Nonstop Rain Batters South Odisha: ଦକ୍ଷିଣ ଓଡ଼ିଶାରେ ବିପର୍ଯ୍ୟୟ ରଚିଲାଣି ଲଗାଣ ବର୍ଷା; ଭୁଶୁଡ଼ିଲା ଘର, ଉପୁଡିଲା ବିରାଟକାୟ ଗଛ

Sep 23, 2026 - 19:52
Nonstop Rain Batters South Odisha: ଦକ୍ଷିଣ ଓଡ଼ିଶାରେ ବିପର୍ଯ୍ୟୟ ରଚିଲାଣି ଲଗାଣ ବର୍ଷା; ଭୁଶୁଡ଼ିଲା ଘର, ଉପୁଡିଲା ବିରାଟକାୟ ଗଛ

ଦୁଇ ଦିନ ହେଲା ନନଷ୍ଟପ ବର୍ଷା। ତୁହାକୁ ତୁହା ବର୍ଷିଚାଲିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଥମିବାର ନାଁ ନେଉନି ଲଘୁଚାପ ଜନିତ ବର୍ଷା। ଆଉ ଏହି ବର୍ଷାରେ କେଉଁଠି ବିରାଟକାୟ ଗଛ ଉପୁଡିଛି ତ କେଉଁଠି ଭୁଶୁଡିଛି ଘର। ସବୁଠୁ ଅଧିକ ପ୍ରଭାବ ପଡିଛି କୋରାପୁଟରେ। ସେପଟେ ମୋହନା ଏବଂ ଗଞ୍ଜାମର ବିଭିନ୍ନ ସ୍ଥାନରେ ପାହାଡରୁ ପଥର ଧସି ରାସ୍ତାରେ ଯାତାୟତ ଠପ୍। ଲଗାଣ ବର୍ଷା ଯୋଗୁଁ ସହରରେ ବି ହାଲ୍ ବେହାଲ।

ଦୁଇ ଦିନ ହେଲା ଲଗାତର ବର୍ଷୁଛି। ଟିକେ ବି ଥମିବାର ନାଁ ନେଉନି। ଆଉ ଇଏ ଲଗାଣ ବର୍ଷାର ପ୍ରଭାବ। ରାସ୍ତା ଉପରେ ଉପୁଡିପଡିଛି ବିରାଟକାୟ ଗଛ। ଦୃଶ୍ୟ କୋରାପୁଟ ସହରର। ଜାତୀୟ ରାଜପଥ-୨୬ ଉପରେ ଗଛଟି ଉପୁଡି ପଡିଥିବା ବେଳେ ଚାପି ହୋଇଯାଇଛି କାର। ବ୍ୟବସାୟୀ ଗାଡି ରଖି ବ୍ୟାଙ୍କ ଯାଇଥିବାରୁ ବଞ୍ଚିଯାଇଛି ଜୀବନ। 

ପୁରା ଜିଲ୍ଲାରେ ଜାରି ରହିଛି ବର୍ଷା। ବୈପାରୀଗୁଡା, କୋଟପାଡ ଓ ଲମତାପୁଟର ନନ୍ଦପୁରରେ ଏବେ ସୁଦ୍ଧା ୫ଟି ଘର ଭୁଶୁଡିଲାଣି। ଲଗାଣ ବର୍ଷାରେ ସହରରେ ବି ଭାଙ୍ଗିଛି ଘର। ଅନେକ ଅଂଚଳ ଜଳବନ୍ଦୀ। ରାସ୍ତା ଉପରେ ଚାଲିଛି ପାଣିର ସୁଅ। ସକାଳ ସାଢ଼େ ୮ଟା ସୁଦ୍ଧା କୋରାପୁଟ ସେମିଳିଗୁଡ଼ାରେ ସର୍ବାଧିକ ୨୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଯାହା ଆଶଙ୍କା ଥିଲା ତାହା ଘଟୁଛି ଗଜପତି ଜିଲ୍ଲା ପାହାଡିଆ ଅଂଚଳରେ। ଲଗାଣ ବର୍ଷାରେ ଆର୍.ଉଦୟଗିରି ବ୍ଲକ୍ ପାରିବେଟା ଘାଟି ରାସ୍ତାରେ ପାହାଡ଼ରୁ ଖସିଛି ବିରାଟକାୟ ପଥର l ଫଳରେ ଆର୍.ଉଦୟଗିରିରୁ ନୂଆଗଡ ବ୍ଲକ୍ ର ୩ ଖଣ୍ଡ ପଞ୍ଚାଯତକୁ ଠପ୍ ହୋଇଯାଇଛି ଯାତାୟତ। ବର୍ଷାରେ କିଛି ଘର ବି ଭାଙ୍ଗିଛି l ବ୍ଲକର ତିତିଲି ଗାଁରେ ଭୋରରୁ ୩ ଟି ଘରର କାନ୍ଥ ଭୁଶୁଡିପଡିଛି। 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଙ୍କୁଲି ତଡକା ସାହିରୁ ଚଢିଆବାଡ ରାସ୍ତାରେ ଖସିଛି ବିରାଟକାୟ ପଥର। ପ୍ରସାଶନ ଓ ଅଗ୍ନିଶମ ବାହିନୀ ଜେସିବିରେ ପଥର ହଟାଇଛନ୍ତି। ଲଗାଣ ବର୍ଷା ସାଙ୍ଗକୁ ପବନରେ ପାତ୍ରପୁର ବ୍ଲକ ଜରଡ଼ାରେ ଉପୁଡିପଡିଛି ଗଛ। ସେପଟେ ବ୍ରହ୍ମପୁର-ରାୟଗଡା ମୁଖ୍ୟ ରାସ୍ତାରେ ଅଣ୍ଟେ ପାଣି। ଦୋକାନ ବଜାର, ଏଟିଏମ୍ ସବୁଥିରେ ପାଣି ପଶିଛି। 

