Parineeti Turns Investigative Reporter: ସାମ୍ବାଦିକା ସାଜିଲେ ପରିଣୀତି ଚୋପ୍ରା; ବାଲି ମାଫିଆଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରିବେ
ପରିଣୀତି ଚୋପ୍ରାଙ୍କ ବର୍ତ୍ତମାନ ରିଲିଜ୍ ହୋଇଥିବା ସିରିଜ୍ ‘ଶକ୍’ ନେଟଫ୍ଲିକ୍ସରେ ଟ୍ରେଣ୍ଡ କରୁଥିବା ବେଳେ ଏବେ ତାଙ୍କର ଆଉ ଏକ ଥ୍ରିଲର୍ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପରିଣୀତିଙ୍କ ଆଗାମୀ ଫିଲ୍ମ ‘ରିପୋର୍ଟିଂ ଲାଇଭ୍’ର ଟ୍ରେଲର୍ ରିଲିଜ୍ ହୋଇଛି। ମାତ୍ର ୨ ମିନିଟ୍ ୨ ସେକେଣ୍ଡର ଏହି ଟ୍ରେଲର୍ ଅବୈଧ ବାଲି ଖନନ ଓ ତାହା ପଛରେ ସକ୍ରିୟ ଥିବା ଏକ ଭୟଙ୍କର ମାଫିଆ ନେଟୱର୍କର ଅନ୍ଧକାର ଦୁନିଆକୁ ଦର୍ଶକଙ୍କ ସମ୍ମୁଖରେ ଆଣିଛି।
ବାଲି ମାଫିଆଙ୍କ କଳା ଦୁନିଆ
ଦେଶର ବିଭିନ୍ନ ଅଞ୍ଚଳରେ ବାଲି ଉଠାକୁ ନେଇ ବାରମ୍ବାର ବିବାଦ, ହିଂସା ଏବଂ ମାଫିଆ ରାଜ୍ର ଅଭିଯୋଗ ସାମ୍ନାକୁ ଆସିଥାଏ। ‘ରିପୋର୍ଟିଂ ଲାଇଭ୍’ ସେହି ଅନ୍ଧକାର ଦୁନିଆକୁ କାହାଣୀର କେନ୍ଦ୍ରବିନ୍ଦୁ କରିଛି। ଟ୍ରେଲର୍ରେ ଦେଖିବାକୁ ମିଳୁଛି ଯେ ଅବୈଧ ବାଲି ବ୍ୟବସାୟ କେବଳ ଟଙ୍କାର ଖେଳ ନୁହେଁ। ଏହା ପଛରେ ରହିଛି ଶକ୍ତି, ପ୍ରଭାବ, ଭୟ ଏବଂ ଏମିତି ଏକ ନେଟୱର୍କ, ଯାହାର ସତ୍ୟ ଖୋଲିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ମଧ୍ୟ ନିଜ ଜୀବନର ମୂଲ୍ୟ ଦେବାକୁ ପଡ଼ିପାରେ।
ଫିଲ୍ଡ ରିପୋର୍ଟର୍ ଭୂମିକାରେ ପରିଣୀତି
