Paan Dispute Turns Fatal: ପାନ ଖାଇବାକୁ ନେଇ ବିବାଦ, ଯୁବକଙ୍କୁ ଛୁରି ଭୁସି ହତ୍ୟା! ନାବାଳକ ସମେତ ୩ ଗିରଫ
ଗୁଜରାଟର ରାଜକୋଟରେ ପାନ ଖାଇବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି। ଏହି ଘଟଣାରେ ପରେଶ ଚୌହାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନିଲ ଓରଫ କାନୋ ପରମାର, ଧର୍ମେଶ ଓରଫ ରାଧେ ରାଠୋର ଏବଂ ଜଣେ ନାବାଳକଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ଅକ୍ଟୋବର ୧୩ ତାରିଖରେ ରାଜକୋଟର ୧୫୦ ଫୁଟ୍ ରିଙ୍ଗ୍ ରୋଡ୍ର ଆସ୍ଥା ଚୌକଡ଼ି ନିକଟରେ ଥିବା ପାନ ଦୋକାନ ପାଖରେ ଏହି ଘଟଣା ଘଟିଥିଲା। ପରେଶ ଚୌହାନ ନିଜ ସାଙ୍ଗମାନଙ୍କ ସହ ଦୋକାନ ନିକଟରେ ବସିଥିବା ବେଳେ ଅନିଲ ଓରଫ କାନୋ ପରମାର ଜଣେ ସାଥୀଙ୍କ ସହ ଦୁଇଚକିଆ ଗାଡ଼ିରେ ସେଠାରେ ପହଞ୍ଚିଥିଲେ।
କୌଣସି କାରଣକୁ ନେଇ ପରେଶଙ୍କ ସହ ଅନିଲଙ୍କ ସାଥୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଏହା ଧୀରେ ଧୀରେ ବଢ଼ି ମାରପିଟ୍ର ରୂପ ନେଇଥିଲା। ପାନ ଖାଇବାକୁ ନେଇ ହୋଇଥିବା ଏହି ବିବାଦ ଶେଷରେ ଏକ ଗୁରୁତର ଅପରାଧରେ ପରିଣତ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଛୁରିରେ ଏକାଧିକ ଥର ଆକ୍ରମଣ
ଅଭିଯୋଗ ଅନୁସାରେ, ଯୁକ୍ତିତର୍କ ଚାଲିଥିବା ବେଳେ ଅନିଲ ଓରଫ କାନୋ ସେଠାରୁ ପଛକୁ ଯାଇଥିଲେ। କିଛି ସମୟ ପରେ ସେ ଏକ ଛୁରି ଧରି ଫେରିଥିଲେ ଏବଂ ପରେଶଙ୍କ ଶରୀରରେ ଏକାଧିକ ଥର ଆକ୍ରମଣ କରିଥିଲେ।
ଏହି ସମୟରେ ଧର୍ମେଶ ଓରଫ ରାଧେ ରାଠୋର ପରେଶଙ୍କୁ ଧରି ରଖିଥିବା ଏବଂ ଛୁରିରେ ଆକ୍ରମଣ କରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଅନ୍ୟ କିଛି ବ୍ୟକ୍ତି ମଧ୍ୟ ପରେଶଙ୍କୁ ମାଡ଼ ମାରିଥିବା ଅଭିଯୋଗ ରହିଛି। ଆକ୍ରମଣକାରୀଙ୍କ ଭୟରେ ପରେଶଙ୍କ ସହ ଥିବା କିଛି ସାଙ୍ଗ ଘଟଣାସ୍ଥଳରୁ ପଳାଇଯାଇଥିଲେ।
ପରେଶଙ୍କ ସାଙ୍ଗ ଅବିନାଶ ୱାଘେଲା ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଗୁରୁତର ଆହତ ପରେଶଙ୍କୁ ଚିକିତ୍ସା ପାଇଁ ଗିରିରାଜ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
CCTVରେ କଏଦ ହେଲା ପୂରା ଘଟଣା
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାଜକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାସହ ଆଖପାଖରେ ଲାଗିଥିବା CCTV କ୍ୟାମେରା ଯାଞ୍ଚ କରିବାରୁ ଆକ୍ରମଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଥିଲା।
ମୃତକଙ୍କ ପିତା ଟାଭଜୀ ଚୌହାନ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଏହା ଆଧାରରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ସମେତ ଅନ୍ୟ ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଥିଲା।
ନାବାଳକ ସମେତ ୩ ଗିରଫ
ପୁଲିସ ତଦନ୍ତ ପରେ ଅନିଲ ଓରଫ କାନୋ ପରମାର, ଧର୍ମେଶ ଓରଫ ରାଧେ ରାଠୋର ଏବଂ ଜଣେ ନାବାଳକଙ୍କୁ ଗିରଫ କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାନ ଦୋକାନରେ ହୋଇଥିବା ବିବାଦ ସମ୍ପର୍କରେ ଅନିଲ ତାଙ୍କ ନାବାଳକ ସାଙ୍ଗକୁ ଜଣାଇଥିଲେ। ପରେ ନାବାଳକ ଜଣକ ଧର୍ମେଶଙ୍କୁ ଏହି ଘଟଣା ବିଷୟରେ କହିଥିଲେ।
ଏହାପରେ ଧର୍ମେଶ ଓ ଅନ୍ୟମାନେ ଦୋକାନ ନିକଟରେ ପହଞ୍ଚି ପରେଶଙ୍କ ସହ ପୁଣି ବିବାଦରେ ଜଡ଼ିତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏବେ ପୁଲିସ ଘଟଣାର ଅନ୍ୟ ଦିଗ ଓ ଅଭିଯୁକ୍ତମାନଙ୍କ ଭୂମିକା ନେଇ ଅଧିକ ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।