SBI Confirms Data Leak on Dark Web: SBIରେ ବଡ଼ ସାଇବର ଆଟାକ୍, ଡାର୍କ ୱେବ୍‌ରେ ଲିକ୍ ହେଲା ବ୍ୟକ୍ତିଗତ ତଥ୍ୟ

Oct 21, 2026 - 20:40
SBI Confirms Data Leak on Dark Web: SBIରେ ବଡ଼ ସାଇବର ଆଟାକ୍, ଡାର୍କ ୱେବ୍‌ରେ ଲିକ୍ ହେଲା ବ୍ୟକ୍ତିଗତ ତଥ୍ୟ

ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ ବ୍ୟାଙ୍କ- ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗ୍ରାହକଙ୍କ ଡାଟା ଲିକ୍। ବ୍ୟାଙ୍କର ପ୍ରାଥମିକ ତଦନ୍ତରୁ ୩ ହଜାର ୮୯୭ ଗ୍ରାହକଙ୍କ ଡାଟା ଡାର୍କ ୱେବ୍ ରେ ଉପଲବ୍ଧ ଥିବା ଜଣାପଡ଼ିଛି। ଯେଉଁଥିରେ ରହିଛି ଗ୍ରାହକଙ୍କ ନାଁ, ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ଲିଙ୍ଗ, ଇମେଲ୍ ଆଇଡି, ଘର ଠିକଣା ଆଦି ସୂଚନା। ଖାଲି ସେତିକି ନୁହେଁ, ଗ୍ରାହକଙ୍କ ବ୍ୟାଙ୍କ ଶାଖା, କଷ୍ଟମର୍ ଇନଫର୍ମେସନ୍ ଫାଇଲ୍ ବା CIF, ଲିଡ୍ ଆଇଡି ଏବଂ ଋଣ ସଂପର୍କିତ ରେକର୍ଡ ମଧ୍ୟ ଡାର୍କ ୱେବ୍ ରେ ରହିଛି। ଏହି ଡାଟା ଚୋରି କେତେ ପରିମାଣରେ ହୋଇଛି, ଏବେ ତା ଉପରେ ଖୋଳତାଡ଼ ଜାରି ରଖିଛି SBI। ଏନେଇ ବ୍ୟାଙ୍କ, ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ଫାଇଲିଂରେ ଜଣାଇଛି ଯେ, ଅକ୍ଟୋବର ୧୬ରେ ଡିଫେନ୍ସ ସାଇବର୍ ଏଜେନ୍ସି ଏବଂ ଇଣ୍ଡିଆନ୍ କଂପ୍ୟୁଟର ଏମର୍ଜେସନ୍ସି ରେସପନ୍ସ ଟିମ୍ ପକ୍ଷରୁ ଗ୍ରାହକଙ୍କ ତଥ୍ୟ ଡାର୍କ ୱେବ୍ ରେ ଉପଲବ୍ଧ ଥିବା ସୂଚନା ମିଳିଥିଲା। ଏହାପରେ ଡାର୍କ ୱେବ୍ ରେ ଗ୍ରାହକଙ୍କ ରେକର୍ଡ ଯାଂଚ କରାଯିବା ପରେ ୩ ହଜାର ୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ସଂପର୍କିତ ସୂଚନା ମିଳିଥିଲା। 

ଏହି ଘଟଣା ପରେ ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, SBIର ସମସ୍ତ ବ୍ୟାଙ୍କିଂ ସେବା ସ୍ବାଭାବିକ ଭାବେ ଚାଲିଛି। ସାଇବର୍ ଆଟାକ୍ ଘଟଣା ସାମ୍ନାକୁ ଆସିବା ପରେ ଏହାର ମୁକାବିଲା ଲାଗି ତୁରନ୍ତ ଜରୁରୀ ପଦକ୍ଷେପ ନିଆଯାଇଛି। SBI ଡାଟା ଲିକ୍ ହଟଚମଟ ଭିତରେ ସିରିୟସିମ୍ ନାମକ ଏକ ଏକ ହ୍ୟାକର୍ ଗ୍ରୁପ୍ ଦାବି କରିଥିଲା ଯେ, ପ୍ରାୟ ୩ ଲକ୍ଷ ୭୫ ହଜାର ଗ୍ରାହକଙ୍କର ତଥ୍ୟ, ଗ୍ରୁପ୍ ହାସଲ କରିଛି। ତେବେ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ଫାଇଲିଂରେ ଏସବିଆଇ କୌଣସି ହ୍ୟାକର୍ ଗ୍ରୁପ୍ ର ନାଁ ଉଲ୍ଲେଖ କରିନାହିଁ। '

ଏବେ ବଡ଼ ପ୍ରଶ୍ନ- କେମିତି ଡାର୍କ ୱେବ୍ ଡାଟା ଲିକ୍ ରୁ ବର୍ତ୍ତିବେ ?

- ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ଭିନ୍ନ ଭିନ୍ନ ପାସୱାର୍ଡ ବ୍ୟବହାର କରନ୍ତୁ
- ଟ୍ରାଞ୍ଜାକସନ୍ ଆଲର୍ଟ ଆକ୍ଟିଭ୍ ରଖନ୍ତୁ
- ଅଜଣା ମେସେଜ୍, ଇମେଲ୍ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ
- ମୋବାଇଲ୍ ଓ ବ୍ୟାଙ୍କିଙ୍ଗ୍ ଆପରେ 2 Factor Authentication ବା 2FA ଅନ୍ ରଖନ୍ତୁ
- କ୍ରେଡିଟ୍ ରିପୋର୍ଟ ଯାଞ୍ଚ କରନ୍ତୁ, ଲକ୍ କରନ୍ତୁ ଆଧାର ବାୟୋମେଟ୍ରିକ୍ସ
- ବ୍ୟାଙ୍କ କିମ୍ବା ଅନ୍ୟ ବିଶ୍ବସନୀୟ ସଂସ୍ଥାର ସୁରକ୍ଷା ସୂଚନାକୁ ଗୁରୁତ୍ୱ ଦିଅନ୍ତୁ

ଡାର୍କ ୱେବ୍ ଏପରି ଏକ ନେଟୱର୍କ ଯାହା ସଂପୂର୍ଣ୍ଣ ଏନକ୍ରିପ୍ଟେଡ୍। ଏଥିରେ ଯେ ବ୍ୟକ୍ତିଙ୍କ IP ଆଡ୍ରେସ୍ ଗୁପ୍ତ ରହିଥାଏ। ଡାର୍କ ୱେବ୍ ଦ୍ବାରା ଅନେକ ବେଆଇନ କାରବାର କରାଯାଏ। ଚୋରା ଡାଟା କ୍ରୟ-ବିକ୍ରୟ ହୋଇଥାଏ। ହ୍ୟାକର୍ ଅନଧିକୃତ ପ୍ରବେଶ କରି ବ୍ୟକ୍ତିଗତ ତଥ୍ୟ ଚୋରି କରନ୍ତି। ନକଲି ୱେବସାଇଟ୍, ମେସେଜ୍, ଇମେଲ୍ ଲିଙ୍କ୍ ପଠାନ୍ତି। କ୍ଷତିକାରକ ଭାଇରସ୍ ପଠାଇ ଡାଟା ହ୍ୟାକ୍ କରାଯାଏ। ଚୋରି ତଥ୍ୟକୁ କ୍ରିପ୍ଟୋକରେନ୍ସି ବଦଳରେ ବିକ୍ରି କରନ୍ତି ହ୍ୟାକର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।