PM Modi On Lessons Learnt During 25-Year Journey: ଭୂଜ୍‌ ଭୂମିକମ୍ପରୁ କୋଭିଡ୍‌ ଯାଏ, ୨୫ ବର୍ଷର ଅନୁଭୂତି ବଖାଣିଲେ ମୋଦି

Oct 07, 2026 - 12:57
PM Modi On Lessons Learnt During 25-Year Journey: ଭୂଜ୍‌ ଭୂମିକମ୍ପରୁ କୋଭିଡ୍‌ ଯାଏ, ୨୫ ବର୍ଷର ଅନୁଭୂତି ବଖାଣିଲେ ମୋଦି

ରାଜନୈତିକ ଜୀବନରେ ୨୫ ବର୍ଷର ସାର୍ବଜନୀନ ସେବା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ସରକାରୀ ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ମୋଦୀ। ଏହାପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ସମୟ କାର୍ଯ୍ୟ କରିବା ପରେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି।

ପିଏମ୍ ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସାରା ଦେଶରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାର ଯାତ୍ରା ସଂପର୍କରେ କହିଛନ୍ତି।

ନିଜର ୨୫ ବର୍ଷର ରାଜନୈତିକ ଯାତ୍ରାକୁ ମନେ ପକାଇ ମୋଦି କହିଥିଲେ ଯେ, ୨୦୦୧ ଅକ୍ଟୋବର ୭ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଏପରି ଏକ ଦିନ ଆସିବ ବୋଲି ସେ କେବେ କଳ୍ପନା କରିନଥିଲେ। ଲଗାତାର ୨୫ ବର୍ଷ ଧରି ସରକାରର ମୁଖ୍ୟ ଭାବେ ସେବା କରିବାର ସୁଯୋଗ ମିଳିଥିବାରୁ ସେ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ତାଙ୍କର ୨୫ ବର୍ଷର ଯାତ୍ରା ଲୋକଙ୍କ ଆଶୀର୍ବାଦ ଓ ଭରସା ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି। ତେଣୁ ଦେଶବାସୀ, ବିଜେପି, ଏନ୍‌ଡିଏ ଏବଂ ଗଣତନ୍ତ୍ର ଉପରେ ଆସ୍ଥା ରଖୁଥିବା ସମସ୍ତ ରାଜନୈତିକ ସହଯୋଗୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

‘ସେବା ହିଁ ଧର୍ମ’

ନିଜର ରାଜନୈତିକ ଜୀବନର ମୂଳମନ୍ତ୍ର ଭାବେ ‘ସେବା ହିଁ ଧର୍ମ’କୁ ଗୁରୁତ୍ୱ ଦେଇଛନ୍ତି ମୋଦି। ସେ କହିଛନ୍ତି, ସେ ଆକାଂକ୍ଷା ପାଇଁ ନୁହେଁ, ବରଂ ଏକ ଲକ୍ଷ୍ୟ ଓ ମିଶନ ପାଇଁ ଜୀବନ ବିତାଉଛନ୍ତି।

ନିଜର ବାଲ୍ୟଜୀବନକୁ ମନେ ପକାଇ ମୋଦି ବଡ଼ନଗରର ସ୍କୁଲ ଦିନର କଥା ମଧ୍ୟ କହିଥିଲେ। ସ୍କୁଲରେ ସେ ସବୁବେଳେ ଶୀଘ୍ର ପହଞ୍ଚୁଥିବା ଛାତ୍ରଙ୍କ ମଧ୍ୟରେ ଥିଲେ। ଶିଖିବାର ଏହି ଆଗ୍ରହ ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ଏକ ଅଂଶ ହୋଇଯାଇଥିଲା। ଆଜି ମଧ୍ୟ ସେ ନିଜକୁ ଜଣେ ଛାତ୍ର ବୋଲି ଭାବନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଚେଷ୍ଟା କରନ୍ତି ବୋଲି କହିଥିଲେ।

୨୫ ବର୍ଷର ଯାତ୍ରାରେ ଅନେକ ଅନୁଭୂତି ଓ ଶିକ୍ଷା ମିଳିଛି। ତାଙ୍କୁ ଶିକ୍ଷା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଓ ଅନୁଭୂତି ପାଇଁ ସେ କୃତଜ୍ଞ ବୋଲି କହିଥିଲେ। ସମର୍ଥକମାନେ ତାଙ୍କୁ ଉତ୍ସାହିତ କରିଥିବା ବେଳେ ସମାଲୋଚକମାନେ ନିଜ ଭିତରକୁ ଦେଖିବା ଏବଂ ନିଜକୁ ପରଖିବାର ସୁଯୋଗ ଦେଇଥିଲେ ବୋଲି ସେ କହିଛନ୍ତି।

ଭୂଜ୍‌ ଭୂମିକମ୍ପରୁ କୋଭିଡ୍‌ ଯାଏ, ଅନେକ ଅନୁଭୂତିର କଥା କହିଲେ ମୋଦି

ନିଜ ଯାତ୍ରାର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାର ଉଦାହରଣ ଦେଇ ମୋଦି କହିଥିଲେ, ୨୦୦୧ର ଭୂଜ୍‌ ଭୂମିକମ୍ପ ତାଙ୍କୁ ପୁନର୍ନିର୍ମାଣ ସମୟରେ ଦୃଢ଼ ରହିବା ଶିଖାଇଥିଲା।

ସେହିପରି ଚନ୍ଦ୍ରଯାନ ମିଶନ ତାଙ୍କୁ ବିଫଳତାରୁ ଶିଖି ପୁଣି ଥରେ ଉଠିବାର ପ୍ରେରଣା ଦେଇଥିଲା। କୋଭିଡ୍‌ ସଙ୍କଟ ଦେଶର ସାମୂହିକ ଚେତନାର ଗୁରୁତ୍ୱ ବୁଝାଇଥିଲା।

ଏହା ସହିତ ଭଲ ଓ ଖରାପ ଉଭୟ ଅନୁଭୂତି ମଧ୍ୟରେ ଆଗକୁ ବଢ଼ିବା ପାଇଁ ଗଣମାଧ୍ୟମ ମଧ୍ୟ ତାଙ୍କୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି।

ଭାରତର ହଜାର ହଜାର ବର୍ଷର ସାଂସ୍କୃତିକ ଐତିହ୍ୟ ଓ ମହାନ ଚିନ୍ତାଧାରା ତାଙ୍କୁ ସବୁବେଳେ ଶକ୍ତି ଦେଇଆସିଛି। ବେଦଠାରୁ ସ୍ୱାମୀ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ମହାନ ଚିନ୍ତାଧାରାକୁ ଆପଣାଇଥିବା ଏହି ଦେଶର ସେବା କରିବା ସମୟରେ ସେ କେବେ ନିଜକୁ ଏକା ଅନୁଭବ କରିନଥିବା କହିଛନ୍ତି।

୨୦୪୭ ପାଇଁ ନୂଆ ସଂକଳ୍ପ

ମୋଦି କହିଛନ୍ତି, ଏହି ଦିନ କେବଳ ଅତୀତକୁ ମନେ ପକାଇବାର ଦିନ ନୁହେଁ, ବରଂ ଭବିଷ୍ୟତ ପାଇଁ ନୂଆ ସଂକଳ୍ପ ନେବାର ଦିନ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ଦେଶକୁ ଆଗକୁ ବଢ଼ିବାକୁ ହେବ ବୋଲି ସେ ଆହ୍ୱାନ ଦେଇଛନ୍ତି।

“ଆମେ ନିଶ୍ଚିତ ଭାବେ ଏହା ହାସଲ କରିବୁ, ଆମେ କରିବୁ, ଆମେ କରିବୁ, ଆମେ କରିବୁ”—ଏଭଳି ସଂକଳ୍ପର ସହ ନିଜ ଭାଷଣ ଶେଷ କରିଥିଲେ ପ୍ରଧାନମନ୍ତ୍ରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।