ପୋଲସରାରେ ଲଗାଣ ବର୍ଷାରେ ପାହାଡରୁ ଧସିଲା ମାଟି ଅତଡା। ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରାତାରିଣୀ ପୀଠକୁ ସଂଯୋଗ କରୁଥିବା ପାହାଡ଼ ରାସ୍ତାରେ ମାଟି ଅତଡ଼ା ଧସିଯାଇଛି l ଖଲ୍ଲିକୋଟରେ ଲଗାଣ ବର୍ଷା ଓ ପବନ ଯୋଗୁଁ ଖଲ୍ଲିକୋଟ-ମାନାପଲ୍ଲୀ ମୁଖ୍ୟ ରାସ୍ତାରେ ଉପୁଡିପଡିଛି ବିରାଟକାୟ ଗଛ। ଠପ୍ ହୋଇଯାଇଛି ଯାତାୟତ, ମଝି ରାସ୍ତାରେ ଫସିଛନ୍ତି ଯାତ୍ରୀ। 

ଲଘୁଚାପ ବର୍ଷାରେ ହାଲ୍ ବେହାଲ। କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ସାହି, ଗଳି ଜଳବନ୍ଦୀ। ଦୁଇ ଦିନର ବର୍ଷାରେ ବ୍ରହ୍ମପୁରରେ ଆଣ୍ଠୁଏ ପାଣି। ମୁଖ୍ୟ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ଜଳ। ତଳି ଅଂଚଳରେ ସ୍ଥିତି ସଙ୍ଗୀନ। ଘରେ ପାଣି ପଶି ରାତି ଅନିଦ୍ରା ସାହି ବାସିନ୍ଦା। ଜିନିଷ ପତ୍ର ସବୁ ଭାସୁଛି। ଅବସ୍ଥା କହିଲେ ନସରେ। 

ଉପକୂଳ ଜିଲ୍ଲାରେ ବି ପଡିଛି ଲଗାଣ ବର୍ଷାର ପ୍ରଭାବ। ପ୍ରବଳ ବର୍ଷା ପବନରେ କେନ୍ଦ୍ରାପଡା ଗରଦପୁର ବ୍ଲକ୍ ଶୀତଳପାଟଣାରେ ଉପୁଡ଼ି ପଡ଼ିଛି ବିରାଟକାୟ ଗଛ। ଅଳ୍ପକେ ରକ୍ଷା ପାଇଛନ୍ତି ଓମଫେଡରେ ଥିବା କର୍ମଚାରୀ ଏବଂ ଗ୍ରାହକ। ସେପଟେ ଭୂସ୍ଖଳନ ଆଶଙ୍କାରେ କନ୍ଧମାଳର କଳିଙ୍ଗା ଘାଟି ସିଲ କରାଯାଇଛି। ବ୍ୟାରିକେଡ ଲଗାଇ ଉଭୟପଟୁ ଜଗିଛି ପୋଲିସ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।