Oil price: ଏଲ୍ ନିନୋ ପ୍ରଭାବ! ଏବର୍ଷ ତେଲ ଦର ଉଚ୍ଚା ରହିବ
"ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ନିକଟ ଭବିଷ୍ୟତରେ ଅଶୋଧିତ ତେଲ ଦର ଆଖିଦୃଶିଆ କମିବା ସମ୍ଭାବନା ନାହିଁ।
ବିଶେଷକରି ୨୦୨୬ର ଚତୁର୍ଥ ତ୍ରୟମାସରେ ଦର ଉଚ୍ଚା ରହିପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ବ୍ୟାଙ୍କ ଓ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।
ତେବେ ୨୦୨୭ରେ ଦର କିଛିମାତ୍ରାରେ କମିବା ଆଶା ରହିଛି।
Advertisment ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା, ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ନେଇ ବିପଦ ଏବଂ ମେକ୍ସିକୋ ଉପସାଗରରେ ଘୂର୍ଣ୍ଣିଝଡ଼ ଆଶଙ୍କା ତୈଳ ଯୋଗାଣକୁ ପ୍ରଭାବିତ କରୁଛି।ଅଶୋଧିତ ତୈଳ ଦର ଗତକାଲି ବ୍ୟାରେଲ ପିଛା ୧୦୫ ଡଲାର ଅତିକ୍ରମ କରିଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ଆକ୍ରମଣ ନ କରିବା ନେଇ ମତ ଦେବା ପରେ ଦର କିଛିଟା ହ୍ରାସ ପାଇଛି।
ଦର ୧୦୩-୧୦୪ ଡଲାର ସ୍ତରକୁ ଚାଲିଆସିଛି।
ତଥାପି ତୈଳ ଯୋଗାଣକୁ ନେଇ ଅନିଶ୍ଚିତତା ଦୂର ହୋଇନାହିଁ।
ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ, ୨୦୨୬ର ଶେଷ ତ୍ରୈମାସିକରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୮୯ରୁ ୧୦୦ ଡଲାର ମଧ୍ୟରେ ରହିପାରେ।
୨୦୨୭ରେ ଏହା ୮୦ରୁ ୯୦ ଡଲାର ସ୍ତରକୁ ଖସିବା ସମ୍ଭାବନା ରହିଛି।
ମର୍ଗାନ ଷ୍ଟାନଲି ୨୦୨୬ର ଶେଷ ତ୍ରୈମାସିକ ପାଇଁ ବ୍ୟାରେଲ ପିଛା ତେଲ ଦର ୧୦୦ ଡଲାର ରହିବା ନେଇ ଆକଳନ କରିଥିବାବେଳେ ବ୍ୟାଙ୍କ ଅଫ୍ ଆମେରିକା ୯୫ ଡଲାର ଆକଳନ କରିଛି।
ଏଲ୍ ନିନୋ ପ୍ରଭାବରେ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି।
ଯଦି ଅଶୋଧିତ ତେଲ ଦର ଉଚ୍ଚସ୍ତରରେ ରହେ ତା"ହେଲେ ଏହାର ପ୍ରଭାବ ଭାରତର ମୁଦ୍ରାସ୍ଫୀତି ଓ ସୁଧ ହାରକୁ ପ୍ରଭାବିତ କରିବ।
ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିଲେ ରିଜର୍ଭ ବ୍ୟାଙ୍କ କଠୋର ମୁଦ୍ରାନୀତି ଆପଣାଇବାକୁ ଯାଇ ସୁଧ ହାର ବଢ଼ାଇବ।
ଉଚ୍ଚା ସୁଧ ହାର ଦେଶର ଅଭିବୃଦ୍ଧିକୁ ସଙ୍କୁଚିତ କରିବା ସହ ଅର୍ଥନୀତିକୁ ଅସୁବିଧାରେ ପକାଇବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।