One Family, Three Kidney Disease Battles: ପ୍ରଥମେ ଦିଅର, ପରେ କିଡନୀ ରୋଗ ନେଇଗଲା ସ୍ୱାମୀଙ୍କୁ; ଏବେ ସେଇ ରୋଗରେ ପଡ଼ିଛନ୍ତି ସ୍ତ୍ରୀ
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିକ୍ରମପୁର ଗାଁରୁ ଆସିଛି ଏକ ହୃଦୟବିଦାରକ କାହାଣୀ। ଗୋଟିଏ ପରିବାରକୁ ଯେମିତି କିଡନୀ ରୋଗ ପିଛା ଛାଡ଼ୁନି । ପ୍ରଥମେ ଦିଅର ପରେ ସ୍ୱାମୀ କିଡନୀ ରୋଗରେ ଯିବା ପରେ ପୁଣି ସେଇ ରୋଗରେ ପଡ଼ିଛନ୍ତି ସ୍ତ୍ରୀ । ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ସୁସ୍ଥ ହୋଇନାହାନ୍ତି। ପାଖରେ ଆଉ ଟଙ୍କା ନାହିଁ, ମାନସିକ ସ୍ତରରେ ବି ହୋଇଗଲେଣି ଦୁର୍ବଳ । କାରଣ ପୂର୍ବରୁ ସମାନ ରୋଗରେ ୨ଜଣଙ୍କୁ ଜୀବନ ଯାଇଛି ।
ଗୋଟିଏ ଘର... ଗୋଟିଏ ପରିବାର... ଆଉ ସେହି ପରିବାର ଉପରେ ଯେମିତି ବାରମ୍ବାର ମାଡ଼ି ଆସୁଛି ଗୋଟିଏ ରୋଗର କଳା ଛାୟା। ଯେଉଁ ରୋଗ ପ୍ରଥମେ ଦିଅରଙ୍କୁ ନେଲା, ତାପରେ ସ୍ବାମୀଙ୍କୁ ନେଲା, ସେଇ ରୋଗ ଏବେ ତାଙ୍କୁ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବିକ୍ରମପୁର ଗାଁର ଦୂର ଗହୀର । ଯିଏ ସ୍ବାମୀ ଓ ଦିଅର ଯିବା ପରେ ମନ ଦୃଢ କରି ଜୀବନ ରାସ୍ତାରେ ଦୃଢ ଭାବେ ଚାଲିବାର ସଂକଳ୍ପ ନେଇଥିଲେ, ସିଏ ଆଜି ଆପେ ଚାଲି ବି ପାରୁନାହାନ୍ତି । କାରଣ ତାଙ୍କୁ ବି ସେଇ ରୋଗ ।
ଦୂର ଗହୀର ୮ ମାସ ହେଲାଣି କିଡନୀ ରୋଗରେ ପୀଡ଼ିତ । ଶରୀର ଦିନକୁ ଦିନ ଦୁର୍ବଳ ହେଉଛି, କିନ୍ତୁ ମନରେ ଏବେ ବି ବଞ୍ଚିବାର ଅଦମ୍ୟ ଇଚ୍ଛା। ୨୦୧୪ ମସିହାରେ ତାଙ୍କ ଦିଅର ଗୋବିନ୍ଦ ଗହୀର କିଡନୀ ରୋଗରେ ପ୍ରାଣ ହରାଇଥିଲେ। ସେହି ଦୁଃଖ ଭୁଲିବା ପୂର୍ବରୁ ୨୦୨୩ ମସିହାରେ ସ୍ୱାମୀ ଲୋଚନ ଗହୀର ମଧ୍ୟ ସମାନ ରୋଗର ଶିକାର ହୋଇଥିଲେ। ଆଉ ଏବେ ସେହି ପରିବାରର ବୋହୂ ଦୂର ଗହୀର ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ।
ସୁସ୍ଥ ହେବା ଆଶାରେ ଦୂର ଅନେକ ସ୍ଥାନରେ ଚିକିତ୍ସା କରାଇଛନ୍ତି। ଭବାନୀପାଟଣାର ଘରୋଇ ମେହିକାଲ ପରେ ଜଣେ ବୈଦ୍ୟ, ତାପରେ ଭବାନୀପାଟଣା ସରକାରୀ ହସ୍ପିଟାଲ, କଣ୍ଟାବାଞ୍ଜି ଡାକ୍ତରଖାନା ଏବଂ ସରଗାଦି ଗାଁର ବୈଦ୍ୟଙ୍କ ପାଖରେ ଚିକିତ୍ସା କରାଇଛନ୍ତି। ବର୍ତ୍ତମାନ ଟିଟିଲାଗଡ଼ର ଜଣେ ଆୟୁର୍ବେଦିକ ଚିକିତ୍ସକଙ୍କ ନିକଟରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସା ପାଇଁ ପରିବାରର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ଜମାପୁଞ୍ଜି ସରିଯାଇଛି, ଧାର କରଜ ବଢ଼ିଚାଲିଛି।
ତଥାପି ରୋଗ ଭଲ ହୋଇନାହିଁ। ଆର୍ଥିକ ଅନଟନ ଯୋଗୁଁ ଉନ୍ନତ ଚିକିତ୍ସା କରାଇବା ମଧ୍ୟ ଏବେ ସମ୍ଭବ ହେଉନାହିଁ। ଏପରିକି ତାଙ୍କ ପାଖରେ ଆୟୁଷ୍ମାନ କାର୍ଡ ମଧ୍ୟ ନାହିଁ। ଗୋଟିଏ ରୋଗ କିଭଳି ଗୋଟିଏ ପରିବାରର ସମସ୍ତ ସୁଖ-ଶାନ୍ତି ଛଡ଼ାଇ ନେଇପାରେ, ତାହାର ଜୀବନ୍ତ ଉଦାହରଣ ହେଉଛି ଗହୀର ପରିବାର। ଏନେଇ ଖଡ଼ିଆଳ ସବ୍-ଡିଭିଜନ ହସ୍ପିଟାଲର ମେଡିକାଲ ଇନ୍-ଚାର୍ଜ ଡାକ୍ତର ରଞ୍ଜିତ ରାଉତ କହିଛନ୍ତି, ଏକ ସ୍ୱାସ୍ଥ୍ୟ ଟିମ୍ ଗାଁକୁ ଯାଇ ତଦନ୍ତ କରିବେ ଏବଂ ଆବଶ୍ୟକ ସହାୟତା ପ୍ରଦାନ କରାଯିବ।
ଦୂର ଗହୀରଙ୍କ ପରିବାର ଆର୍ଥିକ ଓ ମାନସିକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି। ସରକାର, ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଓ ସହୃଦୟ ବ୍ୟକ୍ତିମାନେ ଯଦି ସାହାଯ୍ୟର ହାତ ବଢ଼ାନ୍ତି, ତେବେ ହୁଏତ ସ୍ଥିତି ବଦଳିପାରେ । ଆପଣମାନେ ଯଦି କିଛି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ଠିକଣା-
ନାମ- ଦୂର ଗହୀର
ଗ୍ରାମ – ବିକ୍ରମପୁର
ଡାକ – ଡୁଆଝର
ବ୍ଲକ – ଖଡ଼ିଆଳ
ଜିଲ୍ଲା – ନୂଆପଡ଼ା
ମୋବାଇଲ୍ – 80188 36622
- ପ୍ରଥମେ ଦିଅର, ପରେ କିଡନୀ ରୋଗ ନେଇଗଲା ସ୍ବାମୀଙ୍କୁ
- ଏବେ ସେଇ ସମାନ ରୋଗରେ ପଡ଼ିଛନ୍ତି ସ୍ତ୍ରୀ
- ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ମିଳିନି ଉପସମ
- କିଡନୀ ପ୍ରତିରୋପଣ ପାଇଁ ପାଖରେ ନାହିଁ ଟଙ୍କା
- ନୂଆପଡ଼ା ଖଡ଼ିଆଳରୁ ଦେଖିବା ଦୁଃଖୀ ପରିବାରର କାହାଣୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।