Odisha Will Go Supreme Court Move: କେମିତି ବନ୍ଦ ହେବ ଆନ୍ଧ୍ରର କୋଟିଆ ଦଖଲ? ସୁପ୍ରିମକୋର୍ଟ ଯିବ ଓଡ଼ିଶା

Oct 21, 2026 - 20:40
Odisha Will Go Supreme Court Move: କେମିତି ବନ୍ଦ ହେବ ଆନ୍ଧ୍ରର କୋଟିଆ ଦଖଲ? ସୁପ୍ରିମକୋର୍ଟ ଯିବ ଓଡ଼ିଶା

ଆନ୍ଧ୍ର କରୁଛି କୋଟିଆ ଭୋଟ୍। କୋଟିଆ ଦଖଲ ପାଇଁ ରାଜନୀତି ଜୋର୍। ଆଶା ଯେତିକି ଆଶଙ୍କା ସେତିକି, ଉତ୍ସାହ ଯେତିକି ଉତ୍କଣ୍ଠା ବି ସେତିକି। ଆନ୍ଧ୍ର-ଓଡ଼ିଶା ଛକାପଂଝା ଭିତରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ। TDP ସହ YSR କଂଗ୍ରେସ ନେତା ଓ କର୍ମୀ ନିଜ ନିଜର ଭୋଟର ଏବଂ ସମର୍ଥକଙ୍କୁ ଧରି ସାଲୁର ଯାଇଛନ୍ତି ନାମାଙ୍କନ ପାଇଁ। ଫଳରେ ଶୂନଶାନ ପଡ଼ିଛି ଗାଁ ଭୂଇଁ। ମିଳିଥିବା ସୂଚନା ଅନୁଯାୟୀ, TDP ପକ୍ଷରୁ ଉପରସେମ୍ବି ଗାଁରୁ ସିରାଞ୍ଜିବି ତାଡିଙ୍ଗି ଏବଂ YSR କଂଗ୍ରେସ ପକ୍ଷରୁ ପାନକୂଳୱାଲସା ଗାଁରୁ ମାଝୀ କାନପୁରିଆ ନାମାଙ୍କନ ଦାଖଲ କରିଛନ୍ତି। କୋଟିଆ ସରପଞ୍ଚଙ୍କ କହିବା କଥା, ଆନ୍ଧ୍ରର ବିଭିନ୍ନ ଯୋଜନାରୁ କୋଟିଆବାସୀ ଅଧିକ ଲାଭ ଓ ସୁବିଧା ପାଉଥିବାରୁ ତାଙ୍କୁ ଅଟକାଇବା ଅସମ୍ଭବ। 

ତେବେ କେମିତି ତୁଟିବ ସମାଧାନର ବାଟ ? ଆନ୍ଧ୍ର ନିର୍ବାଚନରେ ସାମିଲ ହେବା ପୂର୍ବରୁ କେମିତି ଓଡ଼ିଆଙ୍କୁ ରୋକାଯିବ ? କୋରାପୁଟ ଉପ ଜିଲ୍ଲାପାଳଙ୍କ ସୂଚନା, ଆଜିଠୁ କୋଟିଆରେ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ ସମସ୍ୟା ଓ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ସ୍ବତନ୍ତ୍ର ଟିମ୍। ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସର୍ବୋଚ୍ଚ ଅଦାଲତଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଲଙ୍ଘି ଆନ୍ଧ୍ର ଯେଭଳି ବେଆଇନ କାର୍ଯ୍ୟ କରୁଛି, ଓଡ଼ିଶା ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆନ୍ଧ୍ର ବିରୋଧରେ ଆଇନଗତ ଲଢ଼େଇକୁ ଜୋରଦାର କରାଯିବ। 

ଏଣେ ପୂର୍ବ ବିଜେଡି ସରକାର ଅମଳରୁ ମୁଣ୍ଡ ଟେକିଥିବା ସମସ୍ୟାର ସମାଧାନ ପାଇଁ ଖୋଦ୍ ନବୀନଙ୍କ ଚିଠି ପରେ ତେଜିଛି ରାଜନୀତି। ବିଜେପି-ବିଜେଡି ଭିତରେ ସୋସିଆଲ୍ ମିଡ଼ିଆରେ ଚାଲିଛି କାର୍ଟୁନ ୱାର୍। ବିଜେଡି ‘X’ରେ ପୋଷ୍ଟ କରି ଲେଖିଛି କୋଟିଆ ନେଇଗଲାଣି, ବିଜେପି ସରକାରର ନୋ ଟେନସନ। ଏହାକୁ ଶାସକ ବିଜେପି ବି କାର୍ଟୁନ୍ ମାଧ୍ୟମରେ କଡ଼ା କାଉଣ୍ଟର କରି ଦର୍ଶାଇଛି, ୨୪ ବର୍ଷର ଶାସନରେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଜେଡି ବିଫଳ ହୋଇସାରିଛି। କୋଟିଆକୁ ନେଇ ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ରାଜ୍ୟବାସୀ ଜାଣି ସାରିଲେଣି। ଅପରପକ୍ଷେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୋସିଆଲ୍ ମିଡ଼ିଆରେ ଲେଖିଛନ୍ତି, ଏହି ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। କଥାବାର୍ତ୍ତା ମାଧ୍ୟମରେ ଆମକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି କରି ସମାଧାନର ବାଟ କାଢ଼ିବା ଆବଶ୍ୟକ। ସେପଟେ କୋରାପୁଟ ଜିଲ୍ଲାରେ ବି ତେଜିଛି ରାଜନୀତି।  

କୋଟିଆରେ ଆନ୍ଧ୍ର କରୁଥିବା ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ଆଜିଠୁ ଆସନ୍ତା ୨୩ ଯାଏଁ ଚାଲିବ ନାମାଙ୍କନ। ଅକ୍ଟୋବର ୨୪ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଅକ୍ଟୋବର ୨୭ରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଏହାପରେ ନଭେମ୍ବର ୩ରେ ହେବ ମତଦାନ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।