Odisha Durga Puja Pandals Blend Stunning Art: ମଣ୍ଡପ ସାଜସଜ୍ଜାରେ ସାମାଜିକ ବାର୍ତ୍ତା, ଓଡ଼ିଶାରେ ଝଲସୁଛି ଅନନ୍ୟ କଳାକୃତି

Oct 19, 2026 - 21:03
Odisha Durga Puja Pandals Blend Stunning Art: ମଣ୍ଡପ ସାଜସଜ୍ଜାରେ ସାମାଜିକ ବାର୍ତ୍ତା, ଓଡ଼ିଶାରେ ଝଲସୁଛି ଅନନ୍ୟ କଳାକୃତି

ମା’ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବର ପରିବେଶ ଭିତରେ ଝଲସୁଛି ଆଲୋକ, ଝଲକୁଛି ମଣ୍ଡପ, ଗୁଞ୍ଜରିତ ହେଉଛି ମା’ଙ୍କ ଆବାହନ। ହେଲେ ଏଠି କିନ୍ତୁ ପାହାଡ଼ି ଦେଶ ନେପାଳର ବନ୍ୟା ଓ ଭୂସ୍ଖଳନର ବିଭୀଷିକା। କେଉଁଠି ଭାସିଯାଇଛି ଘର, କେଉଁଠି ଭାଙ୍ଗିଯାଇଛି ରାସ୍ତା, ଆଉ କେଉଁଠି ମାଟି ତଳେ ଚାପି ହୋଇଯାଇଛି ମଣିଷର ସ୍ୱପ୍ନ। ପ୍ରକୃତି ଆଗରେ ମଣିଷ କେଡ଼େ ନାଚାର, ନେପାଳ ବିପର୍ଯ୍ୟୟ ଦେଖାଇ ଦେଇଥିଲା ଅଗଷ୍ଟ ୨୬ରେ। ମଣିଷ ଓ ପ୍ରକୃତି ମଧ୍ୟରେ ବିଗିଡ଼ି ଯାଉଥିବା ସମ୍ପର୍କର ସେହି ବାସ୍ତବ ଘଟଣା ଆଜି ବଖାଣୁଛି ଭୁବନେଶ୍ବର ଦାରୁଠେଙ୍ଗ କଳିଙ୍ଗ ଦୁର୍ଗା କମିଟିର ଏହି ମଣ୍ଡପ। ଆମେରିକାର ସ୍ୱାମୀ ନାରାୟଣ ମନ୍ଦିର ତୋରଣରେ ପୂଜା ପାଉଛନ୍ତି ମା ଦୁର୍ଗା। ଭିତରେ କିନ୍ତୁ ନେପାଳ ଜଳ ପ୍ରଳୟର ବିଭୀଷିକାର ଭୟଙ୍କର ଚିତ୍ର। ୯୧ ଫୁଟ ଉଚ୍ଚ ଏବଂ ୭୮ ଫୁଟ୍ ଚଉଡ଼ାର ପ୍ରତିକୃତୀ ଆଜି କଥା କହୁଛି ନେପାଳ ବନ୍ୟାର କରୁଣ କାହାଣୀ। ଚେତାଇ ଦେଉଛି, ମଣିଷ ଓ ପ୍ରକୃତି ମଧ୍ୟରେ ବିଗିଡ଼ି ଯାଉଥିବା ସମ୍ପର୍କକୁ। 

ଉତ୍ସବ ହେଉ, ଅପଚୟ ନୁହେଁ। ଜିରୋ ୱେଷ୍ଟ ଥିମ୍ ଭିତରେ ଆଜି ଚମକୁଛି ନୂଆପଲ୍ଲୀ ଦୁର୍ଗା ପୂଜା ସମିତିର ମଣ୍ଡପ ସହ ତୋରଣ। ୩୯ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ସମିତି ରୋମର ଭାଟିକାନ ସିଟି ଢାଞ୍ଚାରେ ମୁଖ୍ୟ ତୋରଣ ନିର୍ମାଣ କରିଥିଲେ ବି ଭିତରେ କିନ୍ତୁ ଚମତ୍କାର କାରିଗରୀ। ସମ୍ପୂର୍ଣ୍ଣ ଓଡ଼ିଆ ଏବଂ ଆଦିବାସୀ ପରମ୍ପରାର ଝଲକ ଦେଖିବାକୁ ମିଳିଛି। ଫଳ ଚୋପା, ଖଜୁରୀ ପତ୍ର, ହେଁଶ, ସପ ଓ କାଶତଣ୍ଡୀରେ ସଜେଇ ହୋଇଛି ତୋରଣ। ଫଳ ଚୋପା ଗୁଡିକୁ ଦୂରରୁ ଦେଖିଲେ ଫୁଲର ଭ୍ରମ ସୃଷ୍ଟି କରୁଛି। ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେବା ସହ ଜିରୋ ୱେଷ୍ଟ ତୋରଣ କରିଥିବା କହିଛି ନୟାପଲ୍ଲୀ ପୂଜା କମିଟି। 

