମ୍ବାଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ୧୨ଟି ଗାଁର ମହିଳାମାନେ ଏକଜୁଟ ହୋଇ ବେଆଇନ ମଦ କାରବାର ବିରୋଧରେ ଖୋଲା ବିଦ୍ରୋହ ଘୋଷଣା କରିଛନ୍ତି।
ବାରମ୍ବାର ପ୍ରଶାସନ ଓ ଅବକାରୀ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ସ୍ଥାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଫଳରେ ଆମ୍ବାଗୁଡ଼ା ପଞ୍ଚାୟତର ୧୨ ଖଣ୍ଡ ଗାଁର ମହିଳାମାନେ ଏକାଠି ହୋଇ ଆଜି ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ଘଟଣାସ୍ଥଳକୁ ସରପଞ୍ଚ ନଆସିବାରୁ ମହିଳାମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସେମାନେ ନିଜେ ଆଇନକୁ ହାତକୁ ନେବାକୁ ବାଧ୍ୟ ହୋଇଥିଲେ।
ସାମଗ୍ରୀକୁ ଭାଙ୍ଗି ଚୁରମାର
ପଞ୍ଚାୟତ କାର୍ଯ୍ୟାଳୟରୁ ସିଧାସଳଖ ଜଙ୍ଗଲ ମୁହାଁ ହୋଇଥିଲେ ମହିଳାମାନେ। ବଡ଼ ମଜୁରମୁଣ୍ଡା ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦଭାଟି ଉପରେ ଚଢ଼ଉ କରିଥିଲେ। ସେଠାରେ ମଦ ରାନ୍ଧିବା ପାଇଁ ରଖାଯାଇଥିବା ହାଣ୍ଡି, ଡ୍ରମ୍ ଓ ପାଚନ ସାମଗ୍ରୀକୁ ଭାଙ୍ଗି ଚୁରମାର କରିବା ସହ ରାସ୍ତା ଉପରକୁ ଫିଙ୍ଗି ନଷ୍ଟ କରିଦେଇଥିଲେ। ଜଙ୍ଗଲ ମାଟି ତଳେ ପୋତା ହୋଇ ରହିଥିବା ମଦ ପୋଚ ଡ୍ରମଗୁଡ଼ିକୁ ବାହାର କରି ସେଥିରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ଜାଳି ଦେଇଥିଲେ।
ମହିଳାମାନଙ୍କ ଦ୍ଵାରା କାର୍ଯ୍ୟାନୁଷ୍ଠାନ
ଘଟଣାସ୍ଥଳରେ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ଉପସ୍ଥିତ ଥିବା ସମୟରେ ହିଁ ମହିଳାମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସ୍ଥାନୀୟ ମହିଳାଙ୍କ କହିବା ଅନୁଯାୟୀ, ଆମ୍ବାଗୁଡ଼ା, ମଜୁରମୁଣ୍ଡା, କଚିଆକୋଣାଳି ସମେତ ବିଭିନ୍ନ ଅଞ୍ଚଳରେ ଖୁଲମଖୁଲା ଚୋରା ମଦ ବେପାର ଚାଲିଛି। ଏହି ନିଶା ଯୋଗୁଁ ବହୁ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଲାଣି। ଅନେକ ନାରୀ ଅଳ୍ପ ବୟସରେ ବିଧବା ହୋଇଥିବା ବେଳେ ଘରୋଇ ହିଂସାର ଶିକାର ହେଉଛନ୍ତି।
ସ୍କୁଲ ପିଲାମାନେ ମଧ୍ୟ ନିଶାଗ୍ରସ୍ତ
ସ୍ଵାମୀ ଓ ପୁଅମାନେ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି, ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ପିଟ୍ କରୁଛନ୍ତି ଏବଂ ରୋଜଗାର ଟଙ୍କା ଘରକୁ ଆଣୁନାହାନ୍ତି। ସ୍କୁଲ ଯାଉଥିବା ପିଲାମାନେ ମଧ୍ୟ ନିଶାଗ୍ରସ୍ତ ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗ ଅଧିକାରୀ ଓଆଇସି ସୁବ୍ରତ କେଶରୀ ହିରଣ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଚଢ଼ଉ କରାଯାଇ ମଦ ନଷ୍ଟ କରାଯିବା ସହ କିଛି ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କିନ୍ତୁ କିଛି ଲୋକ ଏହାକୁ ନିଜର ଜୀବିକା କରି ନେଇଥିବାରୁ ବାରମ୍ବାର ଏପରି ବେଆଇନ କାମ କରୁଛନ୍ତି।
ମହିଳାମାନଙ୍କ ଏଭଳି ସହଯୋଗ ଦ୍ଵାରା ଆଗକୁ ବେଆଇନ ମଦ ବେପାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ଅପରପକ୍ଷେ, ମହିଳାମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ତୁରନ୍ତ ସମଗ୍ର ପଞ୍ଚାୟତକୁ ମଦମୁକ୍ତ କରାନଯାଏ ଏବଂ ବେଆଇନ ବେପାର ସମ୍ପୂର୍ଣ୍ଣ ବନ୍ଦ ନହୁଏ, ତେବେ ସେମାନେ ରାଜରାସ୍ତା ଅବରୋଧ କରିବା ସହ କୋରାପୁଟ ଯାଇ ଜିଲ୍ଲାପାଳ ଓ ଏସପିଙ୍କ ଦ୍ଵାରସ୍ଥ ହେବେ। ନିଶା କବଳରୁ ନିଜ ସଂସାର ଓ ସମାଜକୁ ବଞ୍ଚାଇବା ପାଇଁ ଆମ୍ବାଗୁଡ଼ା ପଞ୍ଚାୟତର ଏହି ମହିଳାମାନଙ୍କ ସଂଘର୍ଷ ପ୍ରଶାସନ ପାଇଁ ଏକ ଚେତାବନୀ ସଦୃଶ। ଯେଉଁ କାମ ଆଇନ ଓ ଅବକାରୀ ବିଭାଗର ଥିଲା, ତାହାକୁ ଆଜି ନାରୀ ଶକ୍ତି ନିଜ କାନ୍ଧକୁ ନେଇଛି। ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନ କେବେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ମଦମୁକ୍ତ କରି ଏହି ମା’ ଭଉଣୀମାନଙ୍କୁ ନ୍ୟାୟ ପ୍ରଦାନ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।