Odisha Colleges May Change Canteen Menus: ବଦଳିବ କଲେଜ କ୍ୟାଣ୍ଟିନ ମେନୁ, ଉଚ୍ଚଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶ
ବଦଳିବ କଲେଜ କ୍ୟାଣ୍ଟିନ ଖାଦ୍ୟ ତାଲିକା । ମେନୁରୁ ହଟିବ ପୁରି, ବରା, ଆଳୁଚପ ଭଳି ତେଲିଆ ଖାଦ୍ୟ । ଖାଇବା ତେଲ ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆଧାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପର ଅଂଶବିଶେଷ। ଏଥିରେ କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍ ରେ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବା ସହ ଛାତ୍ରଛାତ୍ରୀଙ୍କ ଖାଦ୍ୟାଭ୍ୟାସରେ ଅଧିକ ତେଲ ବ୍ୟବହାର ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଚିଠିରେ ଦର୍ଶାଯାଇଛି ଯେ, କୋଭିଡ୍ ମହାମାରୀ ପରଠାରୁ ବିଶ୍ୱ ବାରମ୍ବାର ଯୋଗାଣ ଶୃଙ୍ଖଳାରେ ବାଧା ଏବଂ ବିଭିନ୍ନ ସଙ୍କଟର ସମ୍ମୁଖୀନ ହେଉଛି। କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍ ଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତି ସମୟରେ ତେଲର ବ୍ୟବହାର ଯଥାସମ୍ଭବ କମାଇବାକୁ କୁହାଯାଇଛି। ବିଶେଷକରି ଜଳଖିଆ ମେନୁରେ ଅଧିକ ତେଲ ଆବଶ୍ୟକ ହେଉଥିବା ପୁରି, ବରା ଓ ଆଳୁଚପ ଭଳି ଖାଦ୍ୟକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି।
ଛାତ୍ରଛାତ୍ରୀଙ୍କ ପୁଷ୍ଟି ଓ ଖାଦ୍ୟର ଗୁଣବତ୍ତା ସହ ସାଲିସ ନକରି ଡିପ୍ -ଫ୍ରାଏଡ୍ ଖାଦ୍ୟର ପରିମାଣ କମାଇବାକୁ ମଧ୍ୟ କୁହାଯାଇଛି। ଅର୍ଥାତ୍ ତେଲ ବ୍ୟବହାର କମାଇବା ସହିତ ଛାତ୍ରଛାତ୍ରୀଙ୍କ ଆବଶ୍ୟକ ପୁଷ୍ଟି ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।