Passive Smoking Claims 3.25 Lakh Lives in India: ଗୋଟିଏ ବର୍ଷରେ ପରୋକ୍ଷ ଧୂମପାନରେ ଗଲା ୩.୨୫ ଲକ୍ଷ ଜୀବନ, ଲାନ୍ସେଟର ଚିନ୍ତାଜନକ ରିପୋର୍ଟ
ଧୂମପାନ ନ କରି ବି ମୃତ୍ୟୁର ଶିକାର ଲକ୍ଷାଧିକ ଭାରତୀୟ। ଅନ୍ୟର ସିଗାରେଟ୍ କିମ୍ବା ତମାଖୁ ଧୂଆଁର ସଂସ୍ପର୍ଶରେ ଆସି ୨୦୨୩ ମସିହାରେ ଭାରତରେ ପ୍ରାୟ ୩ ଲକ୍ଷ ୨୫ ହଜାର ୬୦୦ ଜଣଙ୍କ ମୃତ୍ୟୁ ହୋଇଛି। ଦ ଲାନ୍ସେଟ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ୧୯୯୦ ତୁଳନାରେ ଏହି ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବଢ଼ିଛି।
ଅଧ୍ୟୟନ ଅନୁସାରେ, ୧୯୯୦ରେ ଦେଶରେ ପ୍ରାୟ ୨ ଲକ୍ଷ ୧୭ ହଜାର ୭୦୦ ଜଣ ପରୋକ୍ଷ ଧୂମପାନ ଯୋଗୁଁ ପ୍ରାଣ ହରାଇଥିଲେ। ୨୦୨୩ରେ ଏହି ସଂଖ୍ୟା ବଢ଼ି ୩ ଲକ୍ଷ ୨୫ ହଜାରରୁ ଅଧିକ ହୋଇଛି। ମହିଳାଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୩ ହଜାରରୁ ବଢ଼ି ପ୍ରାୟ ୧ ଲକ୍ଷ ୫୭ ହଜାର ହୋଇଥିବାବେଳେ, ପୁରୁଷଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ୧ ଲକ୍ଷ ୪ ହଜାରରୁ ବଢ଼ି ପ୍ରାୟ ୧ ଲକ୍ଷ ୬୯ ହଜାରରେ ପହଞ୍ଚିଛି।
ସବୁଠୁ ଚିନ୍ତାର ବିଷୟ ହେଲା, ଦେଶରେ ପରୋକ୍ଷ ଧୂମପାନର ହାର କମିଥିଲେ ମଧ୍ୟ ଏହାର ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ୧୯୯୦ରେ ପ୍ରାୟ ୩୭ କୋଟି ୫୦ ଲକ୍ଷ ଲୋକ ତମାଖୁ ଧୂଆଁର ସଂସ୍ପର୍ଶରେ ଥିବାବେଳେ, ୨୦୨୩ରେ ଏହି ସଂଖ୍ୟା ବଢ଼ି ୪୪ କୋଟି ୪୦ ଲକ୍ଷରେ ପହଞ୍ଚିଛି। ଜନସଂଖ୍ୟା ବୃଦ୍ଧି ଯୋଗୁଁ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଛି।
ପରୋକ୍ଷ ଧୂମପାନ କେବଳ ଫୁସଫୁସକୁ ନୁହେଁ, ହୃଦୟ ଓ ମସ୍ତିଷ୍କକୁ ମଧ୍ୟ ଗୁରୁତର କ୍ଷତି ପହଞ୍ଚାଇପାରେ। ହୃଦରୋଗ, ଷ୍ଟ୍ରୋକ୍, ଫୁସଫୁସ କ୍ୟାନସର, ସିଓପିଡି, ଆସ୍ଥମା, ଟାଇପ୍-୨ ଡାଇବେଟିସ୍ ଏବଂ ଶ୍ୱାସଜନିତ ସଂକ୍ରମଣ ଭଳି ରୋଗ ସହ ପରୋକ୍ଷ ଧୂମପାନର ସମ୍ପର୍କ ରହିଥିବା ଅଧ୍ୟୟନରେ କୁହାଯାଇଛି।
ଡାକ୍ତରମାନଙ୍କ କହିବା ଅନୁସାରେ, ସିଗାରେଟ୍ ଧୂଆଁ ରକ୍ତନଳୀର ଭିତର ପରଦାକୁ କ୍ଷତି ପହଞ୍ଚାଇ ପ୍ରଦାହ ସୃଷ୍ଟି କରିପାରେ। ଫଳରେ ରକ୍ତନଳୀରେ ବ୍ଲକେଜ୍ ହୋଇ ହୃଦଘାତ ଓ ଷ୍ଟ୍ରୋକର ଆଶଙ୍କା ବଢ଼ିଥାଏ। ବିଶେଷକରି ଅନ୍ୟର ଧୂଆଁରେ ନିୟମିତ ଭାବେ ରହୁଥିବା ଲୋକଙ୍କ ମଧ୍ୟରେ ହୃଦରୋଗର ବିପଦ ଅଧିକ ଥିବା ଚେତାବନୀ ଦିଆଯାଇଛି।
ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହି ବିପଦ ଆହୁରି ଅଧିକ। ଘର କିମ୍ବା ବନ୍ଦ ସ୍ଥାନରେ ଧୂମପାନ ହେଲେ ଶିଶୁମାନେ ବାରମ୍ବାର ଏହି ବିଷାକ୍ତ ଧୂଆଁର ସଂସ୍ପର୍ଶରେ ଆସନ୍ତି। ସେମାନଙ୍କ ବିକାଶଶୀଳ ଫୁସଫୁସ ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ। ଶିଶୁଙ୍କ କ୍ଷେତ୍ରରେ ନିମ୍ନ ଶ୍ୱାସନଳୀ ସଂକ୍ରମଣ ପରୋକ୍ଷ ଧୂମପାନ ଯୋଗୁଁ ସୃଷ୍ଟି ହେଉଥିବା ବଡ଼ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଗୋଟିଏ।
୨୦୨୩ରେ ପରୋକ୍ଷ ଧୂମପାନର ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ସଂଖ୍ୟାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଚୀନ୍ ପ୍ରଥମ ସ୍ଥାନରେ ଥିବାବେଳେ, ଚୀନ୍, ଭାରତ ଓ ଇଣ୍ଡୋନେସିଆକୁ ମିଶାଇ ବିଶ୍ୱର ପ୍ରାୟ ଅଧା ପରୋକ୍ଷ ଧୂମପାନ ପ୍ରଭାବିତ ଲୋକ ଏହି ତିନି ଦେଶରେ ରହିଛନ୍ତି।
ତେବେ ଏହି ତଥ୍ୟ ଗୋଟିଏ କଥା ସ୍ପଷ୍ଟ କରୁଛି—ଧୂମପାନ କରୁଥିବା ବ୍ୟକ୍ତି କେବଳ ନିଜ ସ୍ୱାସ୍ଥ୍ୟକୁ ନୁହେଁ, ନିଜ ପରିବାର ଓ ପାଖରେ ଥିବା ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସିଗାରେଟ୍ ଧୂଆଁରୁ ଦୂରେ ରଖିବା ଏବେ ଅତ୍ୟନ୍ତ ଜରୁରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ—ନିଜ ପାଇଁ ହେଉ କି ପରିବାର ପାଇଁ, ଧୂମପାନ ଛାଡ଼ିବା ହିଁ ସବୁଠୁ ସୁରକ୍ଷିତ ପଦକ୍ଷେପ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।