Odisha-Born Model Shubham Kumar Das Reaches Forbes: ଆମେରିକା ରାମ୍ପରେ ଓଡ଼ିଆ ପୁଅ, ଫୋର୍ବସ୍ରେ ଚମକିଲେ ଶୁଭମ କୁମାର ଦାସ
ଓଡ଼ିଶାରୁ ଆମେରିକା, ଆଉ ସେଠାରୁ ନ୍ୟୁୟର୍କ ଫ୍ୟାଶନ୍ ୱିକ୍। ଏବେ ଅନ୍ତର୍ଜାତୀୟ ଫ୍ୟାଶନ୍ ମଞ୍ଚରେ ଚର୍ଚ୍ଚାରେ ଓଡ଼ିଆ ମଡେଲ୍ ଶୁଭମ କୁମାର ଦାସ। ଆମେରିକାର ଚିକାଗୋରେ ରହୁଥିବା ଶୁଭମଙ୍କ ନ୍ୟୁୟର୍କ ଫ୍ୟାଶନ୍ ୱିକ୍ର ରନ୍ୱେ ଲୁକ୍କୁ ଫୋର୍ବସ୍ର ଏକ ବିଶେଷ ଫ୍ୟାଶନ୍ କଭରେଜ୍ରେ ସ୍ଥାନ ମିଳିଛି।
ସେପ୍ଟେମ୍ବର ୧୨, ୨୦୨୬ରେ ଡାଏନା ମହରାଚ୍ କୋଚର୍ ପାଇଁ ଶୁଭମ ପ୍ରଥମ ଥର ନ୍ୟୁୟର୍କ ଫ୍ୟାଶନ୍ ୱିକ୍ର ରନ୍ୱେରେ ଚାଲିଥିଲେ। ଏହି ସମୟରେ ଅଳଙ୍କୃତ କେପ୍ ପିନ୍ଧିଥିବା ତାଙ୍କ ଫଟୋ ଫୋର୍ବସ୍ର ‘ଦ ମୋଷ୍ଟ ୱେରେବଲ୍ ଫ୍ୟାଶନ୍ ଲୁକ୍ସ ଫ୍ରମ୍ ଏନ୍ୱାଇଏଫ୍ଡବ୍ଲ୍ୟୁ ଏସ୍ଏସ୍୨୭, ୱିକ୍ ୧’ ରାଉଣ୍ଡଅପ୍ରେ ପ୍ରକାଶ ପାଇଛି।
ଶୁଭମଙ୍କ ଯାତ୍ରା କେବଳ ମଡେଲିଂରେ ସୀମିତ ନୁହେଁ। କଟକରେ ଜନ୍ମ ହୋଇଥିବା ଶୁଭମ ଓଡ଼ିଶାର ଏସ୍ଭି ନିର୍ତାରରେ ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ ପଢ଼ିଥିଲେ ଏବଂ ଶିକ୍ଷାରେ ଉତ୍କର୍ଷ ଦେଖାଇଥିଲେ। ପରେ ଆମେରିକାର ଇଲିନୟ ଷ୍ଟେଟ୍ରେ ଥିବା ୟୁନିଭର୍ସିଟି ଅଫ୍ ଇଲିନୟ ଅର୍ବାନା-ଚାମ୍ପେନ୍ର ଗିସ୍ କଲେଜ୍ ଅଫ୍ ବିଜନେସ୍ରୁ ମାଷ୍ଟର୍ ଅଫ୍ ସାଇନ୍ସ ଇନ୍ ମ୍ୟାନେଜମେଣ୍ଟ କରି ୨୦୨୩ରେ ୪ରୁ ୩.୮୧ ଜିପିଏ ସହ ଉତ୍ତୀର୍ଣ୍ଣ ହୋଇଥିଲେ।
ପାଠପଢ଼ା ସହ ମଡେଲିଂ ପ୍ରତି ତାଙ୍କ ଆଗ୍ରହ ମଧ୍ୟ ଜାରି ରହିଥିଲା। ୟୁଟ୍ୟୁବ୍ରୁ ନିଜେ ମଡେଲିଂ ଶିଖିବା ସହ ୨୦୧୭ରେ ପ୍ରଥମ ମାଗାଜିନ୍ କଭର୍ ଡେବ୍ୟୁ କରିଥିଲେ। ପ୍ରାୟ ତିନି ବର୍ଷ ମଡେଲିଂରୁ ବିରତି ନେବା ପରେ ୨୦୨୫ ନଭେମ୍ବରରେ ଚିକାଗୋରେ ପୁଣି ଏହି କ୍ଷେତ୍ରକୁ ଫେରିଥିଲେ।
ବର୍ତ୍ତମାନ ଶୁଭମ ଆମେରିକାର ପାଞ୍ଚଟି ରାଜ୍ୟରେ ପାଞ୍ଚଟି ମଡେଲିଂ ଏଜେନ୍ସି ସହ ଯୋଡ଼ି ହୋଇଛନ୍ତି। ଚିକାଗୋର ଏକ ଫ୍ୟାଶନ୍ ଶୋ’ରେ ୪୦୦ରୁ ଅଧିକ ମଡେଲ୍ ଅଡିସନ୍ ଦେଇଥିବା ବେଳେ ଚୟନ ହୋଇଥିବା ମାତ୍ର ୩ ଜଣ ପୁରୁଷ ମଡେଲ୍ଙ୍କ ମଧ୍ୟରେ ଶୁଭମ ଥିଲେ। ପରେ ଚାରିଟି ଲାଇଭ୍ ଟେଲିଭିଜନ୍ ଫ୍ୟାଶନ୍ ସେଗମେଣ୍ଟରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି।
ଫୋର୍ବସ୍ରେ ନିଜ ଫଟୋ ଦେଖିବା ମୁହୂର୍ତ୍ତକୁ ନେଇ ଶୁଭମ କହିଛନ୍ତି, ଚିକାଗୋରେ ଅଫିସ୍ କାମ କରୁଥିବା ସମୟରେ ଜଣେ ବନ୍ଧୁ ମେସେଜ୍ କରି କହିଥିଲେ, ‘ଶୁଭମ, ତୁମେ ଫୋର୍ବସ୍ରେ ଅଛ।’ ଲିଙ୍କ୍ ଖୋଲି ନିଜକୁ ଦେଖି ସେ ଏବେ ବି ଏହି ସଫଳତାକୁ ଅନୁଭବ କରୁଥିବା କହିଛନ୍ତି।
ଶୁଭମଙ୍କ ପରିବାର ଏବେ ବି କଟକରେ ରହୁଛନ୍ତି। ଦାୟିତ୍ୱକୁ ଗୁରୁତ୍ୱ ଦେବା ସହ ନିଜ ପସନ୍ଦର କାମ ପାଇଁ ମଧ୍ୟ ସମୟ ବାହାର କରିବା ଦରକାର ବୋଲି ସେ କହିଛନ୍ତି। ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ନ୍ୟୁୟର୍କ ଫ୍ୟାଶନ୍ ୱିକ୍ ଓ ଫୋର୍ବସ୍ର ଅନ୍ତର୍ଜାତୀୟ ମଞ୍ଚରେ ନୂଆ ପରିଚୟ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।