Groom Travels By Boat Through Flooded: ବନ୍ୟା ବୀଭିଷିକା; ଦେଶୀ ଡଙ୍ଗାରେ କନିଆ ଘରକୁ ଗଲେ ବର, ଛାତିଏ ପାଣିରେ ମଶାଣିକୁ ଗଲା ଶବ
ବନ୍ୟା ଯେତେବେଳେ ଚିରଦିନର ସାଥୀ ପାଲଟିଯାଏ, ସେତେବେଳେ ସେହି ବନ୍ୟା ହିଁ ସାଜେ ସୁଖଦୁଃଖର ମୂକ ସାକ୍ଷୀ। ସେହି ବନ୍ୟା ଦେଖେ ବାହାଘର, ସେହି ଉଛୁଳା ପାଣି ହିଁ ବାଟ କଢ଼ାଏ ମଶାଣି ଯାଏଁ। ସକାଳଠୁ ସଞ୍ଜ, ସଞ୍ଜଠୁ ପୁଣି ସକାଳ। ଜଳବନ୍ଦୀ ଜୀବନର ପ୍ରତିଟି ମୂହୁର୍ତ୍ତରେ ବନ୍ୟା ବେଦନା ଦିଏ, ହେଲେ ସେହି ବନ୍ୟା ଭିତରେ ବଞ୍ଚିଯିବାର ଅଭ୍ୟାସ କରେ ମଣିଷ। ଭୋଗରାଇ ଏବଂ ଉଦଳା, ଯେଉଁଠି ରହିଛି ଦୁର୍ଦ୍ଦଶା ସହ କେବେ ଭୁଲି ନହେଲା ଭଳି ଯନ୍ତ୍ରଣାଦାୟକ କାହାଣୀ।
ଚାରିଆଡ଼େ ଉଚ୍ଛୁଳା ପାଣି... ନା ରାସ୍ତା ଅଛି ନା ଘାଟ ଦେଖାଯାଉଛି। ତଥାପି ବି ଅଟକିନି ବରଯାତ୍ରୀ। ବନ୍ୟା ପାଣିକୁ ଚିରି ଜୀବନର ନୂଆ ଅଧ୍ୟାୟ ପାଇଁ ବାହାରିଛନ୍ତି ବର। ହୋଇପାରେ ଏଠି ବାଜା ନାହିଁ କି ରୋଷଣୀ ନାହିଁ। କିନ୍ତୁ ଆଖିରେ ଅଛି ନୂଆ ଜୀବନର ଗଢ଼ିବାର ସ୍ବପ୍ନ। ବିପଦ ଯେତେ ବଡ଼ ହେଉ, ବିବାହ ମୁହୂର୍ତ୍ତକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ପରିବାର ଆତ୍ମୀୟ ସ୍ବଜନ। ବାଲେଶ୍ବର ଭୋଗରାଇ ଅଞ୍ଚଳର ଦେଖିବାକୁ ମିଳିଛି ଏମିତି ଚିତ୍ର।
ସୁବର୍ଣ୍ଣରେଖାର ଚତୁର୍ଥ ବନ୍ୟା ପାଣି ଆଜି ଏଭଳି ହନ୍ତସନ୍ତ କରିଛି ଅଞ୍ଚଳବାସୀଙ୍କୁ। ଯେଉଁଠି ଦେଶୀ ଡଙ୍ଗା ପାଲଟିଛି ବିପନ୍ନଙ୍କ ଭରସା। ସେଇଠି ବରଯାତ୍ରୀ ବା ଅଟକିବ କେମିତି ? ବାହାଘର ତାରିଖ ସହ ମୂହୁର୍ତ୍ତ ଧାର୍ଯ୍ୟ ହୋଇଥିବାରୁ ଭୋଗରାଇ ବ୍ଲକ ମନୁନଗର ଗାଁର ହେମନ୍ତ ପାତ୍ର ଡଙ୍ଗାରେ ଏଭଳି ବରବେଶରେ ଯାଇଥିଲେ ବାଇତପୁର ସ୍ଥିତ କନିଆ ଘରକୁ। ଆଉ ଜୀବନ ସାଥୀକୁ ଧରି ଏହି ବାଟ ଦେଇ ଫେରିଥିଲେ ଗାଁକୁ।
