Tirupati Laddu Ghee Case: ତିରୁପତି ଲଡୁ ତିଆରିରେ ନକଲି ଘିଅ ବ୍ୟବହାର, ସୁକୃତି ଫୁଡ୍ସ ପ୍ରମୋଟରଙ୍କୁ ଗିରଫ କଲା ED
ତିରୁପତି ଲଡୁ ପ୍ରସାଦ ତିଆରିରେ ପାମ୍ ଅଏଲ, ପାମ୍ କର୍ଣ୍ଣେଲ ଅଏଲ, ପାମୋଲିନ୍ ଏବଂ ବିଭିନ୍ନ ରାସାୟନିକ ପଦାର୍ଥ ମିଶାଇ ପ୍ରସ୍ତୁତ ନକଲି ଘିଅ ବ୍ୟବହାର କରାଯାଇଥିବା ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏହି ଅଭିଯୋଗ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସୁକୃତି ଫୁଡ୍ସର ପ୍ରମୋଟର କୈଳାସ ଚନ୍ଦ ମଙ୍ଗଲାଙ୍କୁ ଗିରଫ କରାଯାଇଛି।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ED ପକ୍ଷରୁ ଜାରି ବିବୃତି ଅନୁସାରେ, TTD ଘିଅରେ ଅପମିଶ୍ରଣ ମାମଲାରେ ମଙ୍ଗଲାଙ୍କୁ ସେପ୍ଟେମ୍ବର ୧୭ ତାରିଖରେ ହାଇଦ୍ରାବାଦ ସ୍ଥିତ ED କାର୍ଯ୍ୟାଳୟ ଗିରଫ କରିଥିଲା। ପରେ ତାଙ୍କୁ ବିଶାଖାପାଟଣାର ଏକ ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିବା ED କହିଛି।
ତଦନ୍ତକାରୀ ସଂସ୍ଥାର ଦାବି ଅନୁସାରେ, ତିରୁପତି ଲଡୁ ପ୍ରସାଦ ପାଇଁ ବ୍ୟବହୃତ ଅପମିଶ୍ରିତ ଘିଅ ରିଫାଇନ୍ଡ ପାମ୍ ଅଏଲ, ପାମ୍ କର୍ଣ୍ଣେଲ ଅଏଲ, ପାମୋଲିନ୍ ଏବଂ MG-90, ମୋନୋଗ୍ଲିସେରାଇଡ୍ସ, Myvacet Soft 400 ଓ ଏସିଟିକ୍ ଏସିଡ୍ ଏଷ୍ଟର ଭଳି ରାସାୟନିକ ପଦାର୍ଥରେ ପ୍ରସ୍ତୁତ ହୋଇଥିଲା। ଏହାପରେ ଏହି ଘିଅକୁ TTDକୁ Agmark Special Grade Cow Ghee ଭାବେ ଯୋଗାଣ କରାଯାଇଥିବା ED ଅଭିଯୋଗ କରିଛି।
EDର ଦାବି ଅନୁସାରେ, ୨୦୧୯ରୁ ୨୦୨୪ ମଧ୍ୟରେ TTDକୁ ହୋଇଥିବା ଘିଅ ଯୋଗାଣର ମୋଟ ମୂଲ୍ୟ ୨୩୦ କୋଟି ଟଙ୍କା ଥିଲା। ଏଥିରୁ ୯୬ କୋଟି ଟଙ୍କାର ଅପମିଶ୍ରିତ ଘିଅ ମଙ୍ଗଲା ପ୍ରସ୍ତୁତ କରିଥିବା ଏଜେନ୍ସି ଦାବି କରିଛି।
ED ଆହୁରି ଦାବି କରିଛି ଯେ, ମଙ୍ଗଲା ଏହି ମାମଲାର ଜଣେ ସହ-ଷଡ଼ଯନ୍ତ୍ରକାରୀ ଥିଲେ। ସେ ଅପମିଶ୍ରଣ ପାଇଁ ଆବଶ୍ୟକ ପଦାର୍ଥ ଯୋଗାଡ଼ କରିବାରେ ସହଯୋଗ କରିବା ସହ ନିଜ କାରଖାନା ପରିସରରେ ଅପମିଶ୍ରିତ ଘିଅ ପ୍ରସ୍ତୁତ କରିଥିବା ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।