Odisha High Court: ଜାତି ପ୍ରମାଣପତ୍ର ରଦ୍ଦ ପାଇଁ ଏସଏଲଏସସି ଦେଇଥିବା ନିର୍ଦ୍ଦେଶ ରଦ୍ଦ କଲେ ହାଇକୋର୍ଟ
"କଟକ: ଓଡ଼ିଶା ଜାତି ପ୍ରମାଣପତ୍ର (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି) ନିୟମାବଳୀ, ୧୯୮୦ ଅଧୀନରେ ପ୍ରଦାନ କରାଯାଇଥିବା ଜାତି ପ୍ରମାଣପତ୍ରର ବୈଧତା ଯାଞ୍ଚ ବା ଏହାକୁ ରଦ୍ଦ କରିବା ପ୍ରସଂଗ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି(ଏସଏଲଏସସି) କ୍ଷମତା ପରିସର ବାହାରେ।
ଆବେଦନକାରୀଙ୍କ ଜାତି ପ୍ରମାଣପତ୍ର ବାତିଲ କରିବା ସହିତ ଚାକିରିରୁ ବହିଷ୍କାର ନିର୍ଦ୍ଦେଶ ଦେଇ ଏସଏଲଏସସି ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ଏଥି ସହିତ ଏସଏଲଏସସି ନିର୍ଦ୍ଦେଶ ଆଧାରରେ ଆବେଦନକାରୀଙ୍କ ବିରୋଧରେ ନିଆଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବେଆଇନ ଘୋଷଣା କରିବା ସହ ଆସନ୍ତା ୩ ମାସ ମଧ୍ୟରେ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ ସପକ୍ଷରେ ହାଇକୋର୍ଟରାୟ ଦେଇଛନ୍ତି।
ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ.ସି.ବେହେରା ଓ ଏସ.ସି.ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।Advertisment ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୧ ଓ ୧୯୮୬ରେ ବାଙ୍କୀ ତହସିଲଦାର ଦୁଇ ଆବେଦନକାରୀ "ଧୀବର (କୈବର୍ତ୍ତ)" ଜାତିର ବୋଲି ଦର୍ଶାଇ ସେମାନଙ୍କୁ ଅନୁସୂଚିତ ଜାତି ପ୍ରମାଣପତ୍ର ଜାରି କରିଥିଲେ।
ଏହି ପ୍ରମାଣପତ୍ରଦାଖଲ କରିବା ସହିତ ଅନ୍ୟାନ୍ୟ ଯୋଗ୍ୟତା ପୂରଣ କରିବା ପରେ ଆବେଦନକାରୀଙ୍କୁ ୧୯୯୩ରେ ପୁଲିସ କନଷ୍ଟେବଳ ଭାବେ ନିଯୁକ୍ତି ମିଳିଥିଲା।
୨୦୧୩ରେ ଏକ ପାରିବାରିକ ବିବାଦ ପରେ ଆବେଦନକାରୀ ଜାଲ୍ ତଥ୍ୟ ଦେଇ ଜାତି ପ୍ରମାଣପତ୍ର ହାସଲ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା।
ଏହି ଅଭିଯୋଗ ଆଧାରରେ ଏସଏଲଏସସି ତଦନ୍ତ କରି ୨୦୨୩ରେ ସେମାନଙ୍କ ଜାତି ପ୍ରମାଣପତ୍ର ରଦ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ଚାକିରିରୁ ବହିଷ୍କାର ପାଇଁ କଟକ ଏସପିଙ୍କୁ ଆଦେଶ ଦେଇଥିଲେ।
ଏହାପରେ ଆବେଦନକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।
ଏହି ନିର୍ଦ୍ଦେଶ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୧୯୮୦ ନିୟମାବଳୀର ନିୟମ ୮(୨) ଅନୁଯାୟୀ, ପ୍ରମାଣପତ୍ର ଜାରି କରିଥିବା ପ୍ରାଧିକୃତ ଅଧିକାରୀ (ଯେପରିକି ତହସିଲଦାର) ଏହାକୁ ରଦ୍ଦ କରି ପାରିବେ ଓ ଏପରି ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇ ପାରିବେ।
କୁମାରୀ ମାଧୁରୀ ପାଟିଲ ମାମଲାରେ ଏସଏଲଏସସି ଗଠନ ନିର୍ଦ୍ଦେଶ କେବଳ ସେହି ରାଜ୍ୟଗୁଡ଼ିକ ପାଇଁ ଥିଲା ଯେଉଁଠି କୌଣସି ଆଇନ କିମ୍ବା ନିୟମାବଳୀ ନ ଥିଲା।
ଓଡ଼ିଶାରେ ୧୯୮୦ରୁ ନିଜସ୍ୱ ନିୟମାବଳୀ ରହିଛି।
ତେଣୁ ଏସଏଲଏସସିର ଏହି ପ୍ରସଂଗରେ କୌଣସି ଅଧିକାର ନାହିଁ।
Rayagada DHH: ରୋଗୀଙ୍କୁ ତଡ଼ିଦେବା ଘଟଣା: ରୋଗୀଙ୍କୁ ଦିଆଯାଉଛି ରେଫରାଲ କାଗଜ, ଡାକ୍ତର କହୁଛନ୍ତି ମୁଁ ରେଫର କରିନି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।