Pakistani Soldiers Killed in Clashes With Afghan Forces: ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟଙ୍କର ସଂଘର୍ଷ, ୭ ପାକ୍ ସୈନିକ ମୃତ
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ତୀବ୍ର ହୋଇଛି ସୀମା ବିବାଦ। ଦୁଇ ଦେଶର ସେନା ମଧ୍ୟରେ ଗୁଳିବିନିମୟରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଆଫଗାନିସ୍ତାନର ପାକ୍ଟିଆ ପ୍ରଦେଶର ଦାଣ୍ଡ ପାଟନ୍ ଜିଲ୍ଲା ନିକଟରେ ଏହି ସଂଘର୍ଷ ଘଟିଛି। ସୀମାରେ ସୁରକ୍ଷା ବ୍ୟବସ୍ଥା, ଆତଙ୍କବାଦୀଙ୍କ ଗତିବିଧି ଓ ସାମରିକ ଘାଟି ନିର୍ମାଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି।
ସୂଚନା ଅନୁସାରେ, ମଧ୍ୟାହ୍ନ ସମୟରେ ଆଫଗାନିସ୍ତାନର ପାକ୍ଟିଆ ପ୍ରଦେଶର ଦାଣ୍ଡ ପାଟନ୍ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ଭୀଷଣ ଗୁଳିବିନିମୟ ଆରମ୍ଭ ହୋଇଥିଲା। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଖରଲାଚି ଗେଟ୍ ସହ ଟପ୍ ସର୍ ଓ କୋଞ୍ଜ ଅଲି ଅଞ୍ଚଳରେ ମଧ୍ୟ ସଂଘର୍ଷ ହୋଇଥିଲା।
ଏହି ଗୁଳିବିନିମୟ ଯୋଗୁଁ ସୀମାପାର ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଛି। ସୀମା ନିକଟରେ ରହୁଥିବା ଲୋକମାନେ ଭୟଭୀତ ହୋଇ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଥିବା ସୂଚନା ମିଳିଛି।
ଆଫଗାନିସ୍ତାନର ସୁରକ୍ଷା ସୂତ୍ର ଅନୁସାରେ, ପାକିସ୍ତାନ ପକ୍ଷରୁ ଗୁଳିଚାଳନା କରାଯିବା ପରେ ଆଫଗାନ୍ ସେନା ଏହାର ଜବାବ ଦେଇଥିଲା। ପାକିସ୍ତାନ ସୀମା ନିକଟରେ ଅନୁମତି ନଥାଇ ନୂଆ ସାମରିକ ଆଉଟ୍ପୋଷ୍ଟ ନିର୍ମାଣ କରୁଥିବା ମଧ୍ୟ ଆଫଗାନିସ୍ତାନ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଲଢ଼େଇରେ ପାକିସ୍ତାନୀ ସୈନିକଙ୍କ ପ୍ରବଳ କ୍ଷତି ହୋଇଥିବା ଆଫଗାନ୍ ଦାବି କରିଛି।
ଅନ୍ୟପଟେ, ପାକିସ୍ତାନୀ ଅଧିକାରୀମାନେ ଏହି ଘଟଣା ପାଇଁ ଆଫଗାନକୁ ଦାୟୀ କରିଛନ୍ତି। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଦୀର୍ଘ ଦିନ ଧରି ତିକ୍ତ ରହିଛି। ବିଶେଷ କରି ସୀମାପାର ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ବିବାଦ ଦେଖାଦେଉଛି।
ପାକିସ୍ତାନର ଅଭିଯୋଗ ହେଉଛି, ଆଫଗାନିସ୍ତାନର ତାଲିବାନ୍ ସରକାର ନିଜ ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ (ଟିଟିପି) ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ଏହି ଗୋଷ୍ଠୀ ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ଭିତରେ ଆକ୍ରମଣ କରୁଥିବା ଇସଲାମାବାଦ ଅଭିଯୋଗ କରିଆସୁଛି। ତେବେ ଆଫଗାନିସ୍ତାନର ତାଲିବାନ୍ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।