New Jewellery Set For Lord Jagannath: ସୁନାବେଶ ପାଇଁ ମହାପ୍ରଭୁଙ୍କ ନୂଆ ଅଳଙ୍କାର, ମିଳିଲା ପରିଚାଳନା କମିଟି ଅନୁମୋଦନ
ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍। ଏନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଆଉ ଏକ ସେଟ୍ ଅଳଙ୍କାର ନିଜସ୍ବ ଅର୍ଥରେ ପ୍ରସ୍ତୁତ ହେବ। ଏନେଇ ପରିଚାଳନା କମିଟିର ଅନୁମୋଦନ ମିଳିଛି। ଏଥିସହ ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତିକାନ୍ତି ସମୀକ୍ଷା ସହ କୃତଜ୍ଞତା ପ୍ରସ୍ତାବ ଗୃହୀତ ହୋଇଛି।
ଭିଡିଓ ଚିତ୍ରକୁ ମଧ୍ୟ ବୈଠକରେ ଦେଖାଯାଇଥିଲା। ଯାହାକିଛି ଅସଙ୍ଗତି ହୋଇଛି ଆସନ୍ତାବର୍ଷକୁ ତାହାର ଯେପରି ପୁନରାବୃତ୍ତି ନହେବ ତାହା ଉପରେ ଆଲୋଚନା ହୋଇଛି। ରତ୍ନଭଣ୍ଡାର ଗଣତି ମଣତି ଉପରେ ମଧ୍ୟ ଆଲୋଚନା ହୋଇଛି। ଆସନ୍ତା ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଏହି ସମୟରେ ଶ୍ରୀଜିଉଙ୍କ ଜନ୍ମବେଦୀ ଦର୍ଶନ କରିପାରିବେ ଭକ୍ତ।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ପ୍ରଥମ ୩ ଦିନ ମାଗଣାରେ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଏହାପରେ ୧୦ ଟଙ୍କା ଶୁଳ୍କ ଆଦାୟ କରାଯିବ। ସେହିପରି ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ କୌଣସି ଦେୟ ପଡ଼ିବନି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ ମାଗଣା ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।