ଫିଲ୍ମର କାହାଣୀ ଏକ ଭୟାବହ ଘଟଣାରୁ ଆରମ୍ଭ ହେଉଛି। ଏହି ଘଟଣା ପରେ ଜଣେ ଉଚ୍ଚାକାଂଖି ଫିଲ୍ଡ ରିପୋର୍ଟର୍ ଏହା ପଛର ସତ୍ୟ ଖୋଜିବାକୁ ବାହାରି ପଡ଼ନ୍ତି। ଏହି ସାମ୍ବାଦିକଙ୍କ ଭୂମିକାରେ ଅଛନ୍ତି ପରିଣୀତି ଚୋପ୍ରା। ତାଙ୍କ ସହ ଅଛନ୍ତି କ୍ୟାମେରାପର୍ସନ୍, ଯେଉଁ ଭୂମିକାରେ ନଜର ଆସିବେ ଦେବେନ୍ ଭୋଜାନୀ। ଦୁହେଁ ମିଶି ଏକ ଏମିତି ସତ୍ୟର ଖୋଜ ଆରମ୍ଭ କରନ୍ତି, ଯାହାକୁ ଅନେକ ପ୍ରଭାବଶାଳୀ ଲୋକ ଲୁଚାଇ ରଖିବାକୁ ଚାହାନ୍ତି। ପ୍ରଶ୍ନ ପରେ ପ୍ରଶ୍ନ, ସନ୍ଦେହ ପରେ ସନ୍ଦେହ ସେମାନଙ୍କୁ ଏମିତି ଏକ ଚକ୍ରବ୍ୟୁହକୁ ନେଇଯାଏ, ଯେଉଁଠାରୁ ପଛକୁ ଫେରିବା ଆଉ ସହଜ ନୁହେଁ।
ସତ୍ୟ ଖୋଜିବା ସହ ବିପଦ
ଟ୍ରେଲର୍ର ସବୁଠୁ ଆକର୍ଷଣୀୟ ଦିଗ ହେଉଛି ଏହାର ଟେନସନ୍ ଏବଂ ରିଅଲିଷ୍ଟିକ୍ ଟୋନ୍। ପରିଣୀତିଙ୍କ ଚରିତ୍ର ଯେତେବେଳେ ସିଷ୍ଟମ୍ ଓ ପ୍ରଭାବଶାଳୀ ଲୋକଙ୍କୁ ତୀକ୍ଷ୍ଣ ପ୍ରଶ୍ନ କରୁଛନ୍ତି, ସେତେବେଳେ ତାଙ୍କ ପାଇଁ ବିପଦ ମଧ୍ୟ ବଢ଼ିବାରେ ଲାଗୁଛି।
ପ୍ରତ୍ୟେକ ଉତ୍ତର ପଛରୁ ଆଉ ଏକ ପ୍ରଶ୍ନ ଉଠୁଛି। ପ୍ରତ୍ୟେକ ନୂଆ ସୁରାଗ ସେମାନଙ୍କୁ ସତ୍ୟର ନିକଟକୁ ନେଉଛି, କିନ୍ତୁ ସେହି ସହିତ ମୃତ୍ୟୁର ଭୟ ମଧ୍ୟ ଆହୁରି ନିକଟତର ହେଉଛି। ଟ୍ରେଲର୍ରେ ଅନୁସନ୍ଧାନମୂଳକ ସାମ୍ବାଦିକତା, ମାଫିଆଙ୍କ ଧମକ, ରାଜନୈତିକ ଓ ପ୍ରଶାସନିକ ପ୍ରଭାବ ଏବଂ ଗ୍ରାଉଣ୍ଡ ରିପୋର୍ଟିଂର ବିପଦପୂର୍ଣ୍ଣ ଦିଗକୁ ଏକାସାଙ୍ଗରେ ଦେଖାଇବାକୁ ଚେଷ୍ଟା କରାଯାଇଛି।
ପ୍ରଥମ ଫିଚର୍ ଫିଲ୍ମ ନିର୍ଦ୍ଦେଶନରେ ଧ୍ରୁବ ତ୍ରିପାଠୀ
‘ରିପୋର୍ଟିଂ ଲାଇଭ୍’ ଜରିଆରେ ଧ୍ରୁବ ତ୍ରିପାଠୀ ଫିଚର୍ ଫିଲ୍ମ ନିର୍ଦ୍ଦେଶନରେ ପଦାର୍ପଣ କରୁଛନ୍ତି। ଫିଲ୍ମର କାହାଣୀକୁ ମିହିର ଜାଧବ ଏବଂ ଧ୍ରୁବ ତ୍ରିପାଠୀ ମିଶି ଲେଖିଛନ୍ତି। ସେହିପରି ଫିଲ୍ମର ପ୍ରଯୋଜନା ଭାର ପାର୍ଥ କିରଣ ଠାକୁର ଏବଂ ଜୋଶୁଆ ଶିରସାଟ୍ ସମ୍ଭାଳିଛନ୍ତି।