ମା’ଦୁର୍ଗାଙ୍କ ଆଗମନ କେବଳ ଶକ୍ତି ଉପାସନା ନୁହେଁ। ଏହା ଆମ ସଂସ୍କୃତି, ଆମ କଳା ଓ ଆମ ସାମୂହିକ ପରିଚୟର ମହାପର୍ବ। ସେଥିପାଇଁ ତ ଆଜି ଚର୍ଚ୍ଚାରେ ବଲାଙ୍ଗିର ସହରରେ ରାଜେନ୍ଦ୍ରପଡ଼ାର ଏହି ପୂଜା ପେଣ୍ଡାଲ୍। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ପରମ୍ପରା, ତାର ଗାଥା ଆଉ ସଂସ୍କୃତିକୁ ବୟାନ କରୁଛି। ଚାଷୀର ପ୍ରଥମ ଅମଳ ଫସଲକୁ ଇଷ୍ଟଦେବୀଙ୍କୁ ସମର୍ପଣଠୁ ଆରମ୍ଭ କରି ଜୁହାର ଭେଟ୍, ନାଚଗୀତର ଆସରକୁ ଦର୍ଶାଯାଇଛି ରାଜେନ୍ଦ୍ରପଡ଼ାର ଏହି ପୂଜା ପେଣ୍ଡାଲରେ। 

ଗରମ ମସଲାରେ ମାଆ। ଶୁଣିଲେ ଟିକିଏ ଖଟକା ଲାଗୁଛି ନିଶ୍ଚୟ। କିନ୍ତୁ, ବ୍ରହ୍ମପୁରର ଶିଳ୍ପୀ ଦିଲୀପ ମହାରଣା, ବୃତ୍ତିରେ ଯିଏ ଜଣେ କନିଷ୍ଠ କିରାଣୀ, କିନ୍ତୁ ତାଙ୍କ କୌଳିକ ବୃତ୍ତି କାଠ କାମ। ଯେହେତୁ ବିଶ୍ୱକର୍ମା ବଂଶଜ, ତେଣୁ ତାଙ୍କ ହାତରେ ରହିଛି ଯାଦୁକରୀ ସ୍ପର୍ଶ। ଦିନେ ଗରମ ମସଲା ଗୁଡ଼ିକୁ ଦେଖୁ ଦେଖୁ ସେଥିରେ ହିଁ ମା’ଦୁର୍ଗାଙ୍କ ପ୍ରତିମୂର୍ତ୍ତି ତିଆରି ପାଇଁ ଇଚ୍ଛା ହୋଇଥିଲା। ଆଉ ଏଥର ଗରମ ମସଲା ଯଥା, ଡାଲଚିନି, ଅଳେଇଚ, ଜାଇ ଫଳ, ତେଜ ପତ୍ର, ଲଙ୍କା ଆଦି ନାନା ମସଲାରେ ତିଆରି କରିଛନ୍ତି ମା’ଙ୍କ ପ୍ରତିକୃତି। କେଉଁଠି ହଳଦୀ ଲାଗିଛି ତ କେଉଁଠି ଲାଗିଛି ଡାଲ୍ ଚିନି ସହ ଅନସି ଫୁଲ। ଯାହା ବେଶ୍ ନିଆରା ହୋଇଛି। 

ସମୟ ବଦଳିଛି, ପୂଜାର ରୂପ ବି ବଦଳିଛି। ତାସହ ବଦଳିଛି ମଣ୍ଡପର ସାଜସଜ୍ଜା। ଏବେ କେବଳ ସୁନା, ରୁପା କି ରଙ୍ଗିନ ଆଲୋକରେ ସୀମିତ ନାହିଁ, ବରଂ ନିଆରା ଆକର୍ଷଣ ସହ ସଚେତନତାର ବାର୍ତ୍ତା ଦେଉଛନ୍ତି ବିଭିନ୍ନ ପୂଜା କମିଟି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।