ଯେଉଁଠି ଜନଜୀବନକୁ ଠପ୍ କରିଦେଇଛି ବନ୍ୟା, ସେଇଠି ହିଁ ଏଭଳି ଚିତ୍ର କହୁଛି, ବିପଦ ଆସିପାରେ, କିନ୍ତୁ ଜୀବନର ଆଶା ଅଟକିଯାଏନି। ଏଇଠି କିନ୍ତୁ ଯେଉଁ ରାସ୍ତାରେ ଜୀବନ ଚାଲୁଥିଲା, ଆଜି ସେଇ ରାସ୍ତାରେ ଶେଷ ଯାତ୍ରା। ପାଣି ଢାଙ୍କି ଦେଇଛି ସେହି ରାସ୍ତାକୁ, ଲୁହ ଆଉ କୋହକୁ ଧରି ମଶାଣି ଯାଏଁ ବାଟ କଢ଼ାଉଛି ସେହି ବନ୍ୟା ପାଣି। ନା ଶୁଖାଇ ପାରିଛି ସମ୍ପର୍କର ଲୁହକୁ, ନା ବାଟ ଓଗାଳିଛି କର୍ତ୍ତବ୍ୟର ଦାୟିତ୍ବବୋଧକୁ।
ସେହି ସୁବର୍ଣ୍ଣରେଖା, ସେହି ଭୋଗରାଇ। ଗାଁ କେବଳ ନୂଆସାହି। ଦୀର୍ଘଦିନ ଧରି ରୋଗାଗ୍ରସ୍ତ ବିମ୍ବାଧର ବେହେରା ସବୁଦିନ ପାଇଁ ଆଖି ବୁଜିବା ପରେ ଓଡ୍ରାଫ୍ ଟିମ୍ ପହଞ୍ଚି ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ଡଙ୍ଗାରେ ନେଇଥିଲେ କିଛିବାଟ। ପରେ ମଶାଣିରେ ଅନ୍ତିମ ସତ୍କାର କରିଥିଲେ ପରିବାର ଓ ବନ୍ଧୁ ପରିଜନ। ଯିଏ ତ ଅଫେରାବାଟ ଦେଇ ଚାଲିଗଲେ, ସିଏ ଆଉ କେବେ ଫେରିବେନି। କିନ୍ତୁ ଯେଉଁମାନେ ଆଜି ବି ଜୀବନ ଧରି ଜୀଇଁବା ଆଶାରେ ବଞ୍ଚୁଛନ୍ତି, ସେମାନେ ବଞ୍ଚି ରହିବେ କେମିତି ?
ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ପଣସଗଡ଼ି ଗାଁ। ଲଗାଣ ବର୍ଷାର ତାଣ୍ଡବ ପରେ ଆଜି ଛାରଖାର ଗାଁ ଭୁଇଁ। ଜରିପାଲ ତଳେ ଏକାକାର ଛେଳିମେଣ୍ଢା ସହ ମଣିଷ। ହୁଏତ ପାଣି ଛାଡ଼ିଲେ ଫେରିପାରନ୍ତି, ଫେରିବେ କେଉଁଠିକୁ ? କାରଣ ଦେଓ ନଦୀର ବନ୍ୟାଜଳ ମାଡ଼ି ଆସି ଛିନଛତ୍ର କରିଦେଇଛି ସାରା ଗାଁକୁ। କାହା ମାଟିଘର ଧୋଇଯାଇଛି ତ ଆଉ ମୁଣ୍ଡରୁ ଛାତ ଛଡ଼ାଇ ନେଇଛି ବନ୍ୟା। ବନ୍ୟାର ୨ ଦିନ ପରେ ସରକାରୀ ବାବୁ କେବଳ ନାଁ ଠିକଣା ପଚାରି ଚାଲି ଯାଇଥିଲେ ସିନା, ସହାୟତାର ନାଁ ଗନ୍ଧ ନାହିଁ।
ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଭରସାରେ ଜୀବନ ଜୀଉଁଥିବା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାର ମାଳ ମାଳ କାହାଣୀ। ତାହାରି ଭିତରେ କେବଳ ଅପେକ୍ଷା, କେବେ ବଦଳୁଛି ପାଣିପାଗର ଗତିବିଧି ଏବଂ କେବେ ସୁଧୁରୁଛି ଏମାନଙ୍କ ଭାଗ୍ୟ ଓ ଭବିଷ୍ୟତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।