North Odisha Faces Fresh Flood Threat: ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ, ଫୁଲୁଛି ସୁବର୍ଣ୍ଣରେଖା

Sep 02, 2026 - 19:59
North Odisha Faces Fresh Flood Threat: ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ, ଫୁଲୁଛି ସୁବର୍ଣ୍ଣରେଖା

ବନ୍ୟାରେ ଆଉଟୁ ପାଉଟୁ ହେଉଛି ଉତ୍ତର ଓଡ଼ିଶା। ଗାଁ ଗଣ୍ଡାରୁ ବନ୍ୟା ପାଣି ଛାଡିନଥିବା ବେଳେ ପୁଣି ସୁବର୍ଣ୍ଣରେଖାରେ ବନ୍ୟା। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜର ୧୩ଟି ଗେଟ୍ ଦେଇ ସୁବର୍ଣ୍ଣରେଖାରେ ପଶୁଛି ବନ୍ୟା ପାଣି। ସଂଧ୍ୟା ବଢିବା ସହ ବଢୁଛି ବନ୍ୟା ଭୟ। ଜଳେଶ୍ବର ବ୍ଲକ୍ ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ବନ୍ୟାପାଣି ୧୧.୬୩ ମିଟର ଉପରେ ପ୍ରବାହିତ ହେଉଛି। ଫଳରେ ଭୋଗରାଇ ବ୍ଲକର ୧୩ଟି ପଞ୍ଚାୟତର ୬୫ଟି ଗାଁ, ବାଲିଆପାଳ ବ୍ଲକର ୬୦ଟି ଓ ଜଳେଶ୍ବର ବ୍ଲକର ୧୨ଟି ଗାଁ ବନ୍ୟା ଘେରକୁ ଚାଲିଆସିଛି। ଅନେକ ଘରେ ପାଣି ପଶିଥିବାରୁ ଦହଗଞ୍ଜ ହେଉଛନ୍ତି ଲୋକେ।

ବାଲେଶ୍ବର ଜିଲ୍ଲାପାଳ ଆଜି ଭୋଗରାଇ ଓ ବାଲିଆପାଳ ବ୍ଲକର ବନ୍ୟାଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେପଟେ ପାୱାର୍ ବୋଟ୍ ନଥିବାରୁ ବାଲିଆପାଳ ବ୍ଲକ୍ ବିଷ୍ଣୁପୁର ପଞ୍ଚାୟତର ନୟାବାଲି ଗାଁରେ ଦୁଇଜଣ ରୋଗୀଙ୍କୁ ଅଗ୍ନିଶମ ବାହିନୀ ସହାୟତାରେ ମେଡିକାଲକୁ ପଠାଯାଇଛି। 

ସେପଟେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଆଜି ରାତି ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ପାଇଁ ସତର୍କର ରାତି। ପାଣି ବଢ଼ିବା ସହ କିଛି ତଳିଆ ଅଞ୍ଚଳରେ ପାଣି ପଶିିବା ନେଇ ସତର୍କ କରାଇଛନ୍ତି। ସୁବର୍ଣ୍ଣରେଖାରେ କାଲି ଯାଏ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେବ। ଅପରାହ୍ନ ପରେ ଧୀରେ ଧୀରେ ପାଣି କମିବ। ରାଜସ୍ବ ମନ୍ତ୍ରୀ କହିଛନ୍ତି ବାଲିଆପାଳ ଏବଂ ଭୋଗରାଇ ବ୍ଲକର ୨୫ଟି ପଞ୍ଚାୟତ ବନ୍ୟା ଘେରରେ ଅଛି। ପ୍ରଶାସନ ଗ୍ରାଉଣ୍ଡ ଜିରୋରେ ଅଛି, ରନ୍ଧା ଖାଦ୍ୟ ଦିଆଯାଉଛି।  

ସେପଟେ ବୈତରଣୀ ନଦୀରେ କ୍ରମାଗତ ବନ୍ୟାରେ ଏବେ ବି ଘାଣ୍ଟି ହେଉଛନ୍ତି ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ ଗାଁର ଲୋକ। ମାସେରୁ ଅଧିକ ସମୟ ଧରି ବନ୍ୟା ଘେରରେ ରହିଛି ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୧୯ଟି ପଞ୍ଚାୟତ। ନଦୀରେ ବାରମ୍ବାର ବନ୍ୟା ଯୋଗୁ ଦଶରଥପରୁ ବ୍ଲକର ପାଟଣାଠାରେ କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ଏବଂ ଖରସ୍ରୋତାର ଶାଖା ନଦୀର ହଳଦୀଢିଅ ଠାରେ ହୋଇଥିବା ଘାଇ ମରାମତି ହୋଇପାରୁନି। ଘାଇ ଦେଇ ସାଇଁ ସାଇଁ ହୋଇ ପାଣି ମାଡ଼ି ଚାଲିଥିବାରୁ ଗାଁ ଗଣ୍ଡା, ଘରଦ୍ବାର ସବୁଆଡେ ପାଣି। ବୈତରଣୀ ବନ୍ୟା ଯୋଗୁ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣୀ, କୁଆଖିଆ ଏବଂ ଆରଡି-ଚାନ୍ଦବାଲି ରାସ୍ତାରେ ବନ୍ୟାପାଣି ଢେଉ ମାରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।