Odisha Campus Elections Heat Up: ନାମାଙ୍କନ ପୂର୍ବରୁ ଚାଲିଛି କସରତ, କିଏ ହେବ ଜେନ୍‌-ଜିଙ୍କ ନେତା ?

Oct 07, 2026 - 20:05
Odisha Campus Elections Heat Up: ନାମାଙ୍କନ ପୂର୍ବରୁ ଚାଲିଛି କସରତ, କିଏ ହେବ ଜେନ୍‌-ଜିଙ୍କ ନେତା ?

ବିଗୁଲ୍ ବାଜିଲା, କ୍ୟାମ୍ପସ କମ୍ପିଲା। ଛାତ୍ର ସଂସଦ ନିର୍ବାଚନର ଆଜି ବାହାରିଲା ବିଜ୍ଞପ୍ତି। ଦିନକ ପରେ ନାମାଙ୍କନ। ତାପୂର୍ବରୁ ଆଶାୟୀଙ୍କ ଭିତରେ ଜୋରସୋର ହେଲାଣି ଘମାସାନ। କିଏ ପାଇବ ଟିକେଟ୍ ? କାହାକୁ କିଏ କରିବ ପ୍ରାର୍ଥୀ ? ଆଉ କିଏ ହାତେଇବ ଛାତ୍ରଛାତ୍ରୀଙ୍କ ଭରସା ? ପ୍ରତିଟି କ୍ୟାମ୍ପରେ ଚାଲିଛି ଅଙ୍କକଷା। ରେଭେନ୍ସାରୁ ଉତ୍କଳ, ରମାଦେବୀରୁ ଫକୀରମୋହନ...ବଲାଙ୍ଗୀରରୁ ଭୁବନେଶ୍ୱର...ଯେଉଁଠି ଦେଖିବେ, ସେଠି ନିର୍ବାଚନୀ ମାହୋଲ। ନୋଟିଫିକେସନ୍ ପ୍ରକାଶ ପାଇବା ପରେ ଏବେ ସାରା ଓଡ଼ିଶାର କଲେଜ କ୍ୟାମ୍ପସରେ ଉଷ୍ମତା। ନେତା ବଳ କଷୁଛନ୍ତି, ଆଉ କ୍ୟାମ୍ପେନିଂ ପାଇଁ ପାଗ ଭୁଡୁଛନ୍ତି ଛାତ୍ର ସଂଗଠନ। ଦୀର୍ଘ ଆଠ ବର୍ଷ ପରେ କାନ୍ଥ-ବାଡ଼ରେ ପୁଣି ଲାଗିଲାଣି ପୋଷ୍ଟର, ବ୍ୟାନର। ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍ ବି ଜମିଲାଣି। ହ୍ବାଟସଆପ୍ ଗ୍ରୁର ଜରିଆରେ ସହଯୋଗ ଲୋଡୁଛନ୍ତି ଆଶାୟୀ ପ୍ରାର୍ଥୀ। ଆଶାୟୀ ନେତାଙ୍କ ଗଣିତ, ସମୀକରଣ ଓ ସୋ ଅଫରେ ଗରମାଗରମ ହେଲାଣି କ୍ୟାମ୍ପସ। ଏଥର ଲଢ଼େଇ କେବଳ ଭୋଟର ନୁହେଁ, ଏ ଲଢ଼େଇ ହେଉଛି ଜେନ୍-ଜିର ମନ ଜିଣିବାର। ସେଥିପାଇଁ ଛାତ୍ର ସଂଗଠନ ବିସିଜେଡି, ଏନ୍ଏସୟୁଆଇ ଓ ଏବିଭିପି ମଧ୍ୟରେ ଚାଲିଛି ପ୍ରତିଯୋଗିତା।

ଗୋଟିଏ ପଟେ ନିର୍ବାଚନୀ ଉତ୍ସାହ, ଅନ୍ୟପଟେ ଗଣ୍ଡଗୋଳିଆ ସ୍ଥିତି ବି କିଛି କିଛି ସ୍ଥାନରେ ଦେଖିବାକୁ ମିଳିଛି। ଆଜି ପୁଇଁତଳାରେ ଥିବା ବଲାଙ୍ଗିର ସରକାରୀ କଲେଜରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଅଣଛାତ୍ର ପ୍ରବେଶକୁ ନେଇ ବିଜେଡି-ABVP ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ହୋଇଥିଲା। ବାଲେଶ୍ବର ଫକୀରମୋହନ କଲେଜରେ ସାମନାକୁ ଆସିଛି ଛାତ୍ର ବିଜେଡ଼ିର ଗୋଷ୍ଠୀ କନ୍ଦଳ। ଅଫିସିଆଲ ବିସିଜେଡିର କିଏ ହେବ ପ୍ରାର୍ଥୀ ତାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହିପରି ନୀଳଗିରି କଲେଜରେ NSUI ପକ୍ଷରୁ ଲାଗିଥିବା ପୋଷ୍ଟରକୁ ଚିରିଦେବାକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। 

କ୍ୟାମ୍ପସରେ କିଭଳି ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସରିବ ତା ଉପରେ ଦିଆଯିଆଇଛି ଗୁରୁତ୍ବ। ରାଜଧାନୀ ଭୁବନେଶ୍ବରରେ ୧୩ ଟି କଲେଜରେ ନିର୍ବାଚନ ହେଉଥିବା ବେଳେ ସମସ୍ତଙ୍କ ନଜର ରହିଛି ଉତ୍କଳ ବିଶ୍ବବିଦ୍ୟାଳୟର ଉପରେ। ଅଣ ଛାତ୍ର ପ୍ରବେଶ ରୋକିବା ସହ କୌଣସି ପ୍ରକାର ହିଂସାକାଣ୍ଡ ରୋକିବା ପାଇଁ ପୁରା କ୍ୟାମ୍ପସରେ ୧୫୦ରୁ ଅଧିକ ସିସିଟିଭି ଲଗାଯିବ। ଡିସିପିଙ୍କ ନିର୍ଦ୍ଦେଶରେ କ୍ୟାମ୍ପସରେ ପଇଁତରା ମାରୁଛି ପୋଲିସ । 

୯ ତାରିଖରେ ନାମାଙ୍କନ ଦାଖଲ ପରେ ସେହିଦିନ ୫ଟା ବେଳକୁ ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା। ୧୦ ତାରିଖ ସକାଳ ୧୦ଟାରୁ ଗୋଟାଏ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ୩ଟା ବେଳେକୁ ଆସିବ ଚୁଡାନ୍ତ ପ୍ରାର୍ଥୀ ଲିଷ୍ଟ। ୧୪ରେ ହ୍ବାଇ ଆ ଷ୍ଟାଣ୍ଡ ଫର ମିଟିଂ ଓ ୧୫ ତାରିଖରେ ହେବ ଭୋଟ। ସେହିଦିନ ରେଜଲ୍ଟ ଓ ୧୬ରେ ଶପଥ ନେବେ ନିର୍ବାଚିତ ଛାତ୍ର ନେତା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।