Odisha Cabinet Approves 10 Proposals: ୧୦ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ପେପରଲେସ୍ ହେବ ସରକାରୀ ଅଫିସ୍
ରାଜ୍ୟ କ୍ୟାବିନେଟରେ ୬ଟି ବିଭାଗର ୧୦ଟି ପ୍ରସ୍ତାବ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି। ସରକାରୀ କାର୍ଯ୍ୟକୁ ଅଧିକ ଡିଜିଟାଲ କରିବା ଲକ୍ଷ୍ୟରେ OSWAS-2.0 କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସ୍ କାର୍ଯ୍ୟକୁ ପେପରଲେସ୍ କରିବାକୁ ପ୍ରସ୍ତାବ ପାରିତ ହୋଇଛି।
ସେହିପରି ସେମିକଣ୍ଡକ୍ଟର ନୀତିର ତୃତୀୟ ସଂଶୋଧନକୁ ମଞ୍ଜୁରୀ ମିଳିଛି। ISM 2.0 ସହ ସମନ୍ୱୟ ରଖି ସେମିକଣ୍ଡକ୍ଟ ନିର୍ମାଣକୁ ପ୍ରୋତ୍ସାହନ ଦିଆଯିବ। ଯୋଗ୍ୟ ପୁଞ୍ଜି ଖର୍ଚ୍ଚର ୨୫% ଅତିରିକ୍ତ ସହାୟତା ବହନ କରିବ ରାଜ୍ୟ ସରକାର। ଓଡ଼ିଶା ଅକ୍ଷୟ ଶକ୍ତି ନୀତି (OREP)-୨୦୨୨ରେ ସଂଶୋଧନକୁ ଅନୁମୋଦନ ମିଳିଛି। ଏହାସହ ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହି ପ୍ରକଳ୍ପରେ ୫ ବର୍ଷରେ ପ୍ରାୟ ୧୨ ହଜାର ୪୫୮ କୋଟି ଟଙ୍କା ଖର୍ଚ୍ଚ ହେବ।
ଅସହାୟ ଶିଶୁଙ୍କ ପାଇଁ ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଜାରି ରହିବ। ଏହି ଦୁଇ ଯୋଜନା ପାଇଁ ୨୯୬.୯୯ କୋଟି ଟଙ୍କା କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିସହ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’କୁ ଆଉ ୫ ବର୍ଷ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ଜଳାଶୟ ଓ କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପ ପାଇଁ ୩୮୯ କୋଟି ଟଙ୍କାର ବ୍ୟୟକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।