PHPରେ ସାଇବର ସୁରକ୍ଷା ତ୍ରୁଟି, ବିପଦରେ ବିଶ୍ୱର ୭୦% ୱେବ୍ସାଇଟ୍!
ନୂଆଦିଲ୍ଲୀ,୨୩ା୧୦: ଇଣ୍ଟରନେଟ୍ର ବିପୁଳ ଅଂଶରେ ବ୍ୟବହୃତ ପ୍ରୋଗ୍ରାମିଂ ଭାଷା PHPରେ ଦୁଇଟି ଗୁରୁତର ସାଇବର ସୁରକ୍ଷା ତ୍ରୁଟି ଚିହ୍ନଟ ହେବା ପରେ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିଛି । ଏହି ତ୍ରୁଟିଗୁଡ଼ିକର ସମାଧାନ ପାଇଁ ବୁଧବାର ଅପରାହ୍ନରେ ସୁରକ୍ଷା ଅପଡେଟ୍ ଜାରି କରାଯାଇଛି। ବିଭିନ୍ନ ଦେଶର ସରକାର ଓ ସାଇବର ସୁରକ୍ଷା ସଂସ୍ଥାଗୁଡ଼ିକ ୱେବ୍ସାଇଟ୍ ପରିଚାଳକମାନଙ୍କୁ ତୁରନ୍ତ ଏହି ତ୍ରୁଟିର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୭୦ ପ୍ରତିଶତ ୱେବ୍ସାଇଟ୍ରେ PHP କୌଣସି ନା କୌଣସି ରୂପରେ ବ୍ୟବହୃତ ହେଉଥିବାରୁ ଏହି ତ୍ରୁଟିର ପ୍ରଭାବ ବ୍ୟାପକ ହୋଇପାରେ । ହ୍ୟାକର୍ମାନେ ଏହାର ସୁଯୋଗ ନେଇ ୱେବ୍ସାଇଟ୍ ଉପରେ ସାଇବର ଆକ୍ରମଣ କରିପାରନ୍ତି । ତେଣୁ ସମୟ ମଧ୍ୟରେ ସୁରକ୍ଷା ଅପଡେଟ୍ ଲାଗୁ କରିପାରୁ ନ ଥିବା ସଂସ୍ଥାଗୁଡ଼ିକୁ ସାମୟିକ ଭାବେ ନିଜ ୱେବ୍ସାଇଟ୍ ବନ୍ଦ ରଖିବାକୁ ମଧ୍ୟ କେତେକ ସାଇବର ସୁରକ୍ଷା ସଂସ୍ଥା ପରାମର୍ଶ ଦେଇଛନ୍ତି । ଏହି କାରଣରୁ ଫିନଲାଣ୍ଡ ସରକାର, ଏଡିନବର୍ଗ କାଉନ୍ସିଲ୍ ଏବଂ ବିବିସି ସମେତ କେତେକ ସଂସ୍ଥା ନିଜର କିଛି ୱେବ୍ପେଜ୍ ଅଫ୍ଲାଇନ୍ କରିଥିବା ସୂଚନା ମିଳିଛି ।
ସାଇବର ସୁରକ୍ଷା ସମ୍ପର୍କିତ ରିପୋର୍ଟରେ ‘PHP2Shell’ ନାମରେ ଉଲ୍ଲେଖ ହୋଇଥିବା ତ୍ରୁଟିକୁ ନେଇ ବିଶେଷ ଚିନ୍ତା ପ୍ରକାଶ ପାଇଛି। ଏହାର ଦୁରୁପଯୋଗ କରି ହ୍ୟାକର୍ମାନେ କୌଣସି ପାସ୍ୱାର୍ଡ କିମ୍ବା ଲଗ୍ଇନ୍ ବିନା ମାତ୍ର ଗୋଟିଏ ଅନୁରୋଧ ମାଧ୍ୟମରେ ପ୍ରଭାବିତ ସର୍ଭରରେ ଅନଧିକୃତ ପ୍ରବେଶ ପାଇପାରିବା ଆଶଙ୍କା ରହିଛି। ରିପୋର୍ଟ ଅନୁଯାୟୀ, ଏହି ତ୍ରୁଟି ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ରହିଥିଲା। କୃତ୍ରିମ ବୁଦ୍ଧିମତ୍ତା (AI) ସହାୟତାରେ ସୁରକ୍ଷା ଯାଞ୍ଚ ସମୟରେ ଏହା ଚିହ୍ନଟ ହୋଇଥିବା ଦାବି କରାଯାଇଛି।
PHP ଭାଷା ଉପରେ ନିର୍ଭର କରୁଥିବା ୱାର୍ଡପ୍ରେସ୍, ଉଇକିପିଡ଼ିଆ ଏବଂ ବିଭିନ୍ନ ଅନ୍ଲାଇନ୍ ଷ୍ଟୋର୍ର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଏହି ସମସ୍ୟାର ସମାଧାନ ପାଇଁ ସର୍ଭରରେ ବ୍ୟବହୃତ PHP ସଂସ୍କରଣକୁ ସୁରକ୍ଷିତ ସଂସ୍କରଣକୁ ଅପଡେଟ୍ କରିବା ଜରୁରୀ। କେବଳ ୱାର୍ଡପ୍ରେସ୍ ଅପଡେଟ୍ କଲେ ସମସ୍ୟାର ସମାଧାନ ହୋଇ ନ ପାରେ।
ଏଥିସହ ୱେବ୍ସାଇଟ୍ ପରିଚାଳକମାନେ ଦୁଇ-ସ୍ତରୀୟ ପରିଚୟ ଯାଞ୍ଚ (୨FA) ବ୍ୟବସ୍ଥା ସକ୍ରିୟ କରିବା, ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ନକଲି ପାସ୍ୱାର୍ଡ ରିସେଟ୍ ଇମେଲ୍ ପ୍ରତି ସତର୍କ ରହିବା ଆବଶ୍ୟକ । ତୁରନ୍ତ ସୁରକ୍ଷା ଅପଡେଟ୍ ଲାଗୁ କରିବା ସହ ସର୍ଭରରେ କୌଣସି ଅନଧିକୃତ ପ୍ରବେଶ ହୋଇଛି କି ନାହିଁ, ତାହା ଯାଞ୍ଚ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।