28 OCTOBER 2026

Welcome!

Unlock your personalized experience.
Sign Up

Order: ଜିଲ୍ଲା ପ୍ରଶାସନକୁ ଝଟକା, ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଉପରୁ ଏନଏସଏ ହଟାଇବାକୁ ନି‌ର୍ଦେଶ

Oct 28, 2026 - 17:52
Order: ଜିଲ୍ଲା ପ୍ରଶାସନକୁ ଝଟକା, ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଉପରୁ ଏନଏସଏ ହଟାଇବାକୁ ନି‌ର୍ଦେଶ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବାକୁ ଜାତୀୟ ସୁରକ୍ଷା ଆଇନ ଲଗାଇଥିବା ମାମଲାରେ ଜିଲ୍ଲା ପ୍ରଶାସନକୁ ଝଟକା ଲାଗିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅପରାଧି ଶିବା ଉପରୁ ଏନଏସଏ ହଟାଇବାକୁ ନିର୍ଦେଶ ଦେଇଛନ୍ତି।  

ରାଜ୍ୟ ସରକାରଙ୍କ ଗୃହ ବିଭାଗର ସ୍ବତନ୍ତ୍ର ସେକ୍ସନର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ରାୟଗଡା ଜିଲ୍ଲାପାଳଙ୍କୁ ଚିଠି ଯୋଗେ ସୂଚାଇଛନ୍ତି ଯେ ଜିଲ୍ଲାପାଳ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବାକୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ୧୯୮୦ ଅନୁଯାୟୀ ଯେଉଁ କାରଣ ଦର୍ଶାଇଥିଲେ  ତାହା ଯୁକ୍ତିଯୁକ୍ତ ଏବଂ ପର୍ଯ୍ୟାପ୍ତ ନୁ‌ହେଁ। ଏନେଇ ଜାତୀୟ ସୁରକ୍ଷା ଆଇନର ପରାମର୍ଶଦାତା ବୋର୍ଡର ରିପୋର୍ଟ  ଏବଂ ମତାମତକୁ ବିଚାର କରିବା ପରେ ରାୟଗଡା ଜିଲ୍ଲା ମାଜିଷ୍ଟ୍ରେଟ ଦ୍ବାରା ୨୮/୦୮/୨୬ ତାରିଖରେ ଦିଆଯାଇଥିବା ଅଟକ ଆଦେଶ ନଂ ୧୮୭୪କୁ ପ୍ରତ୍ୟାହାର କରାଯାଇଛି। ଅଟକ ଲଗାଯାଇଥିବା କାରଣ ପର୍ଯ୍ୟାପ୍ତ ନୁହେଁ ବୋଲି ସମୀକ୍ଷାରୁ ଜଣାପଡ଼ିବା ପରେ ସରକାର ଉକ୍ତ ଆଇନର ଧାରା୧୨(୨)ଦ୍ବାରା ପଦତ୍ତ କ୍ଷମତା ବ୍ୟବହାର କରି  ଅପରାଧି ଶିବା ବିରୋଧରେ ଏନଏସଏ‌ରେ ଅଟକ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। 

ଜାତୀୟ ସରକ୍ଷା ଆଇନ ମାମଲାରୁ ତାଙ୍କୁ ମୁକ୍ତ କରିବା ସହ ଆଦେଶ ନେଇ ସମ୍ବଲପୁର ସର୍କଲ ଜେଲ ଅଧିକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଏନେଇ ଆଦେଶ ଆସିବା ପରେ ଶିବାଙ୍କ ଓକିଲ ନବ କୁମାର କାଣ୍ଟା ପରବର୍ତ୍ତି ଆଇନଗତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

Encounter: ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର କଲା ପୁଲିସ

ସୂଚନାଯୋଗ୍ୟଯେ ରାୟଗଡା ସହର ରେଲିସାହି ନିବାସୀ ୪୦ ବର୍ଷୀୟ ଶିବା ନାମରେ ୬୪ଟି ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଥିଲାI ଗତ ଜୁନ ମାସରେ ଶିବାର ପୁଅ ହାଡ଼ିପା ନିଖିଲକୁ କିଛି ଅପରାଧୀ ଗୋଡ଼ାଇ ଗୋଡ଼ାଇ ଗୁଳି ମାରି ରାୟଗଡା ସହର ମଧ୍ୟରେ ହତ୍ୟା କରିଥିଲେI ଜୁଆ ଆଡ୍ଡା ରୁ ଲୁଟ ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୁଲିସ ସୂଚନା ଦେଇଥିଲାI କୋରାପୁଟ ଜିଲ୍ଲା ଆଲମଣ୍ଡାରେ ହୋଇଥିବା ଜୁଆ ଲୁଟ ଘଟଣାରେ ଉଭୟ ବାପା ପୁଅ ସଂଶ୍ଲିଷ୍ଟ ରହିଥିଲେI ହତ୍ୟାକାଣ୍ଡ ପରେ ରାୟଗଡ଼ାରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲାI ଶିବା ଗୋଷ୍ଠୀ ତରଫରୁ ପ୍ରତି ଆକ୍ରମଣ ପାଇଁ ଉଦ୍ୟମ କରାଯାଇଥିଲାI ହତ୍ୟାକାଣ୍ଡ ଘଟଣାରେ ରାୟଗଡ଼ା ପୁଲିସ ୨୦ରୁ ଊର୍ଦ୍ଧ୍ବ ଅପରାଧୀଙ୍କୁ ଗିରଫ କରିଥିଲାI ପୂର୍ବରୁ ବିଭିନ୍ନ ମାମଲା ରହିଥିବା ଦୁର୍ଦ୍ଧାନ୍ତ ଶିବାକୁ ମଧ୍ୟ ପୁଲିସ ଗିରଫ କରିଥିଲାI ଜାତୀୟ ସୁରକ୍ଷା ଆଇନ ଲାଗିବା ପରେ ଏନେଇ ଶିବାର ଓକିଲ ନବ କୁମାର କIଣ୍ଟାଙ୍କୁ  କୌଣସି ସୂଚନା ଦିଆ ଯାଇନଥିଲା ଓ ଶିବାର ସ୍ତ୍ରୀକୁ ପୁଲିସ ଏନ୍‌ଏସ୍‌ଏ ଲାଗିଥିବା ନେଇ ତରବରିଆ  ନୋଟିସ ଜାରି କରିଥିଲେ ବୋଲି ଅଭିଯୋଗ କରିଥିଲେ। ଶିବା ବର୍ତ୍ତମାନ ସମ୍ବଲପୁର ସର୍କଲ ଜେଲରେ ଥିବା ସୂଚନାରୁ ଜଣାପଡିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।