Overcrowded Boat Capsizes: ମଝି ସମୁଦ୍ରରେ ବୁଡିଲା ଡଙ୍ଗା, ୧୦୯ ମୃତ, ଶତାଧିକ ନିଖୋଜ
ଡଙ୍ଗା ବୁଡ଼ି ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି। ଗଭୀର ସମୁଦ୍ରରେ ବେଆଇନ ଭାବେ ଯାତ୍ରା କରୁଥିବା ସମୟରେ ଏକ ଡଙ୍ଗା ବୁଡିଯିବା ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଜିବୋଟିରୁ ୟେମେନ ଯାଉଥିବା ସମୟରେ ପ୍ରାୟ ୩୫୦ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ୧୦୯ ଜଣ ପ୍ରବାସୀ ପ୍ରାଣ ହରାଇଛନ୍ତି ଏବଂ ୧୧୬ ରୁ ଅଧିକ ନିଖୋଜ ଅଛନ୍ତି ବୋଲି ଜାତିସଂଘର ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ (IOM) କହିଛି। ଉଦ୍ଧାର ହୋଇଥିବା ୧୦୯ ମୃତଦେହ ମଧ୍ୟରେ ୫୨ ଜଣ ପୁରୁଷ, ୪୨ ଜଣ ମହିଳା ଏବଂ ୧୫ ଜଣ ଶିଶୁ (ନଅ ଜଣ ଝିଅ ଏବଂ ଛଅ ଜଣ ପୁଅ) ଅଛନ୍ତି।
ଜିବୋଟିର ଏକ ବନ୍ଦର ସହର - ଓବୋକର ଉତ୍ତରରେ ଗୁହେରେ ନିକଟରେ ଡଙ୍ଗାଟି ୮/୯ ଅକ୍ଟୋବର ରାତିରେ ବୁଡ଼ି ଯାଇଥିବା ଖବର ମିଳିଛି। ଡଙ୍ଗାରେ ପ୍ରାୟ ୩୫୦ ଜଣ ଯାତ୍ରା କରୁଥିବା ବେଳେ ୮୦ରୁ ଅଧିକ ଲୋକ ଉଦ୍ଧାର ହୋଇଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ୧୧୬ରୁ ଅଧିକ ଲୋକଙ୍କ ପତ୍ତା ମିଳିପାରିନାହିଁ। ଉଦ୍ଧାର ହୋଇଥିବା ସମସ୍ତେ ବ୍ୟକ୍ତି ଇଥିଓପିଆ ନାଗରିକ।
ଆଫ୍ରିକାର ହର୍ଣ୍ଣ ଅଞ୍ଚଳରୁ ୟେମେନ ଦେଇ ଉପସାଗରୀୟ ଦେଶଗୁଡ଼ିକୁ ଯିବା ପାଇଁ ଏହି ସମୁଦ୍ରପଥକୁ ପ୍ରତିବର୍ଷ ହଜାର ହଜାର ପ୍ରବାସୀ ବ୍ୟବହାର କରନ୍ତି। ଇଥିଓପିଆ ଓ ସୋମାଲିଆର ଅନେକ ଲୋକ ଚାକିରି, ଉନ୍ନତ ଜୀବନଯାପନ ଏବଂ ସୁରକ୍ଷିତ ଜୀବନର ଆଶାରେ ଏହି ଯାତ୍ରା କରିଥାନ୍ତି। ଦାରିଦ୍ର୍ୟ, ଅସୁରକ୍ଷା, ସଂଘର୍ଷ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମଧ୍ୟ ଅନେକ ନିଜ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।
ତେବେ ମାନବ ଚାଲାଣକାରୀମାନେ ଅନେକ ସମୟରେ କ୍ଷମତାଠାରୁ ଅଧିକ ଲୋକଙ୍କୁ ଛୋଟ ଡଙ୍ଗାରେ ନେଇଯାଉଥିବାରୁ ଏହି ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ। ଆଦନ୍ ଉପସାଗର ଓ ଲୋହିତ ସାଗର ସଂଲଗ୍ନ ଏହି ରାସ୍ତାରେ ଡଙ୍ଗା ବୁଡ଼ିବା ଭଳି ଘଟଣା ବାରମ୍ବାର ଘଟୁଛି।
IOMର ତଥ୍ୟ ଅନୁସାରେ, ୨୦୨୫ରେ ୟେମେନ ଅଭିମୁଖେ ଥିବା ଏହି ପ୍ରବାସୀ ରାସ୍ତାରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା କିମ୍ବା ସେମାନେ ନିଖୋଜ ହୋଇଥିଲେ। ଏହି ସମୟରେ ଏହି ରାସ୍ତାରେ ଯାତ୍ରା କରୁଥିବା ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ୧୮ ପ୍ରତିଶତ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଏକ ପ୍ରବାସୀ ଡଙ୍ଗା ବୁଡ଼ିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୪୫ ଜଣ ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।