Odisha Traders Announce QR Protest: ଅକ୍ଟୋବର ୨ରେ ‘ନୋ କ୍ୟୁଆର୍ ଡେ’! ଓଡ଼ିଶା ବ୍ୟବସାୟୀ କରିବେ ବଡ଼ ପ୍ରତିବାଦ

Sep 26, 2026 - 19:55
Odisha Traders Announce QR Protest: ଅକ୍ଟୋବର ୨ରେ ‘ନୋ କ୍ୟୁଆର୍ ଡେ’! ଓଡ଼ିଶା ବ୍ୟବସାୟୀ କରିବେ ବଡ଼ ପ୍ରତିବାଦ

ୟୁପିଆଇ ଟ୍ରାଞ୍ଜକସନ୍ ଫି ବନ୍ଦ କର, ନଚେତ ଦୋକାନରୁ ହଟିବ QR କୋଡ୍। ଅକ୍ଟୋବର ୧୫ରୁ MDR ଲାଗୁ ପୂର୍ବରୁ ତୀବ୍ର ଅସନ୍ତୋଷ ଛାଡିଛିି ବ୍ୟବସାୟୀ ମହାସଂଘ।  ସରକାରଙ୍କୁ ସିଧା ଚେତାବନୀ ଶୁଣାଇଛନ୍ତି ଚାର୍ଜ ହଟାଅ, ନହେଲେ ଅକ୍ଟୋବର ୨ରେ ‘ନୋ କ୍ୟୁଆର୍ ଡେ’ ପାଳନ କରାଯିବ। ଏଭଳି ଆହ୍ୱାନ ଦେଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଅଭିଯୋଗ ହୋଇଛି, UPI ଟ୍ରାଞ୍ଜାକସନରେ MDR ଲାଗୁ ଦ୍ୱାରା ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ବଢ଼ିବ। ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି, ୩ ହଜାର ଟଙ୍କାର ସାମଗ୍ରୀ ବିକ୍ରିରେ ୧୨ ଟଙ୍କା MDR ଓ GST ମିଶାଇ ବ୍ୟବସାୟୀଙ୍କ ମୁଣ୍ଡରେ ପ୍ରାୟ ୧୪ ଟଙ୍କା ୬ ପଇସାର ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଛି। ଦେଶର ପ୍ରାୟ ୯ କୋଟି ବ୍ୟବସାୟୀଙ୍କ ମଧ୍ୟରୁ ୫ କୋଟି ଏବଂ ଓଡ଼ିଶାର ୧୮ ଲକ୍ଷରୁ ୧୩ ଲକ୍ଷ ବ୍ୟବସାୟୀ ଏହି ପ୍ରତିବାଦରେ ସାମିଲ ହେବେ। ସେଦିନ ନିଜ ଦୋକାନରେ ଲାଗିଥିବା UPI QR କୋଡ୍, ସ୍କାନର୍, ସାଉଣ୍ଡ ବକ୍ସ ଓ ଅନ୍ୟ ଡିଜିଟାଲ୍ ପେମେଣ୍ଟ ଉପକରଣଗୁଡ଼ିକୁ କଳା କପଡ଼ାରେ ଢାଙ୍କିବେ ବୋଲି ନିଷ୍ପତ୍ତି ହୋଇଛି।

ଅକ୍ଟୋବର ୨ରେ ସତରେ UPI ବନ୍ଦ ହେବ କି ? କିଛି ବ୍ୟବସାୟୀ ସଂଗଠନଙ୍କ ପକ୍ଷରୁ ଏହା ଏକ ପ୍ରତୀକାତ୍ମକ ପ୍ରତିବାଦ ବୋଲି କୁହାଯାଉଛି। ଏପରିକି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ବା CAIT ନିଜକୁ ‘ନୋ UPI ଡେ’ ଆହ୍ୱାନରୁ ଅଲଗା କରିଛି। ତାଙ୍କ ଭିତରେ ବି ଭିନ୍ନ ମତ ପ୍ରକାଶ ପାଇଛି। CAIT କଟକ ଚାପଟର ପକ୍ଷରୁ ଗାନ୍ଧି ଜୟନ୍ତୀରେ ୟୁପିଆଇ ଟ୍ରାଞ୍ଜାକସନ୍ ବନ୍ଦ ଡାକରା ଦିଆଯାଇଛି। ସେଦିନ ଜୁଏଲାରୀ, ଫାର୍ମା, ଗାର୍ମେଣ୍ଟସ୍ ଓ FMCG ସମେତ ବିଭିନ୍ନ ବର୍ଗର ବ୍ୟବସାୟୀ ଏହି ପ୍ରତୀକାତ୍ମକ ପ୍ରତିବାଦରେ ସାମିଲ ହେବେ। ଅନ୍ୟପଟେ ଜାତୀୟସ୍ତରରେ ପ୍ରକାଶିତ ଖବର ଅନୁସାରେ, ଅକ୍ଟୋବର ୨ରେ ‘ନୋ UPI ଡେ’ ପାଳନ ପାଇଁ CAIT ପକ୍ଷରୁ କୌଣସି ପ୍ରସ୍ତାବ କିମ୍ବା ଘୋଷଣା ହୋଇନାହିଁ। ଏସମ୍ପର୍କିତ ପ୍ରକାଶିତ ମିଡିଆ ରିପୋର୍ଟ ମିଥ୍ୟା। କିଛି ସ୍ଥାନୀୟ ବ୍ୟବସାୟୀ ସଂଗଠନ ପ୍ରତିବାଦ କରିପାରନ୍ତି।

ଆସନ୍ତା ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ UPI କାରବାରରେ ୦.୪ ପ୍ରତିଶତ ଶୁଳ୍କ ଲାଗୁ ହେବ। ଯାହାକୁ ନେଇ ଦେଶବ୍ୟାପୀ ଉଠିଥିଲା ପ୍ରତିବାଦର ସ୍ବର। ସରକାର ସ୍ପଷ୍ଟ କରିସାରିଛନ୍ତି, ପ୍ରାୟ ୯୬ ପ୍ରତିଶତ ବ୍ୟକ୍ତିଠାରୁ ବ୍ୟବସାୟୀ ବା P2M ପେମେଣ୍ଟରେ ଏହି ଶୁଳ୍କର ପ୍ରଭାବ ପଡ଼ିବ ନାହିଁ। ଗୋଟିଏ ପଟେ ସରକାରଙ୍କ ଆଶ୍ୱାସନା, ଅନ୍ୟପଟେ ବ୍ୟବସାୟୀଙ୍କ ଜିଦ୍। ଆଗାମୀ ଦିନରେ ଏହି ଡିଜିଟାଲ୍ ଶୁଳ୍ପ ବିବାଦ କେଉଁ ମୋଡ଼ ନେଉଛି, ତାଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।