Odisha’s Changing Weather Raises Climate Concerns: ରୂପ ବଦଳାଇ ଭୟଙ୍କର ହେଉଛି ଜଳବାୟୁ, ଓଡ଼ିଶାରେ ପାଣିପାଗର ଭିନ୍ନ ରୂପ

Sep 01, 2026 - 20:09
Odisha’s Changing Weather Raises Climate Concerns: ରୂପ ବଦଳାଇ ଭୟଙ୍କର ହେଉଛି ଜଳବାୟୁ, ଓଡ଼ିଶାରେ ପାଣିପାଗର ଭିନ୍ନ ରୂପ

ରାଜ୍ୟର ଚାରି ଦିଗରେ ଚାରି ପ୍ରକାରର ପାଗ। କେଉଁଠି ଅତ୍ୟଧିକ ବର୍ଷା ତ କେଉଁଠି ବର୍ଷା ଅଭାବରୁ ଶୁଖିଲା ପଡିଛି ମାଟି। ସୁନ୍ଦରଗଡ କୋଇଡା ବ୍ଲକ୍ ଟେନସାର ଘନ କୁହୁଡି। ଭାଦ୍ରବ ଆରମ୍ଭରୁ ଏଠି ମୁହଁକୁ ମୁହଁ ଦିଶୁନି। ସହରକୁ ଘୋଡାଇ ଦେଇଥିଲା କୁହୁଡିର ଚାଦର। ବର୍ଷା ବଦଳରେ ଏଠି ଆସ୍ତରଣ କୁହୁଡିର। ସେପଟେ ଉବୁଟୁବୁ ଉତ୍ତର ଓଡ଼ିଶା। ଭଦ୍ରକ, ବାଲେଶ୍ବର, ଯାଜପୁର ସବୁଠି ବନ୍ୟା ସ୍ଥିତି। ଗୋଟିଏ ନ ଯାଉଣୁ ଆଉ ଗୋଟିଏ ପହଁଚିଯାଉଛି। କିଛି ନଦୀରେ ଚାରି ଚାରିଥର ବନ୍ୟା ଆସିଲାଣି। ବୈତରଣୀ, ସାଳନ୍ଦୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଫୁଲି ଉଠୁଛି, କୂଳ ଲଙ୍ଗୁଛି। ବଢି ପାଣିରେ ବୁଡିଛି ବାସ, ବସତି ଆଉ ଚାଷ। ସେପଟେ ଦିନକରେ ମୟୂରଭଞ୍ଜରେ ପ୍ରବଳ ଢାଳିଛି। ବାଙ୍ଗିରିପୋଷିରେ ୩୦୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୁଡିଛି ବାରିପଦା, ପାଣିଘେରରେ ଶହ ଶହ ପରିବାର। ଅନ୍ୟପଟେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲୁଚକାଳି ଖେଳୁଛି ବର୍ଷା। ଏ ଚିତ୍ର ଗଜପତି ଜିଲ୍ଲା ମୋହନାର। ଧାରା ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି, ତଥାପି ପଡିଆ ପଡିଛି ଜମି, ଶୁଖିଲା ଭୂଇଁ। ଗଞ୍ଜାମ ଖଲ୍ଲିକୋଟ ଅଂଚଳରେ ଭଲ ବର୍ଷା ନହେବାରୁ ବିଳମ୍ବ ହୋଇଛି ଧାନ ରୁଆ। ଯେଉଁ ସମୟରେ ବିଲରେ ଫସଲ ହସିବା କଥା ସେଠି ବୁଢା ହୋଇଗଲାଣି ତଳି। ଚାଷୀ ମୁଣ୍ଡରେ ଚଡକ ପଡିଛି। 

ପାଣିପାଗର ଭିନ୍ନ ଭିନ୍ନ ରୂପ। ଅଳ୍ପ କିଛି କିଲୋମିଟର ଭିତରେ ବଦଳିଯାଉଛି ପାଗ। କେଉଁଠି ଅନବରତ ଢାଳୁଛି, କେଉଁଠି ନିଅଣ୍ଟିଆ ବର୍ଷା। ଆଉ କେଉଁଠି ଅଦିନିଆ କୁହୁଡି। ତେବେ ଗୋଟିଏ ସମୟରେ ରାଜ୍ୟରେ ଭିନ୍ନ ଭିନ୍ନ ପାଗ କାହିଁକି ଦେଖାଯାଉଛି ? ପାଣିପାଗରେ କାହିଁକି ଏଭଳି ପରିବର୍ତ୍ତନ ? ଜଳବାୟୁ ପରିବର୍ତ୍ତନ ଆଣୁଛି କି ଭିନ୍ନ ଭିନ୍ନ ସ୍ଥିତି ? ରାଜ୍ୟରେ ଜଳବାୟୁ ଓ ପାଣିପାଗର ଏଭଳି ଭିନ୍ନ ଭିନ୍ନ ରୂପକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।