North Odisha Battles Repeated Floods: ବୈତରଣୀରେ ୪ର୍ଥ ବନ୍ୟା, ପୁଣି ଭାସିଲା ଉତ୍ତର ଓଡ଼ିଶା
ବଢ଼ି ପାଣିର ଭୟଙ୍କର ମାଡ଼। ବନ୍ୟା ଉପରେ ବନ୍ୟା। ବ୍ୟାକ୍ ଟୁ ବ୍ୟାକ୍ ଆଟାକ୍। ବେହାଲ ବାଲେଶ୍ବର। ଭାସୁଛି ଭଦ୍ରକ। ଯାତନା ଭୋଗୁଛି ଯାଜପୁର। ସେପଟେ ନାକେଦମ୍ କେନ୍ଦୁଝର-ମୟୂରଭଞ୍ଜ। ବନ୍ୟାର ଚକ୍ରବ୍ୟୁହରେ ପୂରା ଉତ୍ତର ଓଡ଼ିଶା। ଧନଜୀବନକୁ ବରବାଦ କରୁଛି ବୈତରଣୀ। ଥରେ କି ଦୁଇ ଥର ନୁହେଁ । ଏଥରକୁ ମିଶାଇ ମାସେ ଭିତରେ ଆସିଲାଣି ଚାରି ଚାରିଟି ବନ୍ୟା। ବୁଡ଼ିଛି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକ। ସେପଟେ ସାଳନ୍ଦୀ ବି ଅଶାନ୍ତ। ବିପଦ ସଂକେତ ଉପରେ ଜଳସ୍ତର। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବାବେଳେ ପୂର୍ବରୁ ପାଣି ଘେରରେ ଥିବା ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ମାଡ଼ି ଆସିଛି ବିପଦ। ଗତକାଲି ଅଧରାତିରେ ଗାଁ ଗାଁରେ ପାଣି ପଶିବାରୁ ଏମିତି ସତର୍କ କରିଥିଲା ସ୍ଥାନୀୟ ପ୍ରଶାସନ। ତେବେ ଖାଲି ଭଦ୍ରକ ନୁହେଁ, ବାଲେଶ୍ବରକୁ ବି ଗୋଡ଼ାଇଛି ବନ୍ୟା ବିପତ୍ତି। ଜଳକାରେ ଆସିଛି ସବୁଠୁ ବଡ଼ ବନ୍ୟା। ଆଶ୍ଚର୍ଯ୍ୟଜନକ ଭାବେ ବଢିଛି ଜଳସ୍ତର। ବୁଢାବଳଙ୍ଗ ଓ ଜଳକା ବନ୍ୟାରେ ବସ୍ତା, ସଦର ଓ ରେମୁଣା ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ୧୬୭ଟି ଗାଁରେ ପଶିଛି ବନ୍ୟାପାଣି। ସୁବର୍ଣ୍ଣରେଖା ବି ବେଳକୁ ବେଳ ଡରାଉଛି ।
ଏପଟେ ଯାଜପୁରର ଦୁର୍ଦ୍ଦଶା ବି କିଛି କମ୍ ନୁହେଁ। ବିପଦ ସଂକେତ ଉପରେ ବୈତରଣୀ, ମୁକୁଳା ପଡ଼ିଛି କାଣୀ ନଈ ଘାଇ। ପୁଣିଥରେ ଯାଜପୁର ଓ ଦଶରତପୁର ବ୍ଲକରେ ପଶିଛି ବୈତରଣୀର ବନ୍ୟା ଜଳ। ସପ୍ତମାତୃକା ଓ ଶ୍ରୀଜଗନ୍ନାଥ ଓ ସିଦ୍ଧେଶ୍ୱର ମନ୍ଦିରରେ ପାଣି ପଶି ନୀତିକାନ୍ତି ପ୍ରଭାବିତ ହୋଇଛି। ଆହିୟାସ୍ ବଜାର ଉପରେ ୩ ଫୁଟର ପାଣି ଚାଲିଛି। ସେପଟେ କେନ୍ଦୁଝରରେ ବି ଲଗାଣ ବର୍ଷା ଫଳରେ ବେହାଲ ସ୍ଥିତି ଉପୁଜିଛି । କାନପୁର ଜଳଭଣ୍ଡାରରୁ ଘୁ ଘୁ ହୋଇ ମାଡ଼ିଆସୁଛି ପାଣି। ଜିଲ୍ଲାର ବିଭିନ୍ନ ଅଞ୍ଚଳ ହୋଇଛି ଜଳମଗ୍ନ ।
ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଜଳକା ଓ ବୈତରଣୀରେ ବନ୍ୟା ଆସିଛି | ବର୍ଷା ଛାଡ଼ିଲେ ବି ଆସନ୍ତା ୪ ଦିନ ଯାଏଁ ବନ୍ୟା ଲାଗିରହିବ | ଜଳକାରେ ଐତିହାସିକ ଜଳସ୍ତର ବୃଦ୍ଧି ଘଟିଥିବାବେଳେ ସୁବର୍ଣ୍ଣରେଖାରେ ବି ଛୋଟ ଧରଣର ବନ୍ୟା ଆସିଛି | ସେପଟେ ଏସଆରସି କହିଛନ୍ତି, ସ୍ଥିତିକୁ ଦେଖି ସବୁଠି ପ୍ରଶାସନ ସଜାଗ ରହିଛି। ୧୦ଟି ଓଡ୍ରାଫ୍ ଓ ୭ NDRF ଟିମ ନିୟୋଜିତ ଅଛନ୍ତି। ଗତକାଲି ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ଜଳବନ୍ଦୀ ଜୀବନ ଭିତରେ ଯନ୍ତ୍ରଣା ଭୋଗୁଛନ୍ତି ସଭିଏଁ। ମନ୍ତେଇର ଶାଖା ନଈ ଦାସଡିହ ପାଳ ପାଖରେ ୧୦ ଫୁଟର କୁମ୍ଭୀରକୁ ଦେଖି ଛାନିଆ ହୋଇପଡ଼ିଛନ୍ତି ଲୋକେ। ସେପଟେ ଗେଙ୍ଗୁଟି ନଦୀର ବନ୍ୟାଜଳରେ ଭାସିଯାଇ ଜଣେ ଚାଷୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏସବୁ ଭିତରେ କେବେ ବନ୍ୟା ଦାଉ ସରିବ ଆଉ କେବେ ପାଣି ଘେରରୁ ମୁକ୍ତି ମିଳିବ ତାକୁ ଚାହିଁବସିଛନ୍ତି ଲକ୍ଷ ଲକ୍ଷ ଲୋକେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।