Picnic Turns Tragic: ଛୁଟିରେ ବୁଲିବାକୁ ଯାଇ ଅଘଟଣ, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

Oct 01, 2026 - 20:35
Picnic Turns Tragic: ଛୁଟିରେ ବୁଲିବାକୁ ଯାଇ ଅଘଟଣ, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଦିବେଆଗର ବେଳାଭୂମିରେ ଅଘଟଣ। ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯାଇ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ସମସ୍ତ ଛାତ୍ରଙ୍କ ବୟସ ୧୬ ବର୍ଷ ବୋଲି ପୋଲିସ କହିଛି।

ସୂଚନା ଅନୁସାରେ, ପୁଣେ ଜିଲ୍ଲା ଆଲନ୍ଦୀର ‘ୱିନର୍ସ ଏକାଡେମୀ’ର ୪୮ ଜଣିଆ ଟିମ୍‌ ଦିବେଆଗରକୁ ପିକନିକ୍‌ ପାଇଁ ଯାଇଥିଲେ। ଏଥିରେ ୨୫ ଜଣ ପୁଅ, ୧୭ ଜଣ ଝିଅ ଓ ୬ ଜଣ ଶିକ୍ଷକ ଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ୮ ଜଣ ଛାତ୍ର ସମୁଦ୍ରକୁ ଯାଇଥିବା ବେଳେ ପାଣିର ଗଭୀରତା ଓ ପ୍ରଖର ସ୍ରୋତକୁ ଠିକ୍‌ ଭାବେ ଆକଳନ କରିନପାରି ଭାସିଯାଇଥିଲେ। 

ଖବର ପାଇ ଦିବେଆଗରର ‘ଭାଉ ମାରୁତି ସାଲୁଙ୍କେ ମହାକାଳୀ ୱାଟର ସ୍ପୋର୍ଟସ୍’ର ମାଲିକ ଭାଉ ସାଲୁଙ୍କେ ଓ ତାଙ୍କ ଟିମ୍‌ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟିମ୍‌ ସମୁଦ୍ରରୁ ସମସ୍ତ ୮ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା।

ସୂଚନା ପାଇ ଦିଘି ସାଗରୀ ବୋର୍ଲି ପଞ୍ଚତନ ପୋଲିସ ଷ୍ଟେସନର API ସନ୍ତୋଷ ଆୱାଟି ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହଗୁଡ଼ିକୁ ବୋର୍ଲି ପଞ୍ଚତନ PHCକୁ ପଠାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।