Parents Allegedly Kill Their 26-Year-Old Married Son: ରାକ୍ଷସ ପାଲଟିଗଲେ ବାପାମାଆ, ମାରିଦେଲେ ନିଜର ୨୬ ବର୍ଷୀୟ ବିବାହିତ ପୁଅକୁ

‘ଆତ୍ମହତ୍ୟା’ ଘଟଣାର ଚାଞ୍ଚଲ୍ୟକର ମୋଡ଼। ଗୁଜରାଟ ରାଜକୋଟ ଜିଲ୍ଲାରେ ନିଜ ଘରେ ୨୬ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଇଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣାରେ ପୋଲିସ ମୃତ ଯୁବକଙ୍କ ବାପା ଓ ମା’ଙ୍କୁ ଗିରଫ କରିଛି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଝଗଡ଼ା ବେଳେ ପୁଅକୁ ଜବରଦସ୍ତ ଏସିଡ୍ ପିଆଇ ଦେଇଥିଲେ ନିଜ ବାପା-ମା ।
ପୋଲିସର ସୂଚନା ଅନୁସାରେ, ମୃତ ଯୁବକଙ୍କ ମଦ୍ୟପାନ ଅଭ୍ୟାସକୁ କେନ୍ଦ୍ର କରି ବାପା ବାବୁଭାଇ ବାମ୍ବଭା ଓ ମା’ ମନିଷାବେନ ବାମ୍ବଭାଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ପୁଅକୁ ଜବରଦସ୍ତ ଏସିଡ୍ ପିଆଇବା ପରେ ତାର ଗଳା ଚିପି ହତ୍ୟା କରିଥିଲେ। ଉଭୟଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଛି।
ରାଜକୋଟ ଏସ୍ପି ବିଜୟ ସିଂହ ଗୁର୍ଜର କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟରେ ମିଳିଥିବା ତଥ୍ୟ ବାପାମାଆ ଦେଇଥିବା ଆତ୍ମହତ୍ୟା କାହାଣୀ ସହ ମେଳ ଖାଇନଥିଲା। ପଚରାଉଚରା ବେଳେ ସେମାନେ ଅପରାଧ ସ୍ୱୀକାର କରିଥିଲେ।
ପୋଷ୍ଟମର୍ଟମ ପରେ ମୃତକଙ୍କ ପତ୍ନୀ ତାଙ୍କ ଶ୍ୱଶୁର-ଶାଶୁଙ୍କ ବିରୋଧରେ ଏତଲା ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) (ହତ୍ୟା), ୧୨୪ (ଏସିଡ୍ ଦ୍ୱାରା ଗୁରୁତର କ୍ଷତି ପହଞ୍ଚାଇବା) ଏବଂ ୫୪ (ସମାନ ଉଦ୍ଦେଶ୍ୟରେ ଏକାଧିକ ବ୍ୟକ୍ତିଙ୍କ କାର୍ଯ୍ୟ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।