Pension Scheme: ନୂଆ ଭତ୍ତା ପାଇଁ ମୃତ୍ୟୁକୁ ଅପେକ୍ଷା
"ନବରଙ୍ଗପୁର (ସୁରେଶ ନାଇଡୁ): ଭତ୍ତା ଟିକକ ପାଇଁ ଜଣକର ମୃତ୍ୟୁକୁ ଆପେକ୍ଷା କରିବାକୁ ପଢ଼ୁଛି ଅସହାୟ, ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ।
ଭତ୍ତାଧାରୀ ହିତାଧିକାରୀ ମରିଗଲା ପରେ ବି ବର୍ଷ ବର୍ଷ ଧରି ଜଗି ରହିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳୁନି।
ଗାଁ ଗହଳିର ଏହି ବୃଦ୍ଧ, ବୃଦ୍ଧା, ଅସହାୟ ମାନେ ମହରଗ ଯୁଗରେ ଭୋକ ଉପବାସରେ ଦିନ କାଟିବା ସହ ଭତ୍ତାଟଙ୍କା ମିଳିବ ଆଶାରେ ବାରମ୍ବାର ଅନଲାଇନ୍ ଓ ଅଫଲାଇନରେ ଆବେଦନ କରି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।
ଭତ୍ତା ମିଳିବା ଆଶାରେ କିଛି ଦଲାଲ, ଠକ ବି ଏମାନଙ୍କ ଠାରୁ ହଜାରରୁ ଦୁଇ ହଜାର ଟଙ୍କା ନେବା ପରେ ବି ଭତ୍ତା ମିଳୁନି।
Advertisment ସରକାରୀ ରିପୋର୍ଟରେ ଜିଲ୍ଲାର ୧୦ଟି ବ୍ଲକରେ ୫୮୦୯ଟି ଆବେଦନପତ୍ର ବିଭିନ୍ନସ୍ତରରେ ଯାଂଚ ପାଇଁ ଅଟକି ରହିଥିବା ଦର୍ଶାଯାଇଛି।
ତେବେ ଏହି ସଂଖ୍ୟା ଆହୁରି ଅଧିକା ହେବ।
ମାନସିକବିକାରଗ୍ରସ୍ତ, ନିରାଶ୍ରୟ, ବେସାହାରା, ଅନାଥ, ବିଧବା, ମାନସିକ ଅନଗ୍ରସର, ଏଚଆଇଭି ଆକ୍ରାନ୍ତ,ଭିନ୍ନକ୍ଷମଙ୍କୁ ଆବେଦନପତ୍ର ଦାଖଲ କରିବା ମାତ୍ରକେ ଯୁଦ୍ଧକାଳୀନ ଭିତ୍ତିରେ ଭତ୍ତା ଦେବାକୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଷ୍ଟାଣ୍ଡର୍ଡ ଅର୍ଡର ରହିଛି।
ଆବେଦନ କରିବାର ୫ବର୍ଷ ପରେ ବି ଏମାନେ ଭତ୍ତା ପାଉନାହାନ୍ତି।
ନବରଙ୍ଗପୁର ବ୍ଲକର ସିନ୍ଧିଗାଁର ପଦ୍ମା ମୁଦୁଲିଆ(୬୪) ଓ ଗଙ୍ଗାଇ ମଦୁଲିଆ (୬୯) ବାରମ୍ବାର ଆବେଦନ କରି ପାଣି ଭଳି ଟଙ୍କା ଖର୍ଚ୍ଚକ ରି ଥକ୍କି ପଡିଥିବା କହିଛନ୍ତି।
ଏମାନଙ୍କ ପରି ବହୁ ଅସହାୟ ଭତ୍ତା ପାଇଁ ଅପେକ୍ଷାରତ।
ୱେଟିଂଲିଷ୍ଟରେ ଥିବା ହିତାଧିକାରୀଙ୍କୁ ଭତ୍ତା ବିତରଣ୨୦୨୫ଏପ୍ରିଲ ୧ରୁ ୨୦୨୬ ମସିହା ଜୁଲାଇ ୭ତାରିଖ ଯାଏଁ ୯୪୧୦ଜଣ ଜଣ ହିତାଧିକାରୀ ମରିଯିବା ପରେ ୱେଟିଂଲିଷ୍ଟରେ ଥିବା ହିତାଧିକାରୀଙ୍କୁ ଭତ୍ତା ବିତରଣ କରାଯାଇଥିବା ସୂଚନା ଦେଇଛନ୍ତି ଡିଏସଏସଓ ଦମୟନ୍ତି ନାୟକ।
