Odisha Records Excess Rainfall: ଜୁଲାଇରୁ ଛାଡୁନି ବର୍ଷା, ଓଡ଼ିଶା ଉପରେ କାହିଁକି ସକ୍ରିୟ ମୁନସୁନ୍ ଟ୍ରାପ୍ ?
ଗତ ୪୦ ବର୍ଷରେ ଏଭଳି ବର୍ଷା କେବେ ଦେଖି ନ ଥିଲେ ରାଉରକେଲା ବାସିନ୍ଦା । ୩୦ ଘଣ୍ଟାରେ ପାଖାପାଖି ୨୦୦ ମିଲିମିଟର୍ । ଗତ ୧୩ ତାରିଖର ଏଭଳି ବାଦଲଫଟା ବର୍ଷାରେ ଉବୁଟୁବୁ ହୋଇ ଯାଇଥିଲା ଷ୍ଟିଲ୍ ସିଟି ରାଉରକେଲା । ଜଳବନ୍ଦୀ ଅବସ୍ଥାକୁ ଆସିଯାଇଥିଲା ପୁରା ସହର । ବୁଡି ଯାଇଥିଲା ଅନେକ ଅଞ୍ଚଳ । ପାଖାପାଖି ମାସେ ଭିତରେ ଦୁଇ ଦୁଇ ଥର ଅତି ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଛନ୍ତି ଏଠାକାର ବାସିନ୍ଦା । ହେଲେ କେବଳ ରାଉରକେଲା ନୁହଁ ପ୍ରକୃତିର ଏହି କରାଳ ରୂପକୁ ସାମ୍ନା କରୁଛି ଉତ୍ତର ଓଡ଼ିଶା । ଗଲା ଦୁଇ ମାସ ଭିତରେ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଅତି ଭୀଷଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି । ଏପରିକି ଉପକୂଳ ଓଡ଼ିଶାରେ ମଧ୍ୟ ଜାରି ରହିଛି ଲଗାଣ ବର୍ଷା । କାହିଁକି ଏଭଳି ବର୍ଷା ଲାଗି ରହିଛି । ରାଜ୍ୟର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା କାହିଁକି ହେଉଛି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ଜୁଲାଇ ପରେ ମୁନସୁନ୍ ଟ୍ରାପ୍ ଏବେ ନିଜର ସ୍ଥାନ ବଦଳାଇ ଓଡ଼ିଶା-ପଶ୍ଚିମବଙ୍ଗ ପାଖରେ ରହୁଛି । ଆଉ ଏହାର ପ୍ରଭାବରେ ବାରମ୍ବାର ଘୂର୍ଣ୍ଣିବଳୟ ଦେଖାଦେବା ସହ ଲଘୁଚାପ କ୍ଷେତ୍ର ସୃଷ୍ଟି ପାଇଁ ଅନୁକୂଳ ପରିବେଶ ରହୁଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଓଡ଼ିଶା ବାୟୁମଣ୍ଡଳରେ ଗତ ଜୁଲାଇରୁ ଏ ପର୍ଯ୍ୟନ୍ତ ଦୁଇ ମାସରେ ୪ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଲାଣି । ଆଉ ଏହା ବର୍ଷାର ପ୍ରଭାବକୁ ଆହୁରି ବଢାଇ ଦେଉଛି ।
ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏଲ୍ ନିନୋ ପ୍ରଭାବରେ ଚଳିତ ମୌସୁମୀରେ ସ୍ବାଭାବିକ ବର୍ଷା ହୋଇ ନ ପାରେ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ । ହେଲେ ଏବେ ସ୍ଥିତି ଓଲଟା । ଜୁନ ମାସକୁ ଛାଡି ଦେଲେ ଗତ ଜୁଲାଇରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଜଳସମ୍ପଦ ବିଭାଗର ତଥ୍ୟ ତଥ୍ୟ ଅନୁସାରେ ଜୁଲାଇ ୩୮ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଅଗଷ୍ଟରେ ବର୍ତ୍ତମାନ ସୁଦ୍ଧା ୧୩ ପ୍ରତିଶତ ଅଧିକ ବର୍ଷା ହୋଇଛି । ହେଲେ ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହୁଛି । ଏଥିଯୋଗୁଁ ଏଠାକାର ଅଧିକାଂଶ ଜଳଭଣ୍ଡାର ଖାଲି ରହୁଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ସେପଟେ ଝାଡଖଣ୍ଡ ଉପରେ ଏକ ଅବପାତ ସକ୍ରିୟା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ବରଗଡ, ସମ୍ବଲପୁର, ସୁନ୍ଦରଗଡ ଓ ଝାରସୁଗଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଅନ୍ୟ ଜିଲ୍ଲାଗୁଡିକୁ ମଧ୍ୟ ଘଡଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ୨୨ ତାରିଖ ବେଳକୁ ବଙ୍ଗୋପସାଗର ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।