Odisha Plans Palm Trees Plantation: ବଜ୍ରଘାତ ବିପତ୍ତି ରୋକିବାକୁ ସରକାରଙ୍କ ବଜ୍ର ନିଷ୍ପତ୍ତି
ବଜ୍ରପାତ। ପ୍ରତିବର୍ଷ ଛଡ଼ାଇ ନେଉଛି ଜୀବନ, ରଚୁଛି ମୃତ୍ୟୁର ତାଣ୍ଡବ। ଆଉ ଏହି ବିପଦରୁ ରକ୍ଷା ପାଇଁ ଏବେ ତାଳଗଛକୁ ଢାଲ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏଣିକି ଚାଷ ଜମିର ହିଡରେ ଲାଗିବ ତାଳଗଛ। ଜମି ମାଲିକଙ୍କୁ ମିଳିବ ତାଳ ଚାରା ସହ ଆର୍ଥିକ ସହାୟତା। ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଦେଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଭଳି ବଡ଼ ପଦକ୍ଷେପ ନେଇଛି। ରେକର୍ଡ କହୁଛି, ବିଗତ ୫ ବର୍ଷରେ ରାଜ୍ୟରେ ୧୪୧୮ ଜଣଙ୍କ ଜୀବନ ନେଇଛି ବଜ୍ରପାତ। ଯେଉଁଥିରେ ଅଧିକାଂଶ ଚାଷୀ। ପ୍ରତିବର୍ଷ ଏହି ସଂଖ୍ୟା ବଢି ଚାଲିଥିବାରୁ ଚିନ୍ତା ଘାରିଛି ସରକାରଙ୍କୁ। ଏଣୁ ରାଜ୍ୟରେ ୧ କୋଟି ୭୧ ଲକ୍ଷ ପଟ୍ଟା ଥିବା ସବୁ ଜମିର ହିଡରେ ତାଳଗଛ ଲଗାଇବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଜଙ୍ଗଲ ବିଭାଗକୁ ୩୫ କୋଟି ଦେଇଛି ରାଜସ୍ବ ବିଭାଗ। ଅନ୍ୟପଟେ ସହରାଞ୍ଚଳରେ ବଜ୍ରପାତରୁ ବର୍ତ୍ତିବାକୁ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ ହେବ।
ବଜ୍ରପାତ ରୋକିବାକୁ ସରକାରଙ୍କ ନଜର ତାଳଗଛ ଉପରେ ରହିଥିବାବେଳେ ଚାଷୀଙ୍କ ପାଇଁ ବଢିଯାଇଛି ଚିନ୍ତା। ଯେଉଁଠି ସରକାର ତାଳ ଲଗାଇବାକୁ ଯୋଜନା କରୁଛନ୍ତି, ସେଠି କିଛି ଚାଷୀ ଥିବା ତାଳଗଛ କାଟିବାକୁ ଯୋଜନା କରୁଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଅଭିଯୋଗ ଅନୁସାରେ, ତାଳଗଛ ଯୋଗୁଁ ବଢୁଛି ହାତୀଙ୍କ ଉପଦ୍ରବ। ପାଚିଲା ତାଳ ଓ କନ୍ଦା ଖାଇବାକୁ ଆସୁଥିବା ହାତୀପଲ ଧାନ ଫସଲ ନଷ୍ଟ କରୁଛନ୍ତି ।
ବିଧାନସଭା ତଥ୍ୟ କହୁଛି ରାଜ୍ୟରେ ୨୦୨୦-୨୧ରେ ୩୩୯, ୨୦୨୧-୨୨ରେ ୨୯୬, ୨୦୨୨-୨୩ରେ ୩୦୬, ୨୦୨୩-୨୪ରେ ୨୭୨ ଏବଂ ୨୦୨୪-୨୫ରେ ୨୦୫ ଜଣଙ୍କୁ ମିଶାଇ ୫ ବର୍ଷରେ ମୋଟ ୧,୪୧୮ ଜଣଙ୍କ ଜୀବନ ବଜ୍ରପାତରେ ଯାଇଛି। ଉତ୍ତର ଓଡିଶାରେ ଏହି ସଂଖ୍ୟା ସର୍ବାଧିକ । ବଜ୍ରପାତରୁ ଜୀବନ ବଞ୍ଚାଇବାକୁ ତାଳଗଛ ଲଗାଇବାର ଯୋଜନା କରିଛନ୍ତି ସରକାର। ହେଲେ ଚାଷୀଙ୍କ ଆଶଙ୍କାକୁ ଦୂର କରି ଏହି ଯୋଜନା କେତେ ଆଗକୁ ବଢ଼ିବ, ତାହା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।