Nuakhai brings Western Odisha Together: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

Sep 14, 2026 - 21:37
Nuakhai brings Western Odisha Together: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ନୂଆଖାଇ। ଇଷ୍ଟଦେବୀଙ୍କୁ ନୂଆ ଅନ୍ନ ଅର୍ପଣ କରିବାର ମୁହୁର୍ତ୍ତ, ଆତ୍ମୀୟଙ୍କ ସହ ଭେଟଘାଟ ହୋଇ ନାଚଗୀତରେ ମଜ୍ଜି ଯିବାର ଅବସର। ଏହି ଗଣପର୍ବ ପାଇଁ ଆଜି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। କାରଣ ରାତି ପାହିଲେ ପାଳିତ ହେବ ନୂଆଖାଇ। ପ୍ରସ୍ତୁତି ଚୁଡ଼ାନ୍ତ। ଦୂରଦୂରାନ୍ତରେ ରହୁଥିବା ଲୋକେ, ଘର ପରିବାର ପାଖରେ ପହଞ୍ଚିଛନ୍ତି। ଯେଉଁ ଚାଷୀର ଝାଳରେ କ୍ଷେତରେ ଫଳିଥିଲା ଫସଲ, ସେହି ଫସଲକୁ ମା’ଙ୍କ ଚରଣରେ ସମର୍ପଣ। ସରିଆ ଧାନ, କୁରେଇ ପତ୍ର, ସାରୁ ଶାଗ, ପନିପରିବା। ପରମ୍ପରା ଅନୁଯାୟୀ ମା’ ସମଲେଶ୍ବରୀଙ୍କ ପାଖରେ ସମର୍ପଣ କରାଯାଇଛି ଆଜି। ମାଟି ପ୍ରତି କୃତଜ୍ଞତା, ଚାଷୀ ପ୍ରତି ସମ୍ମାନ ଓ ମା’ଙ୍କ ଆଶୀର୍ବାଦ ପାଇଁ ମନ୍ଦିର ପୂଜକଙ୍କୁ ଆମ୍ବସରା କଣ୍ଟାପାଲି ଗାଁ ପକ୍ଷରୁ ପ୍ରଦାନ କରାଯାଇଛି ସବୁକିଛି। କାରଣ ଏହି ନୂଆ ଧାନରୁ ଚାଉଳ ଏବଂ ଚାଉଳ ଗୁଣ୍ଡି ପ୍ରସ୍ତୁତ କରାଯିବ। ଏହାପରେ ଆସନ୍ତାକାଲି ଧାର୍ଯ୍ୟ ସମୟ ସକାଳ ୯ଟା ୪୦ରୁ ୯ଟା ୪୫ ମିନିଟ୍ ମଧ୍ୟରେ ମା’ଙ୍କ ନିକଟରେ ନବାର୍ଣ୍ଣ ଲାଗି ହେବ, ପରେ ନୂଆଖାଇବେ ସମସ୍ତେ।

ଦୁଲୁକୁଛି ବଲାଙ୍ଗିର ସହର। ଘଣ୍ଟ ଘଣ୍ଟା, ପଞ୍ଚବାଦ୍ୟରେ କମ୍ପୁଛି ପରିବେଶ। ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରିଛନ୍ତି ବିଭିନ୍ନ ସାଂସ୍କୃତିକ ସଂସଦ ସହ ଅନ୍ୟ ସଂଗଠନ ସଦସ୍ୟ। ଏ ହେଉଛି ପାହୁର ଯାତ୍ରା। ଗଣପର୍ବ ନୂଆଖାଇର ଏକ ଅନନ୍ୟ ପରମ୍ପରା। ଦେବାଦେବୀଙ୍କ ପାଖରେ ନବାନ୍ନ ଲାଗିପାଇଁ ନୂଆ ଶସ୍ୟ, ନୂଆବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଯାଇଛି ପୀଠ ସହ ମନ୍ଦିରକୁ। କାରଣ ନୂଆଖାଇ ଦିନ ସମସ୍ତ ଦେବଦେବୀ ନୂଆବସ୍ତ୍ର ସହିତ ନୂଆ ଅଳଙ୍କାର ଧାରଣ କରିଥାନ୍ତି। ବଲାଙ୍ଗିରର ଇଷ୍ଟଦେବୀ ପାଟଣେଶ୍ବରୀ, ସମଲେଶ୍ବରୀ ଓ ଦୁର୍ଗାଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରକୁ ନବାନ୍ନ ଲାଗିପାଇଁ ପହଞ୍ଚିସାରିଛି ପାହୂର। 

ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରା ଭିତରେ ଗାଁ ମାଟିକୁ ଫେରିଛନ୍ତି ବାହାରେ ରହୁଥିବା ରୋଜଗାରିଆ ପୁଅ ଝିଅ। ଆତ୍ମୀୟଙ୍କ ସହ ଏକାଠି ନୂଆଖାଇବା ପାଇଁ ପହଞ୍ଚିସାରିଛନ୍ତି ସମସ୍ତେ। କାରଣ ରାତି ପାହିଲେ ନୂଆଖାଇ। ଗାଁ ଝାଙ୍କର ଘରକୁ ଘର ଯାଇ ନୂଆ ଧାନ ଦେଇ ଆସିଛନ୍ତି, ଦ୍ୱାରବନ୍ଧରେ କେଣ୍ଡା ଲଗାଇସାରିଛନ୍ତି। ଏ ଝାଙ୍କର ପରମ୍ପରାର ଚିତ୍ର ହେଉଛି ନୂଆପଡ଼ା ଜିଲ୍ଲା ମହୁଲଭଟ୍ଟା ଗାଁର। କ୍ରମେ ହଜିଯାଉଥିବା ଏହି ପରମ୍ପରା ଆଜି ବି ବଞ୍ଚିଛି ମହୁଲଭଟ୍ଟା ସହ ପଶ୍ଚିମ ଓଡ଼ିଶାର କିଛି ଗ୍ରାମାଞ୍ଚଳରେ। 

ନୂଆଖାଇରେ କେବଳ ନୂଆ ଧାନ କି ନୂଆ ଚୁଡ଼ା ନୁହେଁ। ପତ୍ରର ବି ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। କିଏ କୁରେଇ ପତ୍ରରେ ତ ପୁଣି କିଏ ମହୁଲ ପତ୍ରରେ ନୂଆ ଅନ୍ନକୁ ପରଷି ନୂଆ ଖାଇଥାନ୍ତି। ପରମ୍ପରା ସହ ଜଡ଼ିତ ଏହି ପତ୍ର କିଣିବାକୁ ଆଜି ଜମିଥିଲା ହାଟ। ତାହାରି ଭିତରେ ନୂଆ ପୋଷାକ ସହ ଦରକାରୀ ସାମଗ୍ରୀ ପାଇଁ ବି ଦେଖିବାକୁ ମିଳିଥିଲା ଭିଡ଼। ଅପରପକ୍ଷେ ଗରୀବ ଅସହାୟ ଯେମିତି ନୂଆଖାଇରୁ ବାଦ୍ ନପଡ଼ନ୍ତି, ବିଭିନ୍ନ ସଂଗଠନ ପକ୍ଷରୁ ବଢ଼ାଯାଇଥିଲା ସହାୟତାର ହାତ। 

ନୂଆଖାଇ ଏମିତି ଏକ ପର୍ବ, ଯେଉଁଠି ନୂଆ ଅନ୍ନ ସହ ନୂଆ ହୁଏ ମନ, ନୂଆ ହୁଏ ସମ୍ପର୍କ। ଆଉ ନୂଆ ହୁଏ ଜୀବନର ଆଶା। ଏବେ କେବଳ ଅପେକ୍ଷା, ଆସନ୍ତାକାଲିର ମୂହୁର୍ତ୍ତକୁ। ଯେଉଁଠି ନୂଆଖାଇ ସହ ଜମିବ ଜୁହାର ଭେଟର ଆସର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।