୯୪୧୦ ମୃତକମାନେ କେବେ ଠାରୁ ମରିଛନ୍ତି, ଏବଂ ରିପୋର୍ଟ କେବେ ଦାଖଲ ହୋଇଛି।
ଏସବୁର ତଦନ୍ତ ହେଉ।
ଏମାନଙ୍କ ନାଁରେ ଭତ୍ତା ଓ ରାସନ ହଡପର ଦୁର୍ଗନ୍ଧ ବାରି ହେଉଛି ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।
ଚନ୍ଦାହାଣ୍ଡିରେ ୬୧୩ଜଣ, ଡାବୁଗାଁରେ ୭୪୮, ଝରିଗାଁରେ ୧୨୯୭, କୋଷାଗୁମୁଡାରେ ୧୨୬୧, ନବରଙ୍ଗପୁର ୩୬୫, ନନ୍ଦାହାଣ୍ଡି ୩୬୨, ପାପାଡାହାଣ୍ଡି ୯୮୭, ରାଇଘର ୧୪୮୦, ତେନ୍ତୁଳିଖୁଣ୍ଟି ୭୩୬, ଉମରକୋଟ ୧୧୨୮, ନବରଙ୍ଗପୁର ପୌରପାଳିକା ୨୨୭ ଓ ଉମରକୋଟ ପୌରପାଳିକା ୨୦୬ଜଣ ମରିଯିବା ପରେ ଏହି ଖାଲି ପଡିଥିବା ସ୍ଥାନ ପୂରଣ କରାଯାଇଛି।
ଆବଶ୍ୟକ ସଂଖ୍ୟକ ପିଇଓ ଅଭାବଜିଲ୍ଲାର ନନ୍ଦାହାଣ୍ଡି, ଉମରକୋଟ, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକରେ ବ୍ଲକସମାଜ ସୁରକ୍ଷା ଅଧିକାରୀ ରହିଛନ୍ତି।
ବଳକା ୬ଟି ବ୍ଲକରେ ଜୁନିୟର ଆସିଷ୍ଟାଣ୍ଟ ମାନେ ସମ୍ଭାଳିଥିବା ବେଳେ ତାଙ୍କୁ ଆଉଟସୋର୍ସିଂ କର୍ମଚାରୀମାନେ ସହଯୋଗ କରୁଛନ୍ତି।
ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ୮୯,୦୮୧ଜଣ ଓ ନ୍ୟାସନାଲ ସୋସିଆଲ୍ ଆସିଟାନସ୍ ପ୍ରୋଗ୍ରାମ (ଏନଏସଏପି)ରେ ୬୯,୫୭୯ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି।
ଡିଭିଟି ଜରିଆରେ ଜାତୀୟ ଭତ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି।
ମଧୁବାବୁ ପେନସେନ୍ ଯୋଜନାରେ ଟଙ୍କା ଉଠାଇ ହିତାଧିକାରୀଙ୍କୁ ହାତାହାତି ଦିଆଯାଉଛି।
ଆବଶ୍ୟକ ସଂଖ୍ୟକ ପିଇଓ ନାହାନ୍ତି।
ଥିବା ପିଇଓମାନେ ନିଜ ପଂଚାୟତର ସରପଂଚ, ଏଡିଇଓ, ଜିଆରଏସ୍ ଓ ସ୍ଥଳବିଶେଷରେ ପିଅନମାନଙ୍କ ସହଯୋଗ ନେଇ ଭତ୍ତା ଟଙ୍କା ବିତରଣ କରାଉଛନ୍ତି।
ମାସିକ ଭତ୍ତାବିତରଣ ହେବା ପରେ ବିତରଣର ବିବରଣୀ ରିପୋର୍ଟ ବିଭିନ୍ନ ପଂଚାୟତରୁ ଜିଲ୍ଲା ସମାଜ ସୁରକ୍ଷା ବିଭାଗରେ ବହୁ ବିଳମ୍ବରେ ଦାଖଲ ହେଉଛି।
ଏହି ରିପୋର୍ଟରେ ମୃତ ବ୍ୟକ୍ତିଙ୍କ ନାଁକୁ ଘଣ୍ଟ ଘୋଡାଇ ଭତ୍ତା ଟଙ୍କାକୁ ହଡପ କରୁଥିବା ଅଭିଯୋଗ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।