Odisha Bandh Sparks Tensions: ବନ୍ଦ ପାଳନ ନା ବଦମାସୀ? ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ହଙ୍ଗାମା
ନିଜର ଦାବି ଓ ପ୍ରତିବାଦ ଜଣାଇବାର ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ଅଛି, ଆନ୍ଦୋଳନ କରିବାର ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ବି ଅଛି। କିନ୍ତୁ ଓଡ଼ିଶା ବନ୍ଦ ନାଁରେ ଆଜି କିଛି ସ୍ଥାନରେ ଯେଭଳି ଆଚରଣ ପ୍ରଦର୍ଶନ କରିଥିଲେ ଇଣ୍ଡି ବ୍ଲକର କିଛି ସଦସ୍ୟ, ମନେ ହେଉଥିଲା ବନ୍ଦ ନାଁରେ ଚଳାଇଥିଲେ ବଦମାସୀ। ବାଲିଗୁଡା ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର। ଧସେଇ ପଶୁଛନ୍ତି କଂଗ୍ରେସ କର୍ମୀ। ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ ସହ କର୍ମଚାରୀଙ୍କୁ ଅଙ୍ଗୁଳି ଦେଖାଇ ଗରମ ଦେଖାଉଛନ୍ତି। ତାସହ ତୁରନ୍ତ କାର୍ଯ୍ୟାଳୟ ଛାଡ଼ି ଚାଲିଯିବାକୁ ଖୋଲା ଧମକ ଦେଉଛନ୍ତି। ଯାହାକୁ ନେଇ କିଛି ସମୟ ପାଇଁ ଉପୁଜିଥିଲା ଉତ୍ତେଜନାମୂଳକ ପରିସ୍ଥିତି। ସେହିପରି ମୁନିଗୁଡ଼ା ବ୍ଲକ ଅମ୍ବାଦଳାର। ରାସ୍ତାରୋକ ତ କଲେ, ସରକାରୀ ଅଫିସକୁ ଅନଧିକୃତ ଭାବେ ପଶି ବନ୍ଦ କଲେ। ଅମ୍ବାଦଳାରେ ହାଇସ୍କୁଲକୁ ବନ୍ଦ ସହ ପ୍ରଧାନ ଶିକ୍ଷକଙ୍କୁ ଓଡ଼ିଶା ବନ୍ଦରେ ସହଯୋଗ ଲୋଡ଼ିଥିଲେ ଏଭଳି ଭାବେ।
ଆନ୍ଦୋଳନକାରୀଙ୍କ ସମାନ ଆଚରଣ ଥିଲା ବଲାଙ୍ଗିର ସହରରେ। ଆଜି ବନ୍ଦ ଡାକରା ସତ୍ତ୍ବେ କୋଶଲ ଛକ ନିକଟ ଏକ ଘରୋଇ ବ୍ୟାଙ୍କ ଖୋଲା ଥିଲା। ଆଉ ତାକୁ ନେଇ ଅସନ୍ତୁଷ୍ଟ ଆନ୍ଦୋଳନକାରୀ ବ୍ୟାଙ୍କ ଭିତରକୁ ପଶିଯାଇଥିଲେ। ଯାହାକୁ ନେଇ ଉପୁଜିଥିଲା ଯୁକ୍ତିତର୍କ, ହୋହଲ୍ଲା, ପାଟିତୁଣ୍ଡ। ଏପରିକି ବ୍ୟାଙ୍କ ବନ୍ଦ ନକଲେ ବ୍ୟାପକ ଭଙ୍ଗାରୁଜା ପାଇଁ ଦିଆଯାଇଥିଲା ଖୋଲା ଧମକ। ସେହିପରି ଶାନ୍ତିପଡ଼ା ସ୍ଥିତ ମଣପୁରମ୍ ବ୍ୟାଙ୍କରେ ପଶି ଗେଟକୁ ଧରି ଏଭଳି ହଲାପଟା କରିଥିଲେ କଂଗ୍ରେସ ଧ୍ବଜାଧାରୀ। ଶେଷରେ ବାଜିଲା ସାଇରନ୍ ଆନ୍ଦୋଳନକାରୀଙ୍କ ଜିଦ୍ ରହିଲା, ଜନ ସାଧାରଣଙ୍କ ଆର୍ଥିକ ଦେଣନେଣର କାରବାର କରୁଥିବା ବ୍ୟାଙ୍କ ଆଜି ପାଇଁ ବନ୍ଦ ରହିଲା। କେବଳ ବଲାଙ୍ଗିର ନୁହଁ, ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନରେ ବି ଦବଦବା ଦେଖାଇଥିଲେ ଆନ୍ଦୋଳନକାରୀ।
ଆନ୍ଦୋଳନ ପାଇଁ ଯେମିତି ଅଧିକାର ଅଛି, ସେମିତି ନିଜ କାମକୁ ଯିବା, ବ୍ୟବସାୟ କରିବା ଓ ନିର୍ଭୟରେ ଯାତାୟାତର ଅଧିକାର ଜନସାଧାରଣଙ୍କର ମଧ୍ୟ ରହିଛି। ତେବେ ବନ୍ଦ ନାଁରେ ଏଭଳି ଆଚରଣ କେତେ ଯୁକ୍ତିଯୁକ୍ତ ? ତାହା ବିଚାର ନକରି କଂଗ୍ରେସର ଦାବି, ଓଡ଼ିଶା ବନ୍ଦ ସଫଳ ହୋଇଛି। ଏହାସହ ବିଜେଡି ଆଜି ବନ୍ଦ ପାଳନରେ ସାମିଲ ହୋଇନଥିଲେ ବି ପରୋକ୍ଷରେ କିନ୍ତୁ ଇଣ୍ଡି ବ୍ଲକ ସହ ସ୍ବର ମିଶାଇ କହିଛି, ପ୍ରତିବାଦ କରିବା ପ୍ରତ୍ୟେକ ରାଜନୈତିକ ଦଳର ଅଧିକାର। ସେହି ଅନୁସାରେ ସେମାନେ ତାଙ୍କର ପ୍ରତିବାଦ କରୁଛନ୍ତି। ଆମର ଲକ୍ଷ୍ୟ CEC ଜ୍ଞାନେଶ କୁମାରଙ୍କୁ ହଟାଇବା ଏବଂ MMDR ପ୍ରତ୍ୟାହାର। ତେବେ ବିଜେପି କହିଛି, ବନ୍ଦର କୌଣସି ପ୍ରଭାବ ପଡ଼ିନି କି ଲୋକେ ଗ୍ରହଣ କରିନାହାଁନ୍ତି। କଂଗ୍ରେସ ନିଜ ସ୍ଥିତି ଜାହିର୍ ପାଇଁ ବନ୍ଦ ପାଳନ କରିଛି।
ତେବେ ବଳ ପ୍ରୟୋଗ କରି ଏଭଳି ବନ୍ଦ ପାଳନ ଭିତରେ ସେହି ସମ୍ବଲପୁର ସହ ରାଉରକେଲାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ସମ୍ବଲପୁରରେ ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ଦେଇ ବନ୍ଦକୁ ସଫଳ ପାଇଁ ନିବେଦନ କରିବାକୁ ଆସିଥିଲେ ମହିଳା କଂଗ୍ରେସ। ସେହିପରି ରାଉରକେଲାରେ ଫୁଲ ଦେଇ ଜନସାଧାରଣଙ୍କୁ ବନ୍ଦ ପାଳନ ପାଇଁ ସମର୍ଥନ ଲୋଡ଼ିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।