Odisha Vigilance: ବାରିପଦାରେ ଭିଜିଲାନ୍ସ ଜାଲରେ ଦୁଇ ଅଡିଟ୍ ଅଫିସର: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ବୋଲେରୋ ଜବତ
"ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରୁ ଲାଞ୍ଚଟଙ୍କା ନେଇ ଫେରାର ହେବା ବେଳେ ଭିଜିଲାନ୍ସହାତରେ ଧରାପଡ଼ିଛନ୍ତି ଦୁଇ ଅଡିଟ୍ ଅଫିସର।
ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପ୍ରଜ୍ଞା ପ୍ରକାଶ ପାତ୍ର (ପୁରୀ ଜିଲ୍ଲା ବାସିନ୍ଦା) ଏବଂ ପ୍ରଶାନ୍ତ ପ୍ରଧାନ (ଭୁବନେଶ୍ୱର ବାସିନ୍ଦା)।Advertisment ବିପୁଳ ପରିମାଣର ଲାଞ୍ଚ ଟଙ୍କା ବେଆଇନ ଭାବେ ଆଦାୟ କରି ଏକତ୍ରିତ କରିଥିଲେ ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ରୁ ୧୦ ଦିନ ଧରି ଉଭୟ ଅଧିକାରୀ ବାରିପଦାର ଏକ ହୋଟେଲରେ ରହି ଜିଲ୍ଲାର ବିଭିନ୍ନ ଆଦିବାସୀ ହଷ୍ଟେଲ ଓ ଆଶ୍ରମ ସ୍କୁଲ (ଡିଡବ୍ଲୁଓ ଅଧୀନସ୍ଥ ବିଦ୍ୟାଳୟ) ଗୁଡ଼ିକରେ ଅଡିଟ୍ କାର୍ଯ୍ୟ କରୁଥିଲେ।
ଅଡିଟ୍ ବାବଦକୁ ସେମାନେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫ ରୁ ୧୦ ହଜାର ଟଙ୍କା ଲେଖାଏଁ ବିପୁଳ ପରିମାଣର ଲାଞ୍ଚ ଟଙ୍କା ବେଆଇନ ଭାବେ ଆଦାୟ କରି ଏକତ୍ରିତ କରିଥିଲେ।
ଏ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଦୀର୍ଘ ଦିନ ହେବ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖି ଟ୍ରାକିଂ ଚଳାଇଥିଲା।
ଗତକାଲି ବିଳମ୍ବିତ ରାତିରେ ଉଭୟ ଅଫିସର ବ୍ୟାଗ୍ ଓ ଆଟାଚିରେ ନଗଦ ଟଙ୍କା ଭର୍ତ୍ତି କରି ଏକ ସରକାରୀ ବୋଲେରୋ ଗାଡ଼ି ଯୋଗେ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସର ମିଳିତ ଟିମ୍ ସେମାନଙ୍କୁ ରାସ୍ତା ଉପରେ ପିଛା କରି କାବୁ କରିଥିଲା।
ଯାଞ୍ଚ ସମୟରେ ଅଧିକାରୀଦ୍ୱୟଙ୍କ ନିକଟରୁ ବ୍ୟାଗ୍ ଭର୍ତ୍ତି ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ବୋଲେରୋ ଗାଡ଼ି ଜବତ କରାଯାଇଛି।
ପରେ ସେମାନେ ରହୁଥିବା ହୋଟେଲ ରୁମରେ ମଧ୍ୟ ଚଢ଼ାଉ କରାଯାଇ ଆହୁରି ନଗଦ ଅର୍ଥ ଠାବ ହୋଇଥିବା ବେଳେ ରାତି ତମାମ ଟଙ୍କା ଗଣତି ଜାରି ରହିଥିଲା।
କେବଳ ସେତିକି ନୁହେଁ, ସେମାନଙ୍କ କାର୍ଯ୍ୟାଳୟ ସମେତ ପୁରୀ ଓ ଭୁବନେଶ୍ୱର ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି।
ଅଧିକ ତଦନ୍ତ ତଥା ସର୍ଚ୍ଚ ଅପରେସନ ପାଇଁ ଉଭୟ ଅଧିକାରୀଙ୍କ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ସମେତ ସେମାନଙ୍କ ନିଜ ନିଜ ଘରେ ଏକକାଳୀନ ଭିଜିଲାନ୍ସ ରେଡ୍ ଜାରି ରହିଛି ଏବଂ ଅଟକ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ନିଆଯାଉଛି ବୋଲି ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।
ଆଜି ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜବତ ଟଙ୍କାର ସଠିକ୍ ପରିମାଣ ଓ ତଦନ୍ତ ସମ୍ପର୍କିତ ବିସ୍ତୃତ ତଥ୍ୟ ଭିଜିଲାନ୍ସ ପକ୍ଷରୁ ସାର୍ବଜନୀନ କରାଯିବ।
Youth Goes Missing: ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ବିବାହିତ ଯୁବକ ନିଖୋଜ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।