FSSAI Raises Concerns Over Liquor Quality: ନିଶା କରୁନି ନାଲିପାଣି, FSSAIର ଚେତାବନୀ

Aug 06, 2026 - 20:54
FSSAI Raises Concerns Over Liquor Quality: ନିଶା କରୁନି ନାଲିପାଣି, FSSAIର ଚେତାବନୀ

ମଦ ପିଇଲେ ଆଉ ଆଗ ଭଳି ନିଶା ହେଉନି! ବୋତଲ୍ ବୋତଲ୍ ନାଲିପାଣି ବି କାମ ଦେଉନି। ବଜାରରେ ମିଳୁଥିବା ଏମିତି କିଛି ବ୍ରାଣ୍ଡର ରମ୍ ଓ ହ୍ବିସ୍କିକୁ ନେଇ ଗ୍ରାହକଙ୍କ ସନ୍ଦେହ ବଢୁଛି। ଆଗରୁ ଯେଉଁ ବ୍ରାଣ୍ଡର ମଦ ପିଇଲେ ପୂର୍ବରୁ ଜୋରଦାର ନିଶା ହେଉଥିଲା ଏବେ ଯେତେ ପିଇଲେ ବି ଆଉ କାଟୁ କରୁନାହିଁ। ଗ୍ରାହକଙ୍କ ଏଭଳି ଅଭିଯୋଗ ସହ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକାରଣ ବା FSSAI ଏବେ ଏମିତି କିଛି ବ୍ରାଣ୍ଡ୍ ଖୋଜି ପାଇଛି। FSSAI କହିଛି ଯେ, ତଦନ୍ତ ଓ ଲ୍ୟାବରେଟୋରୀ ପରୀକ୍ଷାରେ ଦେଖାଯାଇଛି ଯେ କିଛି ଉତ୍ପାଦକ ରମ୍ ରେ ବାହ୍ୟ “ରମ୍ ଫ୍ଲେଭର୍” ଓ ହ୍ୱିସ୍କିରେ “ହ୍ୱିସ୍କି ଫ୍ଲେଭର୍” ମିଶାଉଛନ୍ତି। ଏହା ବଦଳରେ କଞ୍ଚାମାଲ, ଫର୍ମେଣ୍ଟେସନ, ଡିଷ୍ଟିଲେସନ ଓ ମ୍ୟାଚୁରେସନ ମାଧ୍ୟମରେ ସ୍ୱାଭାବିକ ଭାବେ ସ୍ୱାଦ ଓ ସୁଗନ୍ଧ ବିକଶିତ ହେବା ଉଚିତ୍ ଥିଲା। ଏପରି ଉତ୍ପାଦଗୁଡ଼ିକ ମୁଖ୍ୟତଃ ନିୟୁଟ୍ରାଲ ଆଲକୋହଲ ବା ଏକ୍ସଟ୍ରା ନିଉଟ୍ରାଲ ଆଲକୋହଲରୁ ତିଆରି ହେଉଛି, ଯେଉଁଥିରେ ଏହି ପାନୀୟର ସ୍ୱାଭାବିକ ସ୍ୱାଦ ନାହିଁ। ତଥାପି ଏଗୁଡ଼ିକୁ ସାଧାରଣ ରମ୍ ବା ହ୍ୱିସ୍କି ଭାବେ ବିକ୍ରି କରାଯାଉଛି। ଏହି ଉତ୍ପାଦଗୁଡ଼ିକୁ “ରମ୍-ଫ୍ଲେଭର୍ଡ ସ୍ପିରିଟ୍” ବା “ହ୍ୱିସ୍କି-ଫ୍ଲେଭର୍ଡ ସ୍ପିରିଟ୍” ଭାବେ ଲେବଲ୍ କରାଯିବା ଉଚିତ। ଏପରି ଉତ୍ପାଦଗୁଡ଼ିକ କେବଳ ନିମ୍ନମାନର ନୁହେଁ, ବରଂ ବ୍ରାଣ୍ଡେଡ୍ ନାଁ ବ୍ୟବହାର କରି ଗ୍ରାହକଙ୍କୁ ବିଭ୍ରାନ୍ତ କରାଯାଉଛି। ସେହିପରି ପ୍ୟାକର ସମ୍ମୁଖ ଭାଗରେ ଉତ୍ପାଦର ପ୍ରକୃତ ସ୍ୱରୂପ ମଧ୍ୟ ଦର୍ଶାଯାଉ ନାହିଁ। ଲ୍ୟାବରେଟରୀ ରିପୋର୍ଟରେ ଅନେକ ନମୁନାକୁ “ନିମ୍ନମାନର” ବୋଲି ବର୍ଣ୍ଣନା କରାଯାଇଛି। 

ଏଭଳି ବ୍ରାଣ୍ଡର ମଦ ପ୍ରସ୍ତୁତ କରୁଥିବା ଉତ୍ପାଦ ଓ ଉତ୍ପାଦନ ୟୁନିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ FSSAI ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ସଂପୃକ୍ତ କଂପାନୀଗୁଡ଼ିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସେମାନଙ୍କ ଉତ୍ପାଦ ସମସ୍ତ ଗୁଣବତ୍ତା ଓ ସୁରକ୍ଷା ମାନକ ପାଳନ କରୁଛି। କେତେକ କଂପାନୀ FSSAIର ଏହି କାର୍ଯ୍ୟାନୁଷ୍ଠାନକୁ ଆଇନଗତ ଭାବେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି।

ଅନେକ ସମୟରେ ମଦରେ ଅପମିଶ୍ରଣ ଖବର ସାମ୍ନାକୁ ଆସିଛି। ଚୋରା ମଦ କାରବାର ସହ ମଦ ଅପମିଶ୍ରଣ ନେଇ ଅବକାରୀ ବିଭାଗ  ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏପରିକି ମଦରେ ପାଣି ମିଶାଇ କ୍ବାଲିଟି କମ୍ କରି ବିକ୍ରି କରାଯାଉଥିବା ମଧ୍ୟ ନଜିର ରହିଛି। କିନ୍ତୁ ମଦ ପ୍ରସ୍ତୁତକାରୀ ୟୁନିଟ୍ ଯେ ଡୁପ୍ଲିକେଟ୍ ମଦ ମାର୍କେଟକୁ ଛାଡୁଛି ତାହା ପ୍ରଥମଥର ପାଇଁ ଦେଖାଯାଇଛି। FSSAIର ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରେ ଏହାକୁ ନେଇ ଚର୍ଚ୍ଚା। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଯେଉଁ ବ୍ରାଣ୍ଡର ମଦ ଉପରେ କଟକଣା ଆସିବ ରାଜ୍ୟ ସରକାର ମଧ୍ୟ ତାର ଅନୁପାଳନ କରିବେ। ଓଡ଼ିଶାରେ ଥିବା ବ୍ରାଣ୍ଡଗୁଡିକୁ ଯଦି ସେଥିରେ ଅନ୍ତର୍ଭୁକ୍ତ ଥିବ, ସେହି ବ୍ରାଣ୍ଡଗୁଡିକୁ ନୋଟିସ୍ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।