Odisha Student Union Election 2026: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJDର ବଡ଼ ବିଜୟ; ଛକାପଞ୍ଝା ଭିତରେ ABVPକୁ ମାତ୍ ଦେଲା ବିସିଜେଡି

Oct 15, 2026 - 18:57
Odisha Student Union Election 2026: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJDର ବଡ଼ ବିଜୟ; ଛକାପଞ୍ଝା ଭିତରେ ABVPକୁ ମାତ୍ ଦେଲା ବିସିଜେଡି

ରାଜଧାନୀର ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆସିଛି ଛାତ୍ର ସଂସଦ ନିର୍ବାଚନର ବଡ଼ ଖବର। ବହୁ ଚର୍ଚ୍ଚିତ ଛାତ୍ର ସଂସଦ ନିର୍ବାଚନରେ ବିଜୟର ବାନା ଉଡ଼ାଇଛି ବିସିଜେଡି। ଏବିଭିପି ପ୍ରାର୍ଥୀଙ୍କୁ ହରାଇ ବିସିଜେଡି ପ୍ରାର୍ଥୀ ବିଜୟ ହାସଲ କରିଥିବା ସୂଚନା ମିଳିଛି। ନିର୍ବାଚନକୁ ନେଇ ଆରମ୍ଭରୁ କ୍ୟାମ୍ପସରେ ଲାଗିରହିଥିବା ଛକାପଞ୍ଝା ମଧ୍ୟରେ ଏହି ଫଳାଫଳ ସାମ୍ନାକୁ ଆସିଛି।

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର ରହିଥିଲା। ବିଶେଷକରି ଏବିଭିପି ଓ ବିସିଜେଡି ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଉଭୟ ଛାତ୍ର ସଙ୍ଗଠନ ନିଜ ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ଉଦ୍ୟମ କରିଥିବା ବେଳେ ଶେଷରେ ବିସିଜେଡି ବାଜି ମାରିଛି।

ହାଇଭୋଲଟେଜ୍ ଡ୍ରାମା ପରେ BCJDର ବିଜୟ

ରମାଦେବୀ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ସକାଳୁ ସରଗରମ ରହିଥିଲା ରାଜନୈତିକ ପରିବେଶ। ଭୋଟ୍‌କୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଓ ଉତ୍ତେଜନା ଦେଖାଦେଇଥିଲା। ବିଶେଷକରି କ୍ୟାମ୍ପସରେ ବିସିଜେଡି ନେତ୍ରୀ ଇପ୍ସିତାଙ୍କୁ ପୋଲିସ ଉଠାଇ ନେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ନିର୍ବାଚନ ସମୟରେ ଏଭଳି ପରିସ୍ଥିତି ରାଜନୈତିକ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଥିଲା।

ଏସବୁ ଘଟଣାକ୍ରମ ଭିତରେ ନିର୍ବାଚନ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା। ତେବେ ଶେଷରେ ବିସିଜେଡି ପ୍ରାର୍ଥୀ ବିଜୟୀ ହେବା ପରେ ରମାଦେବୀରେ ଛାତ୍ର ରାଜନୀତିର ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ବାଲଟ୍ ନମ୍ବର ପରିବର୍ତ୍ତନକୁ ନେଇ ମଧ୍ୟ ଉଠିଥିଲା ବିବାଦ

ରମାଦେବୀ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ପୂର୍ବରୁ ବାଲଟ୍ ନମ୍ବର ପରିବର୍ତ୍ତନକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ବିସିଜେଡି ସମର୍ଥିତ ସଭାପତି ପ୍ରାର୍ଥୀଙ୍କ ବାଲଟ୍ ନମ୍ବର ଶେଷ ମୁହୂର୍ତ୍ତରେ ବଦଳାଇ ଦିଆଯାଇଥିବା ଅଭିଯୋଗ କରାଯାଇଥିଲା। ପ୍ରଚାର ସମୟରେ ମିଳିଥିବା ବାଲଟ୍ ନମ୍ବର ଅନୁସାରେ ଭୋଟ୍ ମାଗିଥିବା ବେଳେ ହଠାତ୍ ଏହାକୁ ବଦଳାଯିବା ଦ୍ୱାରା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ବୋଲି ବିସିଜେଡି ପକ୍ଷରୁ ଅଭିଯୋଗ ଉଠିଥିଲା। ଏହାକୁ ନେଇ କ୍ୟାମ୍ପସରେ ପ୍ରତିବାଦ ମଧ୍ୟ ହୋଇଥିଲା।

ଇପ୍ସିତା ସାହୁଙ୍କୁ ପୋଲିସ ଉଠାଇନେବା ପରେ ଉତ୍ତେଜନା

ଭୋଟ୍ ଚାଲିଥିବା ବେଳେ ବିସିଜେଡି ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ପୋଲିସ କ୍ୟାମ୍ପସରୁ ଉଠାଇ ନେଇଥିଲା। ଏହାକୁ ବିରୋଧ କରି ବିସିଜେଡି ସମର୍ଥକମାନେ ପ୍ରତିବାଦ କରିଥିଲେ। ଅନ୍ୟପଟେ ଏବିଭିପି ସମର୍ଥିତ ପ୍ରାର୍ଥୀ ଓ ଅନ୍ୟ ଛାତ୍ରୀଙ୍କ ସହ ଦୁର୍ବ୍ୟବହାର ଏବଂ ଧସ୍ତାଧସ୍ତି ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ତେବେ ଇପ୍ସିତାଙ୍କୁ ଉଠାଇନେବା ପଛରେ ଏହି ଅଭିଯୋଗ ହିଁ କାରଣ ଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନଥିଲା।

ଛାତ୍ର ରାଜନୀତିରେ ନୂଆ ଚର୍ଚ୍ଚା

ଓଡ଼ିଶାରେ ଦୀର୍ଘ ବର୍ଷର ବ୍ୟବଧାନ ପରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ଏଥର ବେଶ୍ ଚର୍ଚ୍ଚାରେ ରହିଛି। ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।

ଏହାରି ଭିତରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ବିଜୟ ରାଜଧାନୀର ଛାତ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଉଭା ହୋଇଛି। ନିର୍ବାଚନକୁ ନେଇ ଏତେ ବିବାଦ ଓ ଛକାପଞ୍ଝା ସତ୍ତ୍ୱେ ବିସିଜେଡି ଏବିଭିପିକୁ ମାତ୍ ଦେଇଥିବାରୁ ଏହି ଫଳାଫଳକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି।

ଆଗାମୀ ଦିନରେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମସ୍ୟା, କ୍ୟାମ୍ପସର ବିକାଶ ଓ ଶିକ୍ଷା ସମ୍ପର୍କିତ ଦାବି ପୂରଣ ଦିଗରେ ନୂଆ ଛାତ୍ର ନେତୃତ୍ୱ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।