No Bridge, Endless Struggle: ଲଗାଣ ବର୍ଷାରେ କୋଇଡ଼ା ବେହାଲ, ୩ ମାସର ଶିଶୁକୁ ଧରି ମୃତ୍ୟୁ ସହ ଲଢ଼େଇ
ଛାତି ଥରାଇ ଦେବା ଭଳି... ମନକୁ ଆନ୍ଦୋଳିକ କରିବା ଭଳି ଦୃଶ୍ୟ। କାନ୍ଧରେ ତିନି ମାସର କଅଁଳ ଶିଶୁ, ଆଉ ସାମ୍ନାରେ ଉଛୁଳା ନାଳର ଗର୍ଜନ। ଜୀବନକୁ ବାଜି ଲଗାଇ ଜଣେ ବାପା ନିଜର ସବୁଠୁ ବଡ଼ ଦାୟିତ୍ୱକୁ ବୋହିଛନ୍ତି। ଏହା କୌଣସି ସିନେମାର ଦୃଶ୍ୟ ନୁହେଁ, ଏହା ହେଉଛି ଆମ ବ୍ୟବସ୍ଥାର କଠୋର ବାସ୍ତବତା। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ବାକରଟୋଲା ଓ ଗାଢାଟୋଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଯେଉଁଠି ଆଜି ବି ଗୋଟିଏ ପୋଲ ପାଇଁ ଲୋକଙ୍କ ଜୀବନ ଅଟକି ରହିଛି। ସମିଜ ନାଳ...କେବଳ ଗୋଟିଏ ନାଳ ନୁହେଁ। ଏହି ନାଳ ପାଇଁ କେହି ରୋଗୀଙ୍କୁ ଖଟିଆରେ ବୋହିଛନ୍ତି ତ କେହି ନିଜ ପ୍ରିୟଜନଙ୍କ ଶବକୁ କାନ୍ଧରେ ବୋହିଛନ୍ତି। ଏବେ ତିନି ମାସର ଶିଶୁକୁ କାନ୍ଧରେ ଧରି ଉଛୁଳା ନଈର ସୁଅ କାଟି ଆଗକୁ ବଢୁଛନ୍ତି ଜଣେ ନିରୁପାୟ ବାପା। କେ. ବଲାଙ୍ଗ ମେଡିକାଲରୁ ଫେରୁଥିବା ବେଳେ ଏମିତି ଘଟଣା ସାମନାକୁ ଆସିଥିଲା।
ଯେଉଁ ବାପା ନିଜ ଛୁଆକୁ ନିରାପଦ ରାସ୍ତାରେ ନେବା କଥା, ସେହି ବାପା ଆଜି କାନ୍ଧରେ ଛୁଆକୁ ଭରା ନଈ ପାର କରିବା ବେଳେ କେବଳ ନିଜ ଭାଗ୍ୟକୁ ନିନ୍ଦୁଛି। ଗୋଟିଏ ଭୁଲ ପାଦ, ଗୋଟିଏ ଅସାବଧାନତା କିଛି ବି ଘଟାଇପାରେ। ବର୍ଷା ଆସିଲେ ଏଠି ଜୀବନ ଯେମିତି ଅଟକିଯାଏ। ବାହାର ଦୁନିଆ ସହ ଗାଢାଟୋଲା ଓ ବାକରଟୋଲାର ସମ୍ପର୍କ କଟିଯାଏ। ରୋଗୀ ହୁଅନ୍ତୁ କି ଗର୍ଭବତୀ, ଶିଶୁ ହୁଅନ୍ତୁ କି ବୃଦ୍ଧ, ସମସ୍ତଙ୍କ ପାଇଁ ଏହି ନାଳ ହିଁ ପାଲଟିଯାଏ ବିପଦର ବାଟ।
ଆଜିର ଏହି ଦୃଶ୍ୟ ଅନେକ ପ୍ରଶ୍ନବାଚୀ ଠିଆ କରିଛି। ଆଉ କେତେ ଦିନ ? ଏମିତି କେତେ ବର୍ଷ ଯାଏଁ ନାଳ ପାର ହେବେ ଲୋକେ ? କେବେ ହେବ ସ୍ଥାୟୀ ପୋଲ ? କେବେ ସରିବ ଏହି ନିର୍ଦ୍ଦୟ ପ୍ରତୀକ୍ଷା ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।