ଦମଦାର ଷ୍ଟାରକାଷ୍ଟ
ଫିଲ୍ମରେ ପରିଣୀତି ଚୋପ୍ରା ଏବଂ ଦେବେନ୍ ଭୋଜାନୀଙ୍କ ସହ ଏକାଧିକ ଅଭିଜ୍ଞ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅମୋଲ ପାଲେକର, ଆଦିଲ ହୁସେନ ଓ ଶେଖର ସୁମନଙ୍କ ଭଳି ଅଭିନେତା ଏହି ଥ୍ରିଲର୍ରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଟ୍ରେଲର୍ରୁ ମଧ୍ୟ ଏହା ସ୍ପଷ୍ଟ ହେଉଛି ଯେ କାହାଣୀରେ ପ୍ରତ୍ୟେକ ଚରିତ୍ର ସହିତ କୌଣସି ନା କୌଣସି ରହସ୍ୟ ଜଡ଼ିତ ରହିଛି।
ସତ୍ୟ ଘଟଣା ଉପରେ କାହାଣୀ
ନିର୍ମାତାଙ୍କ ଅନୁସାରେ ଫିଲ୍ମଟି ସତ୍ୟ ଘଟଣାରୁ ପ୍ରେରିତ। ଏହି କାରଣରୁ ଦର୍ଶକଙ୍କ ପାଇଁ ଏହା କେବଳ ଏକ ଥ୍ରିଲର୍ ଭାବେ ସୀମିତ ନ ରହି, ଅବୈଧ ଖନନ ପଛରେ ଥିବା ଅପରାଧିକ ନେଟୱର୍କ ଏବଂ ସତ୍ୟକୁ ସାମ୍ନାକୁ ଆଣିବାରେ ସାମ୍ବାଦିକମାନେ କେମିତି ବିପଦର ସମ୍ମୁଖୀନ ହୋଇପାରନ୍ତି, ତାହାକୁ ମଧ୍ୟ ଉଜାଗର କରିବ। ଟ୍ରେଲର୍ର ମୁଡ୍, ଦ୍ରୁତ ଗତିର ଏଡିଟିଂ, ରହସ୍ୟ ଏବଂ ଭୟର ପରିବେଶ ଫିଲ୍ମକୁ ଏକ ହାର୍ଡ-ହିଟିଂ ଇନଭେଷ୍ଟିଗେଟିଭ୍ ଥ୍ରିଲର୍ର ରୂପ ଦେଇଛି।
ଏହି ଦିନ ରିଲିଜ୍
ପରିଣୀତି ଚୋପ୍ରାଙ୍କ ‘ରିପୋର୍ଟିଂ ଲାଇଭ୍’ ଅକ୍ଟୋବର ୯ରେ ଦର୍ଶକଙ୍କ ସାମ୍ନାକୁ ଆସିବ। ‘ଶକ୍’ ପରେ ପରିଣୀତିଙ୍କ ଏହି ନୂଆ ଥ୍ରିଲର୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଅବୈଧ ବାଲି ଉଠା, ମାଫିଆ ରାଜ୍, ସାମ୍ବାଦିକତା ଏବଂ ସତ୍ୟ ପାଇଁ ଲଢ଼େଇକୁ କେନ୍ଦ୍ର କରି ତିଆରି ଏହି ଫିଲ୍ମ ବକ୍ସ ଅଫିସ୍ରେ କେତେ ଦୂର ପ୍ରଭାବ ପକାଉଛି, ତାହା ଏବେ ଦେଖିବାକୁ ବାକି ରହିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।