Niali Paneer Controversy Grows: ଧଳା ପନିର ଭିତରେ କ’ଣ ରହିଛି, ଅପମିଶ୍ରଣକୁ ନେଇ ଗ୍ରାହକଙ୍କ ଚିନ୍ତା ବଢ଼ିଲା
ନରମ ପନିରର ଗରମ ଚର୍ଚ୍ଚା। ବିଧାନସଭାରେ ଉଠିଲା, ଜବାବ ରଖିଲେ ମନ୍ତ୍ରୀ ଆଉ ରାସ୍ତାକୁ ଓହ୍ଲାଇଲେ ଚାଷୀ। ଆନାଲଗ୍ ବା ଭେଜାଲ ପନିରର ପୋଲ୍ ଖୋଲିବା ପରେ ଏବେ ନିଆଳିରୁ ବିଧାନସଭା ଯାଏଁ ଉଠୁଛି ପଡ଼ୁଛି। ପନିରରେ ଡିଟରଜେଣ୍ଟ, ମଇଦା ମିଶୁଥିବା ପରୀକ୍ଷାରୁ ଜଣାପଡ଼ିଛି। କ୍ବିଣ୍ଟାଲ୍ କ୍ବିଣ୍ଟାଲ ପନିର ନାଁରେ ବିଷ ବଜାରକୁ ଆସିଥିବା ଧରାପଡ଼ିଛି, ହେଲେ ବିବାଦ ଏତିକିରେ ଥମିନି।...
ଅପମିଶ୍ରିତ ପନିର, ଅଳିଆ ଗଦାରେ ପ୍ରସ୍ତୁତି, ଖାଇବା ଯୋଗ୍ୟ ନଥିବା ପନିରକୁ ନେଇ ଓଟିଭିରେ ପ୍ରଥମେ ଖବର ପରିବେଷଣ ହୋଇଥିଲା। ପନିରର ପୋଲ୍ କ୍ୟାମେରା ସାମ୍ନାରେ ଖୋଲିଛି। ଧଳା ଚକ୍ ଚକ୍ ଦେଖାଯାଉଥିବା ନରମ ଓ ପ୍ରୋଟିନ୍ ଭରପୁର ଖାଦ୍ୟ ଭିତରେ ଯେ କେତେ ରହସ୍ୟ ଲୁଚି ଥିଲା ସେ ସବୁ ଲୋକ ଦେଖିଥିଲେ। ପରେ ପ୍ରଶାସନ ତେଜିବା ସହ ଆକ୍ସନ୍ କୁ ଜୋରଦାର କରିଛି।
ବିଧାନସଭାରେ ଆଜି ଗୋଟି ଗୋଟି ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପନିର ଓ ଛେନା ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ ପରେ ୪୧୩ଟି ମାମଲା ରୁଜୁ ହୋଇଛି। ପନିର ପ୍ରସଙ୍ଗକୁ ନେଇ ବି ପଲିଟିକ୍ସ ତେଜିଛି। ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟ ସାରା ଅପମିଶ୍ରଣ ଖାଦ୍ୟ ମାଡ଼ି ଗଲାଣି, ସରକାରଙ୍କୁ ଦାୟୀ କରି ବର୍ଷିଛି କଂଗ୍ରେସ। ମହାରାଷ୍ଟ୍ର ଭଳି ଓଡ଼ିଶାରେ ବି IAS ତୁକାରାମ ମୁଢ଼େ ଭଳି ଅଫିସର ଦରକାର କହିଛନ୍ତି କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ।
ନିଆଳି ପନିର ବଦନାମ ମୁଣ୍ଡେଇବା ପରେ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ଯାଦବ ସଂଘ। ଚକ୍ରାନ୍ତ କରାଯାଇ ନିଆଳି ଛେନାକୁ ବଦନାମ କରାଯାଉଛି। ଜାଣିଶୁଣି ଏହା ପଛରେ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି ନିଆଳି ଛେନା ବ୍ୟବସାୟୀ। ବିବାଦ ଏତିକିରେ ନଥମିଲେ ପୁଣି ଥରେ ଧାରଣାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସେମାନେ।
ଏସବୁ ଭିତରେ ଆଜି ମାମଲାରେ ଫସିଛନ୍ତି ନିଆଳିର ଚାଷୀ ଓ କଟକର କିଛି ଭେଣ୍ଡର। ୧୧ ଜଣଙ୍କ ନାଁରେ ଏତଲା ଦେଇଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ। ୭୦ କିଣ୍ଟ୍ବାଲ ପନିର ଅପମିଶ୍ରିତ ଏପରିକି ଡିଟରଜେଣ୍ଟ ମିଶିଥିବା ଜଣାପଡ଼ିଛି।
ଛେନା ପନିରକୁ ନେଇ ଆଜି ବି ଦ୍ବନ୍ଦ୍ବରେ ଗ୍ରାହକ। ଯିଏ ପ୍ରୋଟିନକୁ ଖୋଜି ଖୋଜି ଦୋକାନରୁ ବିଷ କିଣି ଆଣୁଛି। ବେପାର ସିନା ମାନ୍ଦା ପଡ଼ିଛି ହେଲେ ଏବେ ମିଳୁଥିବା ପନିର ସବୁ କ’ଣ ଭଲ ? କିଛି ଯାଞ୍ଚ, ଧରପଗଡ଼ କରି ବସି ଯାଇଥିବା ଖାଦ୍ୟ ନିରାପତ୍ତା ଟିମ୍ ଲୋକଙ୍କୁ କେମିତି ଆଶ୍ବସ୍ତ କରିବ ଯେ ଆଉ ଭେଜାଲ୍ ପନିର୍ ମାର୍କେଟ୍କୁ ଆସୁନି ?....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।