AgriStack Tension Ends For Farmers: ଆଗ୍ରିଷ୍ଟାକ୍ ନଥିଲେ ବି ମଣ୍ଡିରେ ଧାନ ବିକିବେ ଚାଷୀ, ଦୂର ହେଲା ଦ୍ୱନ୍ଦ୍ୱ

Aug 15, 2026 - 21:03
AgriStack Tension Ends For Farmers: ଆଗ୍ରିଷ୍ଟାକ୍ ନଥିଲେ ବି ମଣ୍ଡିରେ ଧାନ ବିକିବେ ଚାଷୀ, ଦୂର ହେଲା ଦ୍ୱନ୍ଦ୍ୱ

ଆଗ୍ରିଷ୍ଟାକ ନଥିଲେ ମଣ୍ଡିରେ ଧାନ ଦେଇ ହେବ ତ ? ଧାନ କିଣାବିକାରେ ସମସ୍ୟା ହେବ କି ? ଏମିତି ଅନେକ ପ୍ରଶ୍ନ ଭିତରେ ଥିଲେ ଚାଷୀ। ଆଜି ସବୁ ଆଶଙ୍କା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗ୍ରିଷ୍ଟାକ୍ ପଞ୍ଜିକରଣକୁ ନେଇ ଚାଷୀଙ୍କ ଧାନ ବିକ୍ରିରେ ବାଧା ଆସିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗ୍ରିଷ୍ଟାକ୍ ପଞ୍ଜିକରଣ ସହିତ ଧାନ କିଣା ପାଇଁ ପି-ପାସ୍ ପଞ୍ଜିକରଣର କୌଣସି ସମ୍ପର୍କ ନାହିଁ। ପ୍ରତିବର୍ଷ ଭଳି ଏବର୍ଷ ବି ହେବ ପି-ପାସ୍ ପଞ୍ଜିକରଣ। ଆଉ ସେହି ଆଧାରରେ ହିଁ ମଣ୍ଡିରୁ ଧାନ କିଣାଯିବ। 

ଧାନ କିଣା ପଞ୍ଜିକରଣକୁ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ବଢୁଥିଲା। ତାଭିତରେ ଶଙ୍କା ବଢ଼ାଇଥିଲା ଆଗ୍ରିଷ୍ଟାକ୍। ମୁଖ୍ୟମନ୍ତ୍ରୀଙ୍କ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବି ସ୍ପଷ୍ଟ କରିଛନ୍ତି, ଧାନକିଣା ପାଇଁ ଟୋକନ୍ ବ୍ୟବସ୍ଥା ସହ ଆଗ୍ରିଷ୍ଟାକକୁ ଯୋଡ଼ାଯାଇପାରିବ ନାହିଁ। ବିନା ଆଗ୍ରିଷ୍ଟାକରେ ବି ଚାଷୀଙ୍କଠାରୁ ଧାନ କିଣାଯାଇପାରିବ। ଚଳିତବର୍ଷ ଆଗ୍ରିଷ୍ଟାକ ଲାଗୁ କରାଯାଉନାହିଁ। ତେବେ ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ। ଚାଷୀଙ୍କ ହିତ ଓ ଦଲାଲି ବନ୍ଦ କରିବା ପାଇଁ ଆଗ୍ରିଷ୍ଟାକ ଓ ଟୋକନ ବ୍ୟବସ୍ଥା। 

ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଚାଷୀଙ୍କୁ ଆଶ୍ୱସ୍ତି ତ ମିଳିଛି, ଆଗ୍ରିଷ୍ଟାକ ଟେନସନରୁ ମୁକ୍ତି ମିଳିଛି। ହେଲେ ମଣ୍ଡି ପଞ୍ଜିକରଣକୁ ନେଇ ଅସୁବିଧା ସରିନାହିଁ। ବିଶେଷ କରି ଭାଗଚାଷୀ ପଞ୍ଜିକରଣରେ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ସେହିପରି ଜମି କିସମ ପରିବର୍ତ୍ତନ ହୋଇ ନଥିବାରୁ ଅନେକ ଚାଷୀଙ୍କ ପାଇଁ ଆଉ ଏକ ସମସ୍ୟା ବି ହୋଇପାରେ। 

ଆଗ୍ରିଷ୍ଟାକ୍ ପଞ୍ଜିକରଣକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ ପରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ମନରୁ ସଂଶୟ ହଟିଛି। ପି-ପାସ୍ ବ୍ୟବସ୍ଥାରେ ଧାନ ବିକ୍ରି ସୁଚାରୁ ରୂପେ ହୋଇପାରିବ ବୋଲି ଆଶା କରାଯାଉଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।