PM Modi Unveils Seven-Pillar Vision: ଲାଲକିଲ୍ଲାରୁ ସପ୍ତଧାରା ଭିଜନ୍ ଦେଖାଇଲେ ମୋଦି, ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ

Aug 15, 2026 - 21:03
PM Modi Unveils Seven-Pillar Vision: ଲାଲକିଲ୍ଲାରୁ ସପ୍ତଧାରା ଭିଜନ୍ ଦେଖାଇଲେ ମୋଦି, ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ହେବ ଭାରତ। ଏଥିପାଇଁ ଆମକୁ ଆତ୍ମନିର୍ଭରତାକୁ ଗୁରୁତ୍ବ ଦେବାକୁ ପଡ଼ିବ। ଦେଶର ସାମଗ୍ରିକ ଉତ୍ପାଦନ କ୍ଷମତା ବଢାଇବାକୁ ହେବ। ବିକଶିତ ଭାରତ ପାଇଁ ଦେଶବାସୀଙ୍କୁ ବଡ଼ ସ୍ୱପ୍ନ, ବଡ଼ ସଂକଳ୍ପ ଓ ବଡ଼ ଲକ୍ଷ୍ୟ ନେବାକୁ ହେବ। ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଏହି ବଡ଼ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ବିକାଶର ମୂଳ ଆଧାର ହେବ ଆତ୍ମନିର୍ଭରତା ଓ ସ୍ୱଦେଶୀ ଉତ୍ପାଦନ। ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟକୁ ପୁଣି ଦୋହରାଇବା ସହ ଯୁବଶକ୍ତିଠାରୁ ଆରମ୍ଭ କରି AI, ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଜାତୀୟ ସୁରକ୍ଷା...ପ୍ରାୟ ସବୁ କ୍ଷେତ୍ର ପାଇଁ ରୋଡମ୍ୟାପ୍ ରଖିଛନ୍ତି ପିଏମ ମୋଦି। ଏଥିପାଇଁ ସପ୍ତଧାରା ଶକ୍ତିର ଭିଜନ ରଖିଛନ୍ତି । ଯେଉଁ ସପ୍ତଧାରା ଶକ୍ତି ବିଷୟରେ ମୋଦି ଉଲ୍ଲେଖ କରିଛନ୍ତି ସେଗୁଡିକ ହେଲା ୧-ଉତ୍ପାଦନ କ୍ଷମତା, ୨- କୃଷି ଓ ଖାଦ୍ୟ ଉତ୍ପାଦନ, ୩-ଟେକ୍ନୋଲୋଜି ଓ ଇନୋଭେନସନ୍, ୪-ଗତି ଶକ୍ତି, ୫-ପ୍ରତିରକ୍ଷା ଶକ୍ତି, ୬-ଗ୍ରୀନ୍ ଇକୋନମି ଓ ବ୍ଲୁ ଇକୋନମୀ, ୭- ଭାରତର ସଫ୍ଟ ପାୱାର । ଆସନ୍ତା ୫ରୁ ୭ ବର୍ଷ ଭିତରେ ଏହି ସପ୍ତଧାରା ଶକ୍ତି  ଦେଶକୁ ନୂଆ ଗତି ଦେବା ସହ ନୂଆ ଲକ୍ଷ୍ୟକୁ ପାର କରି ଆହୁରି ଶୀର୍ଷକୁ  ନେଇଯିବ ବୋଲି କହିଛନ୍ତି ପିଏମ୍ ମୋଦି । 

ଭାରତର ଭବିଷ୍ୟତ ଅର୍ଥନୀତିକୁ ଆହୁରି ମଜବୁତ କରିବା ପାଇଁ କ୍ରିଟିକାଲ୍ ମିନେରାଲ୍ସ, ଶକ୍ତି ଓ ସେମିକଣ୍ଡକ୍ଟର ଉପରେ ବିଶେଷ ଫୋକସ୍ ଦେଇଛନ୍ତି ମୋଦି। ଚିପ୍ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଲାଗି  ଆଗାମୀ ବର୍ଷଗୁଡ଼ିକରେ ଦେଶରେ ଏକାଧିକ ସେମିକଣ୍ଡକ୍ଟର ପ୍ଲାଣ୍ଟ ଗଠନ ଏବଂ ଏନର୍ଜି ସିକ୍ୟୁରିଟି ପାଇଁ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାର କଥା ସେ କହିଛନ୍ତି ।

