Plague outbreak in Russia: ରୁଷିଆରେ ରହସ୍ୟମୟ ସଂକ୍ରମଣ, ଲାବ୍ କର୍ମଚାରୀଙ୍କ ମୃତ୍ୟୁ ପରେ ବଢ଼ିଲା ଚିନ୍ତା

Oct 05, 2026 - 17:19
Plague outbreak in Russia: ରୁଷିଆରେ ରହସ୍ୟମୟ ସଂକ୍ରମଣ, ଲାବ୍ କର୍ମଚାରୀଙ୍କ ମୃତ୍ୟୁ ପରେ ବଢ଼ିଲା ଚିନ୍ତା

ରୁଷିଆରେ ରହସ୍ୟମୟ ସଂକ୍ରମଣରେ ଲାବୋରେଟୋରୀ କର୍ମଚାରୀଙ୍କ ମୃତ୍ୟୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ଦେଖାଦେଇଛି। ସମ୍ଭାବ୍ୟ ନିମୋନିକ୍ ପ୍ଲେଗ୍‌କୁ ନେଇ ଚିନ୍ତା ବଢ଼ିଛି। ୨୮ ବର୍ଷୀୟ ମହିଳା ଜଣକ ଗୁରୁତର ନିମୋନିଆରେ ଆକ୍ରାନ୍ତ ହୋଇ ଅକ୍ଟୋବର ୨ରେ ପ୍ରାଣ ହରାଇଛନ୍ତି।

ମୃତ ମହିଳା ଇର୍କୁଟସ୍କ ନିକଟ ଶେଲେଖୋଭ୍‌ର ଏକ ଆଣ୍ଟି-ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିଲେ। ରିପୋର୍ଟ ଅନୁସାରେ, ଲାବୋରେଟୋରୀରେ ଜୀବନ୍ତ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗିଯିବା ପରେ ସେ ସଂକ୍ରମିତ ହୋଇଥାଇପାରନ୍ତି। ହେଲେ ଏହି ଦାବିର ଏପର୍ଯ୍ୟନ୍ତ ସ୍ୱାଧୀନ ଭାବେ ପୁଷ୍ଟି ହୋଇନାହିଁ।

ଘଟଣା ପରେ ମହିଳାଙ୍କ ସମ୍ପର୍କରେ ଆସିଥିବା ପ୍ରାୟ ୧୯୭ ଜଣଙ୍କୁ ଡାକ୍ତରୀ ନଜରରେ ରଖାଯାଇଛି। କିଛି ସ୍ୱାସ୍ଥ୍ୟକେନ୍ଦ୍ରରେ ସତର୍କତାମୂଳକ କ୍ୱାରେଣ୍ଟାଇନ୍ ମଧ୍ୟ କରାଯାଇଛି। ଅଧିକାରୀଙ୍କ ଅନୁସାରେ, ନଜରରେ ଥିବା ଲୋକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ରୋଗର ଲକ୍ଷଣ ଦେଖାଯାଇନାହିଁ।

ତେବେ ଏହା ପ୍ଲେଗ୍ ନା ଅନ୍ୟ କୌଣସି ସଂକ୍ରମଣ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ରୁଷିଆର ସ୍ୱାସ୍ଥ୍ୟ ନିରୀକ୍ଷଣ ସଂସ୍ଥା ରୋସପୋଟ୍ରେବନାଡଜୋର ଏହାକୁ ‘ଅଜଣା କାରଣର ନିମୋନିଆ’ ବୋଲି କହିଛି ଏବଂ ଅଞ୍ଚଳର ସ୍ଥିତି ସ୍ଥିର ଥିବା ଜଣାଇଛି।

ଏହି ଘଟଣା ଉପରେ ଆମେରିକା ମଧ୍ୟ ନଜର ରଖିଛି। ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ କହିଛି, CDC ସହ ମିଶି ରୁଷିଆର ସ୍ଥିତି ଉପରେ ନଜର ରଖାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ରୁଷିଆରେ ବ୍ୟାପକ ପ୍ଲେଗ୍ ସଂକ୍ରମଣ ହୋଇଥିବାର କୌଣସି ସରକାରୀ ପୁଷ୍ଟି ନାହିଁ।

ନିମୋନିକ୍ ପ୍ଲେଗ୍ ‘ୟର୍ସିନିଆ ପେଷ୍ଟିସ୍’ ବ୍ୟାକ୍ଟେରିଆ ଯୋଗୁଁ ହୁଏ ଏବଂ ଏହା ଫୁସଫୁସକୁ ପ୍ରଭାବିତ କରେ। ଏହା ଗୁରୁତର ହୋଇପାରେ, କିନ୍ତୁ ଠିକ୍ ସମୟରେ ଚିକିତ୍ସା ମିଳିଲେ ଆଣ୍ଟିବାୟୋଟିକ୍‌ରେ ଏହାର ଚିକିତ୍ସା ସମ୍ଭବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।