Odisha Campus Polls: ଛାତ୍ର ସଂସଦ ନିର୍ବାଚନ ପାଇଁ ଜୋରଦାର କ୍ୟାମ୍ପେନ; ଭୋଟ୍ ହାତେଇବାକୁ ହାଇପ୍ରୋଫାଇଲ ପ୍ରଚାର
ଛାତ୍ର ସଂସଦ ନିର୍ବାଚନରେ ଧଜିଆ ଉଡୁଛି ନିୟମର। ଲିଙ୍ଗଡୋ କମିସନ୍ ଗାଇଡ୍ ଲାଇନ୍ ଯେମିତି ପ୍ରହସନ ପାଲଟିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବ୍ୟାନର, ପୋଷ୍ଟର ଓ ଭୋଜିଭାତରେ। କିନ୍ତୁ ନା ଉଚ୍ଚଶିକ୍ଷା ବିଭାଗ ନା କଲେଜ କର୍ତ୍ତୃପକ୍ଷ, କାହାରି ଯେମିତି ନିଘା ନାହିଁ। ଅନ୍ୟପଟେ କ୍ୟାଂପସ୍ ଭୋଟକୁ ଖୁବ୍ କମ୍ ଦିନ ଥିବାରୁ ଛୁଟିରେ ବି ପ୍ରଚାରକୁ ଜୋରଦାର କରିଛନ୍ତି ହାଇପ୍ରୋଫାଇଲ ନେତା ଓ ପ୍ରାର୍ଥୀ।
ନିୟମ ନିୟମ ବାଟରେ। ପ୍ରଚାର ପ୍ରଚାର ବାଟରେ। ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗଡୋ କମିସନ୍ ନିୟମର ଉଡୁଛି ଧଜିଆ। ବ୍ୟାନର ପୋଷ୍ଟରରେ ଛାଇ ଗଲାଣି କ୍ୟାମ୍ପସ। ଖାଇବା ପିଇବା ଭାସୁଛି। ଲିଙ୍ଗଡୋ କମିସନ୍ ନିୟମ ଅନୁଯାୟୀ କ୍ୟାମ୍ପସରେ ପ୍ରିଣ୍ଟିଂ ବ୍ୟାନର ଲଗାଇ ପାରିବେ ନାହିଁ ପ୍ରାର୍ଥୀ। କିନ୍ତୁ ଦେଖନ୍ତୁ କେମିତି ବିଶାଳ ବିଶାଳ ବ୍ୟାନରରେ ଛାଇ ଯାଇଛି କଲେଜ ପରିସର। ଉତ୍କଳରୁ ରମାଦେବୀ ଆଉ ମହର୍ଷି କଲେଜ ସବୁଠି ଲାଗିଛି ବଡ ବଡ ବ୍ୟାନର ଆଉ ପୋଷ୍ଟର। ଆଉ ଖାଇବା ପିଇବା ଆସର କଥା ନକହିବା ଭଲ। ଚିକେନ୍ ମଟନ ସାଙ୍ଗକୁ ଗୁପ୍ ଚୁପ୍ ଚାଟ।
ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ଏଆଇ ଭିଡିଓ ଉପରେ କଟକଣା ଥିବା ସତ୍ତ୍ୱେ କିଛି ଛାତ୍ର ସଂଗଠନ AI ବ୍ୟବହାର କରି ପ୍ରତିପକ୍ଷକୁ ଟାର୍ଗେଟ କରିଛନ୍ତି। ଏସବୁ ଦେଖିଲେ ଲାଗୁଛି ୫ ହଜାର ଟଙ୍କାର ନିର୍ବାଚନ ଖର୍ଚ୍ଚ ସତେ ଯେମିତି ଧର୍ମକୁ ଆଖି ଠାର। ରାଜ୍ୟର ପ୍ରାୟ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଏଭଳି ସ୍ଥିତି। ଖାଲି ସେତିକି ନୁହେଁ ସବୁ କ୍ୟାଂପସରେ ରାଜନୈତିକ ଦଳର ବଡ଼ ନେତାମାନେ ଡେରା ପକାଇ ବସିଛନ୍ତି।
ସେପଟେ ଭୋଟ୍ ପାଇଁ ମଝିରେ ଆଉ ମାତ୍ର ୩ ଦିନ ଥିବାରୁ ଛୁଟିରେ ବି ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ। ସୋସିଆଲ୍ ମିଡିଆରେ ପର୍ସନାଲ୍ ମେସେଜ କରି ପ୍ରାର୍ଥୀ ଭୋଟ୍ ଭିକ୍ଷା କରୁଛନ୍ତି। ସେହିପରି ବିଭିନ୍ନ ପେଜରେ ନିଜ ପାଇଁ ପ୍ରଚାର କାର୍ଡ ପୋଷ୍ଟ ମଧ୍ୟ କରୁଛନ୍ତି। ସେପଟେ ବାଲେଶ୍ବରରେ କ୍ୟାମ୍ପସ ବାହାରେ ଏକ ମଣ୍ଡପରେ ଏବିଭିପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ବିଧାୟକ ମାନସ ଦତ୍ତ।
ଭଦ୍ରକରେ ବି ପ୍ରଚାର ଜୋର୍ ଧରିଛି। ମେସ, ହଷ୍ଟେଲ ସହିତ ଡୋର୍ ଟୁ ଡୋର୍ କ୍ୟାଂପେନିଂ କରୁଛନ୍ତି ପ୍ରାର୍ଥୀ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ବି ପ୍ରଚାରକୁ ବେଗ ଦେଇଛନ୍ତି ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ।
ଏହାରି ଭିତରେ ଆଜି ପିପିଲି ଅଞ୍ଚଳରେ ବିଜେବି କଲେଜର ଗୋଟିଏ ଗୋଷ୍ଠୀ ଭୋଜି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ପୋଲିସ ପହଂଚି ଘଟଣାର ତଦନ୍ତ କରୁଥିବାବେଳେ କଲେଜରେ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ବାଣୀବିହାରରେ ସୋସିଆଲ୍ ମିଡିଆ ଆକ୍ଷେପ ନେଇ ଲେଡିଜ୍ ହଷ୍ଟେଲ୍ ଆଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଦେଖିବାର କଥା କ୍ୟାମ୍ପସ ନିର୍ବାଚନ କେତେ ଶୃଙ୍ଖଳିତ ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।