ଲାଲକିଲ୍ଲାର ପ୍ରାଚୀରରୁ ମୋଦି ୨୦୩୦ ମସିହାରେ ଭାରତରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୩୬ର ସମ୍ଭାବ୍ୟ ଅଲିମ୍ପିକ୍ସ ଆୟୋଜନ ଦାବିଦାରି ପ୍ରସଙ୍ଗ ବି ଉଠାଇଛନ୍ତି। ଆଉ ଏହି ଦୁଇ କ୍ରୀଡା ପ୍ରତିଯୋଗିତାକୁ ଆଖିରେ ରଖି ଦେଶବ୍ୟାପୀ  ଟ୍ୟାଲେଣ୍ଟ ହଣ୍ଟ ଅଭିଯାନ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି। 

ସେହିପରି ମହିଳା ବିଲ୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ନାରୀ ଶକ୍ତିର ଅଧିକ ଯୋଗଦାନ ଲାଗି ଆମେ ନାରୀ ଶକ୍ତି ବନ୍ଦନ ବିଲ୍ ପାରିତ କରିଥିଲୁ। କିନ୍ତୁ ଗତ ୪୦ ବର୍ଷରେ ଏହା ରାଜନୈତିକ ଆଖଡାର କେନ୍ଦ୍ର ପାଲଟିଛି। ନାରୀମାନଙ୍କୁ ଅଧିକ ନେତୃତ୍ବ ଦେବା ପାଇଁ ମହିଳା ସଂରକ୍ଷଣ ବିଲକୁ କାର୍ଯ୍ୟକାରୀ କରିବାକୁ ସବୁ ରାଜନୈତିକ ଦଳଗୁଡିକୁ ପୁଣି ଥରେ ଆହ୍ବାନ ଦେଇଛନ୍ତି । ସେହିପରି ଦେଶର ପ୍ରତିରକ୍ଷା କ୍ଷେତ୍ରର ସାମର୍ଥ୍ୟ ବଢିଥିବା ଉଲ୍ଲେଖ କରି ମୋଦି କହିଛନ୍ତି, ବଦଳୁଥିବା ସମୟରେ ଅସ୍ତ୍ରଶସ୍ତ୍ର ଭଳି କାମ କରିବା ଦରକାର। ସୈନ୍ୟବାହିନୀର ସାମର୍ଥ୍ୟ ବଢାଇବା ଜରୁରୀ । ଏଥିସହ ନାଗରିକଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡ଼ିବ । ସିଭିଲ୍ ଡିଫେନ୍ସ କଥା ଉଠାଇ ସେ କହିଛନ୍ତି ବିଗତ ଶତାଦ୍ଦୀର ଯୁଦ୍ଧ ଅନୁଯାୟୀ ଦେଶରେ ଥିବା ସିଭିଲ ଡିଫେନ୍ସ ବ୍ୟବସ୍ଥା ଏବେ ପୁରୁଣା ହୋଇଗଲାଣି । ଆଗାମୀ ଦିନରେ ଦେଶରେ ସିଭିଲ ଡିଫେନ୍ସର ଭାଇବ୍ରେଣ୍ଟ ନେଟୱର୍କ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ମୋଦି। ଏମାନଙ୍କୁ ଅତ୍ୟାଧୁନିକ ବ୍ୟବସ୍ଥା ବାବଦରେ ଅବଗତ କରାଯିବ । ବର୍ତ୍ତମାନ ଦେଖା ଦେଉଥିବା ଚାଲେଞ୍ଜଗୁଡିକୁ ସାମ୍ନା କରିବା  ଲାଗି ଏକ ବିଶାଳ ଭଲ୍ୟୁଣ୍ଟର ଫୋର୍ସର ନେଟୱର୍କକୁ ପ୍ରସ୍ତୁତ କରାଯିବ ବୋଲି ମୋଦି କହିଛନ୍ତି । 

ପ୍ରଧାନମନ୍ତ୍ରୀ ଭାରେ ମୋଦି ଆଜି ଲଗାତର ୧୩ଥର ଲାଗି ଲାଲକିଲ୍ଲାରୁ ସ୍ବାଧୀନତା ଦିବସର ଅଭିଭାଷଣ ଦେଇଛନ୍ତି । ଜବାହାରଲାଲ ନେହରୁଙ୍କ ପରେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।