Odisha Flood Crisis Deepens: ଓଡ଼ିଶାରେ ପୁଣି ବନ୍ୟା ବିପତ୍ତି, ଫୁଲୁଛି ନଦୀ ବଢୁଛି ବିପଦ
ପୁଣି ବର୍ଷା...ପୁଣି ବନ୍ୟା ବିତ୍ପାତ। ନିଦ ହଜାଇଦେଲାଣି ସୁବର୍ଣ୍ଣରେଖା। ଏବର୍ଷର ଚତୁର୍ଥ ବନ୍ୟା। ରାତାରାତି ଗାଲୁଡିହି ବ୍ୟାରେଜର ୧୩ଟି ଗେଟ୍ ଖୋଲିଦେଲା ଝାରଖଣ୍ଡ। ତାପରେ ଉଛୁଳିଛି ନଦୀ। କୂଳ ଖାଇ ଦ୍ରୁତଗତିରେ ତଳି ଅଂଚଳକୁ ମାଡି ଚାଲିଛି। ଯାହାର ପ୍ରଭାବ ପଡିଛି ପୁରା ବାଲେଶ୍ବର ଜିଲ୍ଲାରେ। ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ବିଭିନ୍ନ ଅଂଚଳରେ ପଶିଲାଣି ବନ୍ୟା ଜଳ। ବାଲିଆପାଳ ବ୍ଳକ ଚଉଧୁରୀକୁଦ ଗାଁ ରାସ୍ତାରେ ୩ଫୁଟର ପାଣି ଚାଲିଛି। ଜଳବନ୍ଦୀ ହେଲାଣି ଭୋଗରାଇ ବ୍ଲକ ବଡ଼ମନ୍ଦାଋଣୀ ଗାଁ। ପାଣି ଆହୁରି ବଢିଲେ ବାଲିଆପାଳ ଓ ଭୋଗରାଇର ୨୫ଟି ପଂଚାୟତର ଶତାଧିକ ଗାଁ ପ୍ରଭାବିତ ହେବ। ସେପଟେ ଫୁଲିବାରେ ଲାଗିଛି ଜଳକା। ଚଳିତବର୍ଷ ନଦୀରେ ଷଷ୍ଠ ଥର ବଢ଼ି ଆସିଛି। ବସ୍ତା ବ୍ଲକର ତଳିଆ ଅଞ୍ଚଳ, ରାସ୍ତାଘାଟ ଓ ଚାଷଜମିକୁ ବୁଡ଼ାଇଛି ବଢ଼ି ପାଣି। ଏଚିତ୍ର ସହରର। ବାଲେଶ୍ୱରରୁ ରେମୁଣା NACକୁ ମୁଖ୍ୟରାସ୍ତା। ୩ଫୁଟରୁ ଅଧିକ ପାଣି। ବୁଢ଼ାବଳଙ୍ଗରେ ବନ୍ୟା ଆସି ସବୁ ବୁଡାଇଦେଇଛି। ଜଳବନ୍ଦୀ ବାଲେଶ୍ୱର ସଦର ଓ ରେମୁଣାର ଅଧିକାଂଶ ଅଞ୍ଚଳ। ଏବେ ସୁଦ୍ଧା ସହର ସମେତ ୨୦ ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ମୁକାବିଲା ପାଇଁ ୨ଟି NDRF ଓ ୩ଟି ଓଡ୍ରାଫ ଟିମ ସହ ମୁତୟନ ହୋଇଛନ୍ତି ଅଗ୍ନିଶମ ବାହିନୀ। ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଏପଟେ ପୁଣି ଥରେ ଯାଜପୁରର ଦୁଃଖ ବଢ଼ାଇଛି ବୈତରଣୀ। ବିପଦ ସଙ୍କେତ ଟପିଛି। ଦଶରଥପୁରରେ ଦୁର୍ଦ୍ଦଶା ବଢାଇଛି ପାଟଣାରେ କାଣୀ ନଦୀରେ ଘାଇ। ଏବେ ମରାମତି ହୋଇଥିବା ଘାଇର ୭୦ ଫୁଟକୁ ପୁଣି ଭସାଇନେଇଛି ବନ୍ୟା ଜଳ। ଫଳରେ ବ୍ଲକର ୧୦ରୁ ଅଧିକ ପଞ୍ଚାୟତର ୩୦ରୁ ଅଧିକ ଗାଁ ଜଳବନ୍ଦୀ। ଲଗାତର ଅଷ୍ଟମ ବନ୍ୟା ସାଙ୍ଗକୁ ଘାଇ ଯୋଗୁଁ ଲୋକେ ଛଟପଟ। ଘର ଛାଡି ନଦୀ ଉପରେ ଆଶ୍ରୟ ନେଇଛନ୍ତି ବିପନ୍ନ। ସେପଟେ ବିଂଝାରପୁରରେ ପୁଣି ଭାଙ୍ଗିଛି ଖରସ୍ରୋତାର ଶାଖା ନୂଆ ମାହାରା ନଦୀରେ ଘାଇ। ୪ଟି ପଂଚାୟତ ଜଳବନ୍ଦୀ। ଯାଜପୁର ବ୍ଲକ୍ ର ପଣସା, ସିମିଳିଆ ଓ ବନ୍ତ ପଞ୍ଚାୟତରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଛି।
ବନ୍ୟା ପାଣିରେ ବୁଡିଛି ଭଦ୍ରକ। ରାଜ ମୁକୁନ୍ଦପୁର ଓ ମତଗଜପୁର ବ୍ରିଜ୍ ଉପରେ ୨ ଫୁଟର ପାଣି, ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ପାଣି ଘେରରେ ଭଦ୍ରକ ବ୍ଲକ୍ ର ୨ଟି ଓ ତିହିଡ଼ି ବ୍ଲକ୍ ର ୪ଟି ପଞ୍ଚାୟତ। ବୈତରଣୀ ଓ ସାଳନ୍ଦୀରେ ଆସିଛି ଚଳିତ ବର୍ଷର ଷଷ୍ଠ ବନ୍ୟା। କଣ୍ଟି ଏସକେପ ଉପରେ ବନ୍ୟା ଜଳ ଚାଲୁଥିବାରୁ ଭଣ୍ଡାରିପୋଖରୀ ବ୍ଲକର ମାଳଦା, ଷୋଳମପୁର, ରହଣିଆ, ନପଙ୍ଗ, ବାଲି ପୋଖରୀ ଓ କୁରି ଗାଁ ଭଳି ୬ଟି ପଞ୍ଚାୟତ ଜଳବନ୍ଦୀ। ଧାମନଗର ବ୍ଲକରେ ବି ପଶିଛି ପାଣି। ବିଚ୍ଛିନ୍ନ ହୋଇଯାଇଛି ଭଣ୍ଡାରିପୋଖରୀ-ଯାଜପୁର ଯୋଗାଯୋଗ। ଅର୍ଣ୍ଣପାଳ ଆଙ୍କପଦାରେ ୧୨ଫୁଟର ଘାଇ ହୋଇଛି। ବିିଷ୍ଣୁପୁରବିିନ୍ଧା ପଞ୍ଚାୟତରେ ବି ପଶିଛି ବନ୍ୟା ପାଣି।
ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଛାଡ଼ିଛି, କିନ୍ତୁ ବୁଢାବଳଙ୍ଗ ନଦୀର ବଢି ପାଣି ତଳିଆ ଅଞ୍ଚଳରେ ପଶିଛି। ଜଳମଗ୍ନ ବଡ଼ସାହି ଓ ବେତନଟୀ ବ୍ଲକର ଅନେକ ଗାଁ। ବୁଢାବଳଙ୍ଗ ସହ ଜମ୍ଭିରା, ସୋନୋ, ଗଙ୍ଗାହାର ନଦୀର ପାଣି ଶହଶହ ଏକର ଜମିରେ ମାଡ଼ି ଯାଇଛି। ସେପଟେ ନନଷ୍ଟପ ଫୁଲିବାରେ ଲାଗିଛି ମହାନଦୀ। ଦୁଇ ଦିନର ଲଗାଣ ବର୍ଷା ପରେ ଛତିଶଗଡ଼ର ଗଙ୍ଗ୍ରେଲ ଡ୍ୟାମ୍ ୧୪ଟି ଗେଟ୍ ଖୋଲିବା ପରେ ମହାନଦୀ ଫୁଲିଛି। କ୍ରମାଗତ ଗେଟ୍ ଖୋଲୁଛି ହୀରାକୁଦ ଡ୍ୟାମ୍। ୨୭ ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପହଞ୍ଚିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।