PM Modi Inaugurates RBI Data Centre: ଜଟଣୀରେ RBI ଡାଟା ସେଣ୍ଟର ଉଦ୍ଘାଟନ କଲେ ମୋଦି, କହିଲେ- ଦେଶର ବିକାଶରେ ବଡ଼ ଭୂମିକା ନେବ ଓଡ଼ିଶା
ଓଡ଼ିଶା ଗସ୍ତରେ ଆସି ରାଜ୍ୟକୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରବିବାର ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଇନ୍ଫୋଭ୍ୟାଲି-୨ରେ ପ୍ରାୟ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ RBI ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ କରିଛନ୍ତି।
ପ୍ରାୟ ୧୮.୫୫ ଏକର ଜମିରେ ନିର୍ମିତ ଏହି ପ୍ରତିଷ୍ଠାନ ଦେଶର ବ୍ୟାଙ୍କିଂ ଓ ଡିଜିଟାଲ୍ ଆର୍ଥିକ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବାରେ ସହାୟକ ହେବ।
Advertisment ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭୁବନେଶ୍ୱରରେ ଏକ ନୂଆ ପ୍ରତିଷ୍ଠାନ ଆରମ୍ଭ ହୋଇଛି।
ଏହା ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ରଖିବ।
ଦେଶର ବିକାଶ କେବଳ ବଡ଼ ବଡ଼ ସହରରେ ସୀମିତ ରହିବା ଉଚିତ ନୁହେଁ।
ଛୋଟ ସହରଗୁଡ଼ିକ ମଧ୍ୟ ଦେଶର ପ୍ରଗତିରେ ବଡ଼ ଭୂମିକା ନେବା ଆବଶ୍ୟକ।
ଏହି ଅବସରରେ ପୂର୍ବ କଂଗ୍ରେସ ସରକାରକୁ ମଧ୍ୟ ନିଶାନା କରିଥିଲେ ମୋଦି।
ସେ କହିଥିଲେ, ୬୦ ଓ ୭୦ ଦଶକରେ ଗରିବଙ୍କ ନାଁରେ ବ୍ୟାଙ୍କ ଜାତୀୟକରଣ କରାଯାଇଥିଲା।
ତଥାପି ୨୦୧୪ ପର୍ଯ୍ୟନ୍ତ ଅନେକ ଗରିବ ଲୋକ ବ୍ୟାଙ୍କିଂ ସେବାରୁ ବଞ୍ଚିତ ଥିଲେ।
ଏପରିକି ବ୍ୟାଙ୍କ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟର ଆବଶ୍ୟକ ପଡ଼ୁଥିଲା ବୋଲି ସେ ଉଲ୍ଲେଖ କରିଥିଲେ।
Advertisment ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ପୂର୍ବରୁ ସରକାର ଏକ ଟଙ୍କା ପଠାଇଲେ ହିତାଧିକାରୀଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଥିବା କଥା କୁହାଯାଉଥିଲା।
କିନ୍ତୁ ବର୍ତ୍ତମାନ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା DBT ମାଧ୍ୟମରେ ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଉଛି।
ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ମୋଦି କହିଥିଲେ, ଅଟଳ ପେନ୍ସନ୍ ଯୋଜନାରେ ଦେଶର ପ୍ରାୟ ୯ କୋଟି ଲୋକ ସାମିଲ ହୋଇଛନ୍ତି।
ସେହିପରି ଓଡ଼ିଶାରେ ପ୍ରାୟ ୩୮ ଲକ୍ଷ ଲୋକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ମାତ୍ର ୨୦ ଟଙ୍କା ବାର୍ଷିକ ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସୁବିଧା ମିଳୁଥିବା କଥା ମଧ୍ୟ ସେ କହିଥିଲେ।
ସାଇବର ସୁରକ୍ଷାକୁ ନେଇ ମୋଦି କହିଥିଲେ, ଆଜିର ଯୁଗରେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ସୀମିତ ନାହିଁ।
ଦେଶର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଟାର୍ଗେଟ୍ କରାଯାଉଛି।
ତେଣୁ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଓ ଆର୍ଥିକ ତଥ୍ୟକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ।
ଓଡ଼ିଶାରେ ଡାଟା ସେଣ୍ଟର, ମାଇକ୍ରୋଚିପ୍ ଏବଂ ନୂଆ ପ୍ରଯୁକ୍ତିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ସୁଯୋଗ ସୃଷ୍ଟି ହେଉଥିବା ମୋଦି କହିଥିଲେ।
ଆଗାମୀ ଦିନରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆସିବା ସହ ଯୁବପିଢ଼ିଙ୍କ ପାଇଁ ନୂଆ ରୋଜଗାର ଓ ଦକ୍ଷତା ବିକାଶର ସମ୍ଭାବନା ସୃଷ୍ଟି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ବରିଷ୍ଠ ଅତିଥିମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।