Odisha Gajalaxmi Puja: ଆଲୋକମାଳାରେ ଝଲମଲ ପୂଜା ବଜାର; ଝଲସୁଛି ମା’ ଗଜଲକ୍ଷ୍ମୀଙ୍କ ପୂଜା
ମା' ଗଜଲକ୍ଷ୍ମୀଙ୍କ ଆଗମନରେ ଝଲସୁଛି ଅନୁଗୋଳ ସହର।
ରଙ୍ଗିନ ଆଲୋକ, ଆକର୍ଷଣୀୟ ତୋରଣ ଆଉ ପୂଜା ବଜାରରେ ଗ୍ରାହକଙ୍କ ଭିଡ଼।
ହେଲେ ଏହି ଚାକଚକ୍ୟ ଭିତରେ ରହିଛି ଅନେକ ଛୋଟ ବ୍ୟବସାୟୀଙ୍କ ରୋଜଗାରର ଆଶା।
କିଏ ଭଲ ବ୍ୟବସାୟ କରି ଦୁଇ ପଇସା ଲାଭ କରିବାକୁ ଆଶା ବାନ୍ଧିଛି, ତ ଆଉ କିଏ ଖର୍ଚ୍ଚ ଉଠାଇବା ଚିନ୍ତାରେ।
ତେବେ ମା'ଙ୍କ ପୂଜାରେ ବ୍ୟବସାୟୀଙ୍କ ଉପରେ ବର୍ଷୁଛି କି ଲକ୍ଷ୍ମୀଙ୍କ କୃପା?
Advertisment ପୂଜା ମଣ୍ଡପରେ ମା'ଙ୍କ ଦର୍ଶନ...
ଆଉ ବଜାରରେ କିଣାକିଣିର ଧୁମ୍ ।
କେଉଁଠି ଖେଳନାର ପସରା, ତ ଆଉ କେଉଁଠି ଘରକରଣା ସାମଗ୍ରୀର ସମ୍ଭାର।
ପୁଣି ଖାଦ୍ୟ ଷ୍ଟଲ୍ ରେ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ।
ଅନୁଗୋଳର ଗଜଲକ୍ଷ୍ମୀ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଅନେକ ଛୋଟ ବ୍ୟବସାୟୀଙ୍କ ପାଇଁ ରୋଜଗାରର ଏକ ବଡ଼ ଅବସର ମଧ୍ୟ।
ବର୍ଷ ସାରା ଯେଉଁ ବ୍ୟବସାୟୀମାନେ ଗ୍ରାହକଙ୍କ ଅପେକ୍ଷାରେ ରହିଥାନ୍ତି, ପୂଜା ଆସିଲେ ସେମାନଙ୍କ ମନରେ ବଢ଼ିଯାଏ ଆଶା।
ଅଧିକ ବିକ୍ରି ହେବ, ଭଲ ରୋଜଗାର ହେବ ଆଉ ପରିବାରର ଆବଶ୍ୟକତା ପୂରଣ ହେବ।
ଏହି ଆଶା ନେଇ କିଏ ଦୂରଦୂରାନ୍ତରୁ ସାମଗ୍ରୀ ଆଣିଛି, ତ ଆଉ କିଏ ଦିନରାତି ଏକ କରି ଖୋଲିଛି ଅସ୍ଥାୟୀ ଦୋକାନ।
ହେଲେ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଲେ ଯେ ଲାଭ ହେବ, ତାହା କହିବା ମୁସ୍କିଲ।
Advertisment ଆଲୋକର ଝଲକ...
ଗ୍ରାହକଙ୍କ ଗହଳି...
ଆଉ ଛୋଟ ବ୍ୟବସାୟୀଙ୍କ ମନରେ ଲାଭର ଆଶା।
ପୂଜା ବଜାରରେ କିଣାକିଣିକୁ ନେଇ ଗ୍ରାହକଙ୍କ ଉତ୍ସାହ ଥିବାବେଳେ, ବ୍ୟବସାୟୀଙ୍କ ମନରେ କିନ୍ତୁ ରହିଛି ଲାଭ ଓ କ୍ଷତିର ହିସାବ।
ଖାଦ୍ୟ ଷ୍ଟଲ୍ ଠାରୁ ଆରମ୍ଭ କରି ଖେଳନା ଓ ଘରକରଣା ସାମଗ୍ରୀର ଦୋକାନ, ପ୍ରତ୍ୟେକଙ୍କ ବ୍ୟବସାୟର ଚିତ୍ର ଅଲଗା।
କାହା ପାଇଁ ଗ୍ରାହକଙ୍କ ଭିଡ଼ ଆଣୁଛି ଖୁସି, ତ ଆଉ କାହା ପାଇଁ ଏହା କେବଳ ଆଶା ଓ ଆଶଙ୍କାର ଖେଳ।
କାରଣ ବିକ୍ରି ଯେତେ ଅଧିକ ହେଲେ ବି, ଦୋକାନ ଭଡ଼ା, ସାମଗ୍ରୀ କିଣା, ପରିବହନ ଖର୍ଚ୍ଚ ଆଉ କର୍ମଚାରୀଙ୍କ ମଜୁରି ସବୁ ଖର୍ଚ୍ଚ ବାଦ୍ ଦେବା ପରେ ଯାହା ବଳିବ, ସେଇଟା ହିଁ ପ୍ରକୃତ ଲାଭ।
ତେଣୁ ପୂଜାରେ ବ୍ୟବସାୟ କେତେ ହେଲା, ତା'ଠାରୁ ବଡ଼ ପ୍ରଶ୍ନ ହେଉଛି, ବ୍ୟବସାୟୀଙ୍କ ପକେଟକୁ କେତେ ଟଙ୍କା ଗଲା?
ମଣ୍ଡପରେ ମା' ଗଜଲକ୍ଷ୍ମୀଙ୍କ ଆରାଧନା, ବଜାରରେ ଲକ୍ଷ୍ମୀ ଖୋଜା।
ପୂଜାର ଆଲୋକ ଭିତରେ ଛୋଟ ବ୍ୟବସାୟୀଙ୍କ ଆଶା ଯେତିକି ବଡ଼, ଲାଭର ହିସାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
ତେବେ ଏହି ଗଜଲକ୍ଷ୍ମୀ ପୂଜା କାହା ପାଇଁ ଆଣିବ ଲକ୍ଷ୍ମୀଙ୍କ କୃପା, ଆଉ କାହାକୁ କରିବ ନିରାଶ?
ତାହା ଜଣାପଡ଼ିବ ପୂଜା ପରର ଲାଭକ୍ଷତି ହିସାବରୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।