Orangutan Mystery: ରହସ୍ୟ ବଢ଼ାଉଛନ୍ତି ଓରାଙ୍ଗଉଟାନ; ସମୁଦ୍ରପଥ ଦେଇ ଚାଲାଣ ସନ୍ଦେହ, ଆଜି ହେବ DNA ଟେଷ୍ଟ
ରହସ୍ୟ ବଢ଼ାଉଛନ୍ତି ବଣ ମଣିଷ। ୪୦ ଘଣ୍ଟା ବିତିଲା, ହେଲେ ଏବେ ବି ସମାନ ପ୍ରଶ୍ନ। କିଏ, କାହିଁକି, କେଉଁଠୁ ଆଣିଥିଲା ୫ ଓରାଙ୍ଗଉଟାନଙ୍କୁ ? ସ୍ଥଳପଥ ନା ଜଳପଥ ଦେଇ କରାଯାଉଥିଲା ଚୋରା ଚାଲାଣ ? ପଶ୍ଚିମବଙ୍ଗ ଦେଇ ହେଉଛି କି ଅନ୍ତର୍ଜାତୀୟ ସ୍ମଗଲିଂ ? ପୁଳା ପୁଳା ପ୍ରଶ୍ନ ଭିତରେ ଆଜି ପଶ୍ଚିମବଙ୍ଗ ଦୀଘା ଯାଇ ତଦନ୍ତ ଜୋରଦାର କରିଛି ଏସଟିଏଫ୍।
ମେରାଇନ୍ ଥାନାରେ ସମ୍ଭାବ୍ୟ ଜଳପଥ ଓ ଜାହାଜ କି ଟ୍ରଲରରେ ଚୋରାଚାଲାଣ ନେଇ ତନାଘନା ହୋଇଛି। ଏପଟେ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଓ ପୋଲିସ ମିଳିତ ଭାବେ ବିମାନବନ୍ଦର ଓ ରେଳ ଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଏହାରି ଭିତରେ ନନ୍ଦନକାନନରେ ଏହି ଓରାଙ୍ଗଉଟାନମାନଙ୍କୁ ସ୍ଥାୟୀ ଭାବେ ରଖିବାକୁ ସେଣ୍ଟ୍ରାଲ ଜୁ' ଅଥରିଟିକୁ ମଗାଯାଇଛି ଅନୁମତି।
ତେବେ ଆଜି ହେବ ଓରାଙ୍ଗଉଟାନଙ୍କ DNA ଟେଷ୍ଟ। ଭୋଗରାଇରୁ ଉଦ୍ଧାର ହୋଇଥିବ ୫ ଓରାଙ୍ଗଉଟାନଙ୍କର ରକ୍ତ ନମୁନା, ଡିଏନଏ ନମୁନା ସଂଗ୍ରହ ହେବ। ଓୟୁଏଟି ଅଧୀନରେ ଥିବା ସେଣ୍ଟର ଫର ୱାଇଲ୍ଡ ଲାଇଫ ହେଲ୍ଥ କମିଟିର ପରାମର୍ଶରେ ଟେଷ୍ଟ କରାଯିବ। ନମୁନା ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯିବ। ଓରାଙ୍ଗଉଟାନଙ୍କ ଦେହରେ କିଛି ସଂକ୍ରମଣ ଅଛି ନା ନାହିଁ, ସେମାନେ ଗୋଟିଏ ମା'ର ଛୁଆ କି ନୁହେଁ, ସେମାନଙ୍କ ପ୍ରକୃତ ବୟସ ଏବଂ କେଉଁ ପ୍ରଜାତିର ଜଣାପଡିବ। ଓରାଙ୍ଗଉଟାନ ଦେହରେ କୃମି ଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।