Odisha Child Labour: ୨୦୨୯ ସୁଦ୍ଧା ଓଡ଼ିଶାରୁ ଶିଶୁ ଶ୍ରମିକ ଶୂନ୍ୟ ହେବ: ଶ୍ରମମନ୍ତ୍ରୀ

Nov 07, 2026 - 22:44
Odisha Child Labour: ୨୦୨୯ ସୁଦ୍ଧା ଓଡ଼ିଶାରୁ ଶିଶୁ ଶ୍ରମିକ ଶୂନ୍ୟ ହେବ: ଶ୍ରମମନ୍ତ୍ରୀ

ଭୁବନେଶ୍ୱର: ୨୦୨୯ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଆସନ୍ତା୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ସଫଳ ରୂପାୟନ ଉପରେ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଗୁରୁତ୍ୱାରୋପ କରିଛନ୍ତି।

ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, କଲ୍ୟାଣକାରୀ ଯୋଜନାରେ ସେମାନଙ୍କୁ ସାମିଲ, କାର୍ଯ୍ୟସ୍ଥଳୀ ଯାଞ୍ଚ ଏବଂ ଶ୍ରମ ବିଭାଗର କାର୍ଯ୍ୟାଳୟ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ସହ ଶ୍ରମିକଙ୍କ ଅଧିକାର ସୁରକ୍ଷା ଓ କଲ୍ୟାଣକାରୀ ସେବାର ସୁବିଧା ସୁନିଶ୍ଚିତ କରିବା ପାଇଁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଓ ଦୃଢ଼ ତଦାରଖ ବ୍ୟବସ୍ଥା ଉପରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଜୋର ଦେଇଛନ୍ତି।

ଆଜି ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଶ୍ରମ ନିର୍ଦ୍ଦେଶାଳୟର କ୍ଷେତ୍ରୀୟ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଅଧ୍ୟକ୍ଷତା କରି ଏହି ଦିଗଦର୍ଶନ ଦେଇଛନ୍ତି।

Advertisment ବୈଠକରେ ଶ୍ରମିକ କଲ୍ୟାଣ, ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ, ଦାଦନ ଶ୍ରମିକ ସମସ୍ୟାର ନିରାକରଣ, ଶ୍ରମ ବିଭାଗର କାର୍ଯ୍ୟାଳୟ ନିର୍ମାଣ, PAReSHRAM ପୋର୍ଟାଲ୍ ଓ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ର କାର୍ଯ୍ୟକାରିତା ସମେତ ବିଭିନ୍ନ ଶ୍ରମ ଆଇନ ଓ କଲ୍ୟାଣକାରୀ ବୋର୍ଡର କାର୍ଯ୍ୟ ସମୀକ୍ଷା କରାଯାଇଥିଲା।

ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ବୈଠକ ଏବଂ ନିର୍ଦ୍ଧାରିତ ସମୟରେ ଅଗ୍ରଗତି ରିପୋର୍ଟ ଦାଖଲ ମାଧ୍ୟମରେ ତଦାରଖ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଯୁଗ୍ମ ଶ୍ରମ କମିସନରମାନେ (JLC) ପ୍ରତି ମାସ ୭ ତାରିଖରେ ପ୍ରଭାଗୀୟ ଶ୍ରମ କମିସନର (DLC) ଓ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କ (DLO) କାର୍ଯ୍ୟ ସମୀକ୍ଷା କରିବେ।

ସେହିପରି, ଡିଏଲ୍‌ସିମାନେ ପ୍ରତି ମାସ ୪ ତାରିଖରେ ଡିଏଲ୍‌ଓମାନଙ୍କର ଏବଂ ଡିଏଲ୍‌ଓମାନେ ପ୍ରତି ମାସ ୨ ଓ ୧୭ ତାରିଖରେ ସହକାରୀ ଶ୍ରମ ଅଧିକାରୀ (ALO) ଓ ନିରୀକ୍ଷକମାନଙ୍କ କାର୍ଯ୍ୟ ସମୀକ୍ଷା କରିବେ।

ଆଜିର କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଡୋଡ୍ଡା ଭେଙ୍କଟ ସ୍ୱାମୀ, ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ପ୍ରଭାଗୀୟ ଶ୍ରମ କମିସନର ଓ ଜିଲ୍ଲା ଶ୍ରମ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।