Orphaned Struggles With Palmoplantar: କରୋନା ଛଡ଼ାଇନେଲା ବାପା-ମା’ର ସ୍ନେହ; ଦାଦା-ଖୁଡ଼ିଙ୍କ ପାଖେ ବଢୁଥିବା ୧୨ ବର୍ଷୀୟ ସୋନୁ ପାଉଛି କଷ୍ଟ
ବୟସ ମାତ୍ର ୧୧-୧୨ ବର୍ଷ । ଏଇ ବୟସରେ ହାତରେ ବହି ଧରି ସ୍କୁଲ ଯିବା କଥା, ସାଙ୍ଗସାଥୀଙ୍କ ସହ ଖେଳିବା କଥା । ହେଲେ ସୋନୁର ଜୀବନରେ ଖେଳ ନାହିଁ, ଖୁସି ନାହିଁ । ଅଛି କେବଳ ଅସହ୍ୟ ଯନ୍ତ୍ରଣା ଓ ସଂଘର୍ଷ । କରୋନା ତାଠାରୁ ଛଡ଼ାଇ ନେଇଛି ବାପା-ମା'ଙ୍କୁ, ଆଉ ଏବେ ଏକ ଜଟିଳ ଚର୍ମ ରୋଗ ତା'ର ଶୈଶବକୁ କଷ୍ଟରେ ଭରିଦେଇଛି ।
ଔଷଧ ପାଇଁ ମାସକୁ ଦରକାର ହଜାର ହଜାର ଟଙ୍କା, କିନ୍ତୁ ଅଭାବୀ ପରିବାର ପାଇଁ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ହୋଇପଡ଼ିଛି । ଫଳରେ ପ୍ରତିଦିନ ବଢ଼ିଚାଲିଛି ସୋନୁର କଷ୍ଟ । ଆପଣ ଏକା ନୁହନ୍ତିରେ ଆଜି ଦେଖିବା ବଲାଙ୍ଗୀରର ସୋନୁ ତାଣ୍ଡିଙ୍କ ହୃଦୟବିଦାରକ କାହାଣୀ ।
ଆଖିରେ ନିରୀହତାର ନିର୍ମଳ ଛବି, ସେ ଦେଖିବାକୁ ଡଉଲଡାଉଲ । ତାକୁ ବୟସ ଅବା କେତେ ଯେ ଏଇ ତ ୧୧ , ୧୨ ବର୍ଷ ହେବ । ହେଲେ ସେ ପାଉଛି ଅପର୍ଯ୍ୟାପ୍ତ କଷ୍ଟ । ତା କଷ୍ଟକୁ ଦେଖନ୍ତୁ । କୁନିକୁନି ହାତରେ ଯେମିତି କଷ୍ଟ ମାନେ ଲେସିହୋଇ ରହିଛନ୍ତି । ତଳିପାଦରେ ବି ସେ କଷ୍ଟ ଯେମିତି କଣ୍ଟା ହୋଇ ଫୁଟିଯାଉଛି । ସେ ଭଲରେ ଠିଆ ବି ହୋଇପାରୁନି । ଦର୍ଶକ ବନ୍ଧୁ ଏ ପୁଅର ଦୁଃଖଭରା କହାଣୀ ଶୁଣିଲେ ଆପଣ ବି କାନ୍ଦି ପକେଇବେ ।
ପ୍ରଥମେ ଆମେ ୟା ସହ ଆପଣଙ୍କର ପରିଚୟ କରାଇଦେଉଛୁ । ଏ ପୁଅଟିର ନାଁ ହେଉଛି ସୋନୁ ତାଣ୍ଡି । ଘର- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ସାରେସପଡା ଗାଁରେ । ଦାଦନ ଖଟିବାକୁ ଯାଇଥିବା ପୂରା ପରିବାର କରୋନା ସମୟରେ ଭିଲାଇରେ ଥିଲେ । ସେଠାରେ କରୋନାରେ ସୋନୁଙ୍କ ବାପା ଓ ମା’ଙ୍କର ମୃତ୍ୟୁ ହୋଇଗଲା ।
ସୋନୁ ଏବେ ଦାଦ ଆଉ ଖୁଡ଼ିଙ୍କ ପାଖରେ ରହୁଛି । କାମଧନ୍ଦା କରି ପରିବାର ଚଳାଉଥିଲା ଦାଦା ନିଜ ପୁଅ ଭଳି ଦେଖନ୍ତି ସୋନୁଙ୍କୁ । ଦୁଃଖେ ସୁଖେ ମଣିଷ କରିବାକୁ ଚାହିଁଥିଲେ ସୋନୁଙ୍କୁ । ହେଲେ ସୋନଙ୍କ ଦେହ ଏବେ ଖରାପ। ସୋନୁ ପାଲମୋପ୍ଲାନଟର ସ୍ଲୋରିଆସିସ ରୋଗରେ ଆକ୍ରାନ୍ତ । ତାଙ୍କ ହାତ ପାପୁଲି ଓ ତଳିପାଦ ଫାଟି ସେଠୁ ରକ୍ତ ବାହାରୁଛି । ସବୁବେଳେ କୁଣ୍ଡେଇ ହେଉଛି ଏବଂ ଯନ୍ତ୍ରଣା ହେଉଛି ।
ଦେହ ଖରାପ ରହିବାରୁ ସବୁବେଳେ ପାଠ ପଢିବାକୁ ଯାଇପାରୁନି ସୋନୁ । ଭଲରେ ଖାଇପାରୁନି, ଚାଲି ବି ପାରୁନି । ଡାକ୍ତର ଲେଖି ଦେଇଥିବା ମେଡିସିନ ଖାଇଲେ କମିଯାଉଛି, ମେଡିସିନ ବନ୍ଦ କରିଦେଲେ ପୁଣି ଯୋଉଆକୁ ସେଇଆ । ସବୁ ମାସରେ ମେଡିସିନ ପାଇଁ ଦରକାର ୭ ହଜାର ଟଙ୍କା । ହେଲେ ଏତେଟଙ୍କା ସବୁବେଳେ ଯୋଗାଡ଼ କରିପାରୁନାହାନ୍ତି ସୋନୁଙ୍କ ଦାଦା । ତେଣୁ ରୋଗ ବଢି ଯାଉଛି ।
ସବୁଠୁ ଦୁଃଖର କଥା ସରକାରୀ ଅବହେଳା । ଅଭାବୀ ପରିବାର ଘର ଘଣ୍ଡେ ତ ପାଇନି । ତାଠାରୁ ବିଡମ୍ବନାର କଥା ହେଉଛି ଏ ପରିବାର ପାଖରେ ନାହିଁ ଆୟୁଷ୍ମାନ କାର୍ଡ । କୁନି ପିଲାଟି କଷ୍ଟ ପାଇଚାଲିଥିବାବେଳେ ଭଲ ଚିକିତ୍ସା ପାଇପାରୁନି । ବାପା-ମା’ଙ୍କୁ ହରାଇଥିବା ପିଲାଙ୍କ ପାଇଁ ସରକାରୀ ସ୍ତରରେ ଅନେକ ବ୍ୟବସ୍ଥା ହୋଇଛି ହେଲେ ଏଠି ସୋନୁ ଯେମିତି ସବୁଥିରୁ ବଂଚିତ । ଏନେଇ ଆମେ ଟିଟଲାଗଡ଼ ଉପଜିଲ୍ଲାପାଳଙ୍କୁ ଭେଟିଥିଲୁ ସେ କହିଛନ୍ତି ସୋନୁଙ୍କ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା ସରକାରୀ ସ୍ତରରେ କରାଯିବ ।
ଆପଣମାନେ ଯଦି ସୋନୁଙ୍କ ଚିକିତ୍ସା ପାଇଁ କିଛି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ଠିକଣା-
ନାମ - ସୋନୁ ତାଣ୍ଡି
କାକା - କୁପେନ୍ଦ୍ର ତାଣ୍ଡି
ଗ୍ରାମ - ସାରସପଡା
ପଂଚାୟତ - ଡଙ୍ଗରପଡା
ବ୍ଲକ - ମୁରିବାହାଲ
ଜିଲ୍ଲା - ବଲାଙ୍ଗୀର
ମୋବାଇଲ ନମ୍ବର – ୯୭୫୨୭୨୦୫୯୩
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।