Odisha Lokayukta Chairman Appointment: ଫିଟୁଛି ଲୋକାୟୁକ୍ତ ନିଯୁକ୍ତି ବାଟ; ୨୦୨୪ରେ ବିଜେଡି ସର୍ଚ୍ଚ କମିଟିରେ ହୋଇଥିଲା ନାଁ ସୁପାରିଶ

Aug 11, 2026 - 19:51
Odisha Lokayukta Chairman Appointment: ଫିଟୁଛି ଲୋକାୟୁକ୍ତ ନିଯୁକ୍ତି ବାଟ; ୨୦୨୪ରେ ବିଜେଡି ସର୍ଚ୍ଚ କମିଟିରେ ହୋଇଥିଲା ନାଁ ସୁପାରିଶ

ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ପଦ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିଲେକ୍ସନ କମିଟିର ବୈଠକପରେ ବଢିଲା ଆଶା। ୨୦୨୪ରେ ବିଜେଡି ସର୍ଚ୍ଚ କମିଟିରେ ନାଁ ସୁପାରିଶ ପରେ ବି ବାଜି ପାରିନଥିଲା ଚୂଡ଼ାନ୍ତ ମୋହର। ତେବେ କିଏ ହେବେ ନୂଆ ଲୋକାୟୁକ୍ତ ତାକୁ ନେଇ ବଢ଼ିଛି ଚର୍ଚ୍ଚା। ନୂଆ ଲୋକାୟୁକ୍ତ ଖୁବଶୀଘ୍ର ନିଯୁକ୍ତ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଥିବା ବେଳେ ବିଳମ୍ବକୁ ନେଇ ବିରୋଧୀ କରିଛନ୍ତି ସମାଲୋଚନା।

ଖାଁ ଖାଁ ଓଡ଼ିଶା ଲୋକାୟୁକ୍ତ ଅଫିସ୍। ଜଣେ ଦୁଇଜଣ କର୍ମଚାରୀ କେବଳ ଅଫିସରେ ହାଜିରା ପକାଉଛନ୍ତି। ଅଧ୍ୟକ୍ଷଙ୍କ ଅଫିସ୍ ରେ ଝୁଲୁଛି ତାଲା। ଅଭିଯୋଗକାରୀ ଆସୁଛନ୍ତି, ହେଲେ କାହାକୁ ନପାଇ କେବଳ ନିଜର ଅଭିଯୋଗପତ୍ର ପୈଠ କରି ଚାଲିଯାଉଛନ୍ତି। ଏ ଅବସ୍ଥା ମାସେ କି ଦି ମାସର ନୁହଁ। ୨୦୨୪ରେ ବିଜେଡି ସରକାର ସମୟରେ ସର୍ଚ୍ଚ କମିଟି ବସି କିଛି ନାଁ ସ୍ଥିର ହୋଇଥିଲା। କିନ୍ତୁ ଶେଷ ମୋହର ବାଜିବା ପୂର୍ବରୁ ଅଟକି ରହିଥିଲା। 

ଶେଷ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଅଜିତ୍ ସିଂ ତତ୍କାଳୀନ ରାଜ୍ୟପାଳଙ୍କୁ ତାଙ୍କର ବାର୍ଷିକ ରିପୋର୍ଟ ପ୍ରଦାନ କରି ୨୦୨୪ ଅଗଷ୍ଟ ମାସରେ ଅବସର ନେଇଥିଲେ। ସେବେଠାରୁ ଲୋକାୟୁକ୍ତ ଅଧ୍ୟକ୍ଷ ପଦବି ଖାଲିପଡିଛି। ସେହିପରି ମୋଟ୍ ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଗତବର୍ଷ ଅଗଷ୍ଟ ମାସରେ ଶେଷ ସଦସ୍ୟ ଭାବେ ତତ୍କାଳୀନ ପୋଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଅବସର ନେବାପରେ ଲୋକାୟୁକ୍ତ ପୂରା ଶୂନ୍ୟ ହୋଇପଡିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଲୋକାୟୁକ୍ତରେ ଏବେ ୭ ଶହରୁ ଅଧିକ କେସ୍ ପେଣ୍ଡିଂ ଅଛିି।

ନୂଆ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ଗତକାଲି ସିଲେକ୍ସନ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳ ନେତା, ବାଚସ୍ପତି ଓ ବିଶିଷ୍ଟ ଜୁରିଙ୍କୁ ନେଇ ଏକ ବୈଠକ ବସିଥିଲା। ଖୁବଶୀଘ୍ର ଓଡ଼ିଶା ଜଣେ ନୂଆ ଲୋକାୟୁକ୍ତ ଦେଖିବାକୁ ଯାଉଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଲୋକାୟୁକ୍ତ ଓ ଲୋକପାଳ ଆଇନ୍ ୨୦୧୩ ଏବଂ ଓଡ଼ିଶା ଲୋକାୟୁକ୍ତ ଆଇନ୍ ୨୦୧୪ କହୁଛି ଚପରାଶିଠାରୁ ଆରମ୍ଭକରି ମୁଖ୍ୟ ଶାସନ ସଚିବ ଏବଂ ୱାର୍ଡ ମେମ୍ବରଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ଦୁର୍ନୀତି ମାମଲାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବାର କ୍ଷମତା ରହିଛି ଲୋକାୟୁକ୍ତଙ୍କର।

ହେଲେ ସରକାରଙ୍କ ଆନ୍ତରିକତାର ଅଭାବ ପାଇଁ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ୨୦୧୯ରୁ ନିଯୁକ୍ତ ହୋଇ ୨୦୨୪ କାର୍ଯ୍ୟକାଳ ସରିବା ପରେ ଏହି ପଦବି ଖାଲି ପଡ଼ିଛି। ଫଳରେ ଭିଜିଲାନ୍ସକୁ ଛାଡିଦେଲେ ଜନ ପ୍ରତିନିଧି ଏବଂ ବଡ ବଡ ବାବୁଙ୍କ ବିରୁଦ୍ଧରେ ଆସୁଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ କିଏ? ଏଭଳି ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। 

ସୂଚନା କମିଶନର ଓ ଓଡ଼ିଶା ମାନବାଧିକାର ଅଧ୍ୟକ୍ଷ ଭଳି କିଛି ଗୁରୁତ୍ବପୂର୍ଣ୍ଣ ପଦବି ମଧ୍ୟ ପୂର୍ବରୁ ଖାଲି ପଡ଼ିଥିଲା। ତେବେ ବିଜେପି ସରକାର ଆସିବାପରେ ଏଗୁଡ଼ିକର କେବଳ ଅଧକ୍ଷ ପଦ ପୂରଣ ହୋଇଛି। ହେଲେ କିଛି ଆଫିଲିଏଟ୍ ସଦସ୍ୟ ପଦ ଏବେବି ଖାଲି ପଡିଛି। ଏହାରି ଭିତରେ କେବେ ପୂରଣ ହେଉଛି ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ପଦବି